ମହାକାଶରେ ଥାଇ ଲ୍ୟାଣ୍ଡମାଇନ୍‌ ଠାବ କରିବ ଭାରତୀୟ ଉପଗ୍ରହ ହାଇସିସ୍‌,ମାଓ ଆକ୍ରମଣରୁ ସେନାକୁ ସୁରକ୍ଷା ଦେବ

Spread the love
ନୂଆଦିଲ୍ଲୀ, 30/11 (ସନ୍ଧାନ ନିଉଜ) :  ମହାକାଶ ବିଜ୍ଞାନରେ ଭାରତ କ୍ରମାଗତ ଭାବେ ସଫଳତା ପାଇ ଚାଲିଛି। ଗତ ଗୁରୁବାର ମହାକାଶକୁ ପ୍ରେରିତ ହୋଇଥିବା ଭୂମି ପର୍ଯ୍ୟବେକ୍ଷଣ ଉପଗ୍ରହ (ଆର୍ଥ ଅବଜର୍ଭେସନ୍‌ ସାଟେଲାଇଟ୍‌) ହାଇସିସ୍‌(Hysis)ମାଟି ତଳେ ବିଛା ଯାଇଥିବା ଲ୍ୟାଣ୍ଡ ମାଇନ୍‌କୁ ମଧ୍ୟ ଠାବ କରିପାରିବ ।
ମିଳିଥିବା ସୂଚନା ଅନୁସାରେ,ଏହି ଉପଗ୍ରହ ଭାରତୀୟ ସେନା ଓ ଅର୍ଧ ସାମରିକ ବଳ ଲାଗି ଖୁବ୍‌ ଲାଭଜନକ ସାବ୍ୟସ୍ତ ହେବ। କାରଣ ଆତଙ୍କବାଦୀ, ମାଓବାଦୀ ଓ ଶତ୍ରୁପକ୍ଷ ବିଛାଇଥିବା ଲାଣ୍ଡମାଇନ ସଂପର୍କରେ ତାଜା ସୂଚନା ହାଇସିସ୍‌ ଉପଗ୍ରହ ପୂର୍ବରୁ ଜଣାଇଦେବ।
ପୃଥିବୀଠାରୁ ୬୦୦ କିଲୋମିଟର ଦୂରତାରେ ମହାକାଶରେ ବିଚରଣ କରୁଥିବା ଏହି ଉପଗ୍ରହରେ  ଅତ୍ୟନ୍ତ ଶକ୍ତିଶାଳୀ କ୍ୟାମେରା ଖଞ୍ଜାଯାଇଛି, ଯାହାକି  ‘ମାଇନ୍‌ ମ୍ୟାପିଂ’ କରିପାରିବ। ମାଟିର ୫ ସେଣ୍ଟିମିଟର ତଳେ ଥିବା ଲ୍ୟାଣ୍ଡମାଇନ୍‌କୁ ମଧ୍ୟ ଏହା ଠାବ କରିପାରିବ ବୋଲି ଆଇଆଇଟି ମାଡ୍ରାସର ପ୍ରଫେସର ଉଦୟ କେ ଖାନ୍‌ଖୋଜେ କହିଛନ୍ତି।
ଏଥିସହ ଏହି ଉପଗ୍ରହ ଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ଝରଣା ଏବଂ ଜଳାଶୟକୁ ଚିହ୍ନଟ କରି ଚିତ୍ର ପ୍ରେରଣ କରିପାରିବ। କୃଷି ଓ କୃଷକଙ୍କ ଲାଗି ହାଇସିସ୍‌ ମଧ୍ୟ ବେଶ୍‌ ଉପକାରୀ। କାରଣ ଏହାର ଶକ୍ତିଶାଳୀ କ୍ୟାମେରା ଫସଲର ଅବସ୍ଥା ସଂପର୍କରେ ସୂଚନା ଯୋଗାଇବ। ଯଦି ଫସଲ କୌଣସି ରୋଗ-ପୋକ ଦ୍ୱାରା ପ୍ରଭାବିତ ହେବ, ତେବେ ତାହା ହାଇସିସ୍‌ର କ୍ୟାମେରା ସୂଚିତ କରିବ।
ନଭେମ୍ବର ୨୯ରେ ପିଏସ୍‌ଏଲ୍‌ଭି-ସି୪୩ ରକେଟ୍‌ ଦ୍ୱାରା ପ୍ରେରିତ ହୋଇଥିବା ହାଇସିସ୍‌ ସଫଳ  ଭାବେ  କକ୍ଷପଥରେ ସ୍ଥାପିତ ହୋଇଛି।

Related Posts

About The Author

Add Comment