ଭିନ୍ନକ୍ଷମଙ୍କ ପାଇଁ ଦରଦ ଏମିତି : ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନରେ ମିଳୁନି ଶ୍ରବଣ ସହାୟକ ଯନ୍ତ୍ର

Spread the love

ଭୁବନେଶ୍ୱର 27/7(ସନ୍ଧାନ ନିୟୁଜ) : ରାଜ୍ୟରେ ଭିନ୍ନକ୍ଷମଙ୍କ ପ୍ରତି ଏମିତି ଦରଦ ଦେଖାଉଛନ୍ତି ରାଜ୍ୟ ସରକାର। ଗତ ୩ମାସ ହେବ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନରେ ବଧିର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରବଣ ସହାୟକ ଯନ୍ତ୍ର ମିଳୁନାହିଁ। ଏହି ସମୟ ମଧ୍ୟରେ ଶତାଧିକ ବଧିର ଲୋକ ଶ୍ରବଣ ଯନ୍ତ୍ର ନ ପାଇ ଫେରି ଯାଉଛନ୍ତି। ଏଥିରେ ଅନେକ ଶିଶୁ ମଧ୍ୟ ରହିଛନ୍ତି। ଖୋଦ୍‌ ରାଜଧାନୀରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ସୂଚନା ଦିଆଯାଇଛି। ଏହାସତ୍ୱେ ବଧିର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ରହିଛି ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ। ପ୍ରତିଷ୍ଠାନରେ ଶାରୀରିକ, ମାନସିକ, ଦୃଷ୍ଟିହୀନ, ଶ୍ରବଣ ଓ ବାକ୍‌ ବାଧିତ ଓ ମିଶ୍ରିତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପରୀକ୍ଷା କରାଯିବା ସହିତ ସାର୍ଟିଫିକେଟ୍‌ ଓ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯାଉଛି। ତେବେ ପ୍ରତିଷ୍ଠାନରେ ଗତ ୩ମାସରୁ ଅଧିକ ସମୟରେ ହେବ ବଧିର ଲୋକମାନଙ୍କ ଶ୍ରବଣ ଯନ୍ତ୍ର ଉପଲବ୍ଧ ନାହିଁ।

ପ୍ରତିଷ୍ଠାନରେ ବଧିର ବ୍ୟକ୍ତିମାନଙ୍କ ପାଇଁ ୩ପ୍ରକାରର ଶ୍ରବଣ ସହାୟକ ଯନ୍ତ୍ର ଦିଆଯାଉଛି। ୪୦-୬୦ପ୍ରତିଶତ ବଧିରଙ୍କୁ ମଧ୍ୟମ ଧରଣର ଶ୍ରବଣ ଯ ଦିଆଯାଉଥିବା ବେଳେ ୬୦-୯୦ପ୍ରତିଶତ ବଧିରଙ୍କୁ ଷ୍ଟ୍ରଙ୍ଗ ଓ ୯୦ପ୍ରତିଶତରୁ ଅଧିକ ବଧିରଙ୍କୁ ଏକ୍ସଟ୍ରା-ଷ୍ଟ୍ରଙ୍ଗ ଶ୍ରବଣ ଯନ୍ତ୍ର ଦିଆଯାଇଥାଏ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟମ ଓ ଏକ୍ସଟ୍ରା-ଷ୍ଟ୍ରଙ୍ଗ ଶ୍ରବଣ ଯନ୍ତ୍ର ସଂପୂର୍ଣ୍ଣଭାବେ ଶେଷ ହୋଇଯାଇଥିବା ବେଳେ ଷ୍ଟ୍ରଙ୍ଗରୁ କେବଳ ୪ଟି ଶ୍ରବଣ ଯନ୍ତ୍ର ରହିଛି। ପ୍ରତିଷ୍ଠାନରେ ୩୭ଟି ଶ୍ରବଣ ଯନ୍ତ୍ର ଥିବା ସମୟରେ ବିଭାଗକୁ ଏହି ଯନ୍ତ୍ର ଯୋଗାଇ ଦେବାକୁ କୁହାଯାଇଥିଲା। ଏହାର ଦାୟିତ୍ୱରେ ଥିବା ବ୍ୟକ୍ତି ଏପ୍ରିଲ ୩ତାରିଖରେ ବିଭାଗକୁ ଚିଠି ଲେଖିଥିଲେ। ଏଥିରେ ମଧ୍ୟମ ଧରଣର ଯନ୍ତ୍ର ୮୦, ଷ୍ଟ୍ରଙ୍ଗରୁ ୨ଶହ ଓ ଏକ୍ସଷ୍ଟ୍ରା-ଷ୍ଟ୍ରଙ୍ଗ ମେସିନ୍‌ରୁ ୧୫୦ଟି ଆସନ୍ତା ୧ବର୍ଷ ପାଇଁ ଚିଠିରେ ଉଲ୍ଲେଖ କରିଥିଲେ। ମାତ୍ର ବିଭାଗ ପକ୍ଷରୁ ମାତ୍ର ୪୧ଟି ଶ୍ରବଣ ଯନ୍ତ୍ର ଆଣିବା ପାଇଁ ଯୋଜନା ହୋଇଛି। ପ୍ରତିଷ୍ଠାନରେ ସପ୍ତାହକୁ ହାରାହାରି ୮/୧୦ଟି ଶ୍ରବଣ ବାଧକ ଯନ୍ତ୍ର ଦିଆଯାଉଥିବା ବେଳେ ବିଭାଗ ପକ୍ଷରୁ ଯେତିକି ପରିମାଣର ଯନ୍ତ୍ର କିଣାଯିବ ତାହା ଅତିକମ୍‌ରେ ୨ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ କାହିଁକି ଏତେ କମ୍‌ ପରିମାଣର ଶ୍ରବଣ ଯନ୍ତ୍ର କିଣିବା ପାଇଁ ବିଭାଗ ନିଷ୍ପତ୍ତି ନେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷରେ ଜିଲ୍ଲାସ୍ତରରେ ଥିବା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଖୋର୍ଧା, ଗଞ୍ଜାମ, ସମ୍ବଲପୁର, ମୟୂରଭଞ୍ଜ ଓ କନ୍ଧମାଳରେ ଏହି କେନ୍ଦ୍ର ରହିଛି। ମାତ୍ର ଅଧିକାଂଶ ପୁନର୍ବାସ କେନ୍ଦ୍ରରେ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଉ ନ ଥିବା ସୂଚନା ମିଳିଛି। ଯାହାଫଳରେ ଏସବୁ ଜିଲ୍ଲାଗୁଡ଼ିକରୁ ଭିନ୍ନକ୍ଷମ ବ୍ୟକ୍ତିମାନେ ରାଜଧାନୀକୁ ଆସୁଛନ୍ତି। ମାତ୍ର ରାଜଧାନୀରେ ମଧ୍ୟ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଉ ନ ଥିବାରୁ ନିରାଶ ହୋଇ ଫେରି ଯାଉଛନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିର୍ଦେଶକ(ଭାରପ୍ରାପ୍ତ) କୈଳାସ ଚନ୍ଦ୍ର ସାହୁ କହିଛନ୍ତି ଯେ, ପ୍ରତିଷ୍ଠାନରେ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଉଥିଲା। କାହିଁକି ଏବେ ମିଳୁନାହିଁ ସେ ସଂପର୍କରେ ବୁଝାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Related Posts

About The Author

Add Comment