ସମ୍ବଲପୁର/ସନ୍ଧାନ ନ୍ୟୁଜ: ସମ୍ବଲପୁର ସହର ଉପକଣ୍ଠ ମାନେଶ୍ଵର ହାଟପଦାର ମା’ ସ୍ନେହଲତା ଦୀକ୍ଷିତ (୯୦) ଓ ଝିଅ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୌରେନ୍ଦ୍ରୀ ଦୀକ୍ଷିତ (୬୨)ଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। କିଛି ନଜାଣିଥିବାର ଅଭିନୟ କରୁଥିବା ଜଗନ୍ନାଥ ଦୀକ୍ଷିତ(୬୦) ଓ ତାଙ୍କ ପୁଅ ସଙ୍କେତ ଦୀକ୍ଷିତ(୨୯) ଯୋଜନା ବଦ୍ଧ ଭାବେ ହତ୍ୟା କରିବା ଘଟଣା ସ୍ଵୀକାର କରିଛନ୍ତି। ଆଜି ଉଭୟ ବାପପୁଅଙ୍କୁ ପୁଲିସ ଗିରଫ କରିଛି। ସ୍ନେହଲତାଙ୍କ ସାନଝିଅ ଇନ୍ଦ୍ରାଣୀ ପୁରୋହିତଙ୍କ ଅଭିଯୋଗ ଆଧାରରେ ସଦର ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ମା’ଝିଅଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସନ୍ଦେହରେ ଜଗନ୍ନାଥ ଦୀକ୍ଷିତ(୬୦) ଓ ତାଙ୍କ ପୁଅ ସଙ୍କେତ ଦୀକ୍ଷିତକୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା। ଘଟଣା ସଂପର୍କରେ କିଛି ଜାଣିନଥିବାର ଅଭିନୟ କରୁଥିବା ଜଗନ୍ନାଥ ଓ ସଂକେତ ପରିଶେଷରେ ପୁଲିସ ଆଗରେ ସତ ମାନି ଯାଇଥିଲେ। ସେମାନେ ଦୋଷ ସ୍ବୀକାର କରିବା ପରେ ବାପପୁଅଙ୍କୁ ଆଣି ମାନେଶ୍ଵର ଆଣି ପୁଣି ‘କ୍ରାଇମ୍ ସିନ୍ ରିକ୍ରିଏସନ୍’ କରାଯାଇଥିଲା। ଅତିରିକ୍ତ ଏସପି ଅଜୟ ମିଶ୍ର, ଏସଡ଼ିପିଓ ତୋଫାନ ବାଗ, ସଦର ଆଇଆଇସି ସବିତା ବଳ, ଟାଉନ ଥାନା ଆଇଆଇସି ରଞ୍ଜନ ବିଶ୍ଵାଳଙ୍କ ଉପସ୍ଥିତିରେ ଏହା ସଂପନ୍ନ ହୋଇଥିଲା। ବଂଗାଲୁରୁରେ ଏକ ବଡ଼ କଂପାନିରେ ଚାକିରି କରୁଥିବା ବିଟେକ୍ ଡିଗ୍ରିଧାରୀ ସଂକେତ ଦୀକ୍ଷିତ କିଛିଦିନ ତଳେ ଛୁଟିରେ ଘରକୁ ଆସିଥିଲା। ସଂପତି ବିବାଦ କାରଣରୁ ବାପା ଜଗନ୍ନାଥଙ୍କ ସହିତ ପୁଅ ସଙ୍କେତ ହତ୍ୟା ପାଇଁ ଯୋଜନା କରିଥିଲେ। ରାତିରେ ପ୍ରଥମେ ଉଭୟେ ମିଶି ମା ଓ ଝିଅଙ୍କୁ ଶ୍ଵାସରୁଦ୍ଧ କରି ହତ୍ୟା କରିଥିଲେ। ଏହା ପରେ ପୁଅ ସଙ୍କେତ ମାନେଶ୍ଵର ପେଟ୍ରୋଲ ପମ୍ପରୁ ୨୦୦ ଟଙ୍କାର ପେଟ୍ରୋଲ କିଣିଆଣି ସୌରେନ୍ଦ୍ରୀଙ୍କୁ ପୋଡ଼ି ଦେଇଥିଲେ। ରୋଷେଇ କରୁଥିବା ସମୟରେ ନିଆଁ ଲାଗିବାରୁ ମୃତ୍ୟୁ ଘଟିଥିବାର ରୂପ ଦେବା ପାଇଁ ଗ୍ୟାସ୍ ସିଲିଣ୍ଡର ଖୋଲା ରଖିଦେଇଥିବା କଥା ପୁଲିସ ଆଗରେ ସେମାନେ ସ୍ଵୀକାର କରିଥିଲେ। ପୁଲିସ ପେଟ୍ରୋଲ ଆଣିବାରେ ବ୍ୟବହାର ହୋଇଥିବା ବୋତଲକୁ ମଧ୍ୟ ଜବତ କରିଛି। ଘଟଣାର ଦୁଇ ତିନି ପୂର୍ବରୁ ଜଗନ୍ନାଥ ମାନେଶ୍ଵରସ୍ଥିତ ଘରକୁ ନିଜ ନାମରେ କରିବା ପାଇଁ ଆର୍ଆଇ ଅଫିସକୁ ଯାଇଥିଲେ। ଘର ଜଗନ୍ନାଥଙ୍କ ନାମରେ ହୋଇପାରିବ ନାହିଁ ଜାଣିବାକୁ ପାଇଥିଲେ। ପିତା ବିହାରୀ ଦୀକ୍ଷିତ ମୃତ୍ୟୁ ପୂର୍ବରୁ ଘରଟିକୁ ଦୁଇ ଝିଅ ସୁଲୋଚନା ଏବଂ ସେରେବ୍ରୀଙ୍କ ନାମରେ କରିଦେଇଥିବା କଥା ଜାଣିବାକୁ ପାଇଥିଲେ। ଘର ତାଙ୍କ ନାମରେ ହୋଇପାରିବ ନାହିଁ ବୋଲି ଜାଣିବା ପରେ ଜଗନ୍ନାଥ ପୁଅ ସହିତ ମିଶି ଏଭଳି ଯୋଜନା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ପୁଅଟିଏ ପାଇଁ ୨୧ ଦିନ ଉପବାସ ରହି ବ୍ରତ କରିଥିଲେ ସ୍ନେହଲତା