କୋରାପୁଟ,୯/୬ (ସନ୍ଧାନ ନିୟୁଜ୍) ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ଅନୁମୋଦନ ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଓ ଓଡିଶା ପ୍ରଭାରୀ ଜୀତେନ୍ଦ୍ର ସିଂହ ସାର୍ବଜନୀନ କରିଥିବା ଜିଲା ସଭାପତି ତାଲିକା ଅନୁଯାୟୀ ମିନାକ୍ଷୀ ବାହିନୀପତି ପୁନର୍ବାର ଜିଲା କଂଗ୍ରେସ କମିଟି ସଭାନେତ୍ରୀ ପଦ ବଜାୟ ରଖିଥିବା ଜଣା ପଡିଛି । ଜୟପୁର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚତେକ ତାରା ପ୍ରସାଦ ବାହିନୀପତିଙ୍କ ସହ ଧର୍ମିଣୀ ମିନାକ୍ଷୀ ଏକ ଦଶନ୍ଧିରୁ ଅଧିକ ସମୟ ସକ୍ରିୟ ରାଜନିତିରେ ରହିଥିବାବେଳେ କୋରାପୁଟ ଏନଏସିରେ ଦୁଇଥର ଅଧ୍ୟକ୍ଷା ରହିଥିଲେ ଏବଂ ୨୦୧୨ରୁ ସେ ଜିଲା କଂଗ୍ରେସ କମିଟି ସଭାନେତ୍ରୀ ଦାୟିତ୍ୱ ତୂଲାଇ ଆସିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଶ୍ରୀମତି ବାହିନୀପତିଙ୍କ ନେତୃତ୍ୱରେ ଲଢି ଜିଲାର ୫ଟି ବିଧାନସଭା ଆସନରୁ ୪ଟିରେ ବିଜୟ ଲାଭ କରିଥିଲା । ଅନ୍ୟ ପକ୍ଷରେ ଜିଲାର ଟାଣୁଆ ଯୁବନେତା ତଥା ଯୁବ କଂଗ୍ରେସର ରାଜ୍ୟ ସମ୍ପାଦକ ରୂପକ କୁମାର ତୁରୂକଙ୍କୁ ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଏଆଇସିସି ନିଯୁକ୍ତ କରିଛି । ଛାତ୍ର ଜୀବନରୁ ଶ୍ରୀ ତୁରୁକ କଂଗ୍ରେସ ଦଳରେ ରହି ବିଭିନ୍ନ ଦାୟିତ୍ୱ ତୂଲାଇଛନ୍ତି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି,ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ,ନିମାଁଇ ସରକାର,ପିସିସି ସଭ୍ୟ ଜଗଦିଶ ଖୋସ୍ଲା,ସଦର ବ୍ଲକ କଂଗ୍ରେସ ସଭାପତି ବାବୁଲା ବେନ୍ୟା,ନଗର ସଭାପତି ଭବାନୀ ଶଙ୍କର ମିଶ୍ର, ବରିଷ୍ଠ କଂଗ୍ରେସ ନେତା ତ୍ରିପତି ପାଣିଗ୍ରାହି,ଗୋପିନାଥ ପଲେଇ,ରମେଶ ବାଙ୍କିଆ,ପ୍ରିତମ ପାଢି,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ପ୍ରମୁଖ ନବ ନିଯୁକ୍ତ ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ସଭାପତି ରାହୁଲ ଗାନ୍ଧି , ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଓ ଓଡିଶା ପ୍ରଭାରୀ ଜୀତେନ୍ଦ୍ର ସିଂହଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବାହିନିପତି ଧନ୍ୟବାଦ ଅର୍ପଣ କରିଛନ୍ତି ।
news by ରଂଜନ କୁମାର ଦାସ