ନୂଆଦିଲ୍ଲୀ,୧୬/୮ (ସନ୍ଧାନ ନିୟୁଜ) : ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଯଶସ୍ୱୀ କବି, କୁଶଳୀ ବକ୍ତା ତଥା ପ୍ରବୀଣ ରାଜନେତା ଅଟଳ ବିହାରୀ ବାଜପାୟୀଙ୍କ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟାର ଗତି କରୁଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଚଳିତ ବର୍ଷ ଜୁନ୍ ୧୧ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଏମ୍ସରେ ଚିକିତ୍ସାଧୀନ ଥିଲେ। ବାଜପେୟୀ ବୃକକରେ ସଂକ୍ରମଣ, ଛାତିରେ କଫ ଜମିବା ଓ ମୂତ୍ର ସଂକ୍ରମଣ ଭଳି ସମସ୍ୟା ଦେଇ ଗତି କରୁଥିଲେ। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସରେ ପହଞ୍ଚିବା ପରେ ଅଟଳ ବିହାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ିଥିବା ପ୍ରଚାର ହୋଇଥିଲା। ଗୁରୁବାର ସକାଳ ହସ୍ପିଟାଲ ବୁଲେଟିନ୍ରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା କୁହାଯାଇଥିଲା। ଗୁରୁବାର ସନ୍ଧ୍ୟା ୫ ଟା ୦୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ରାଜନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
ମଧ୍ୟପ୍ରଦେଶର ଗ୍ୱାଲିୟରରେ ୧୯୨୪ ଡିସେମ୍ବର ୨୫ତାରିଖରେ ଅଟଳ ବିହାରୀ ବାଜପେୟୀ ଜନ୍ମଲାଭ କରିଥିଲେ। ତାଙ୍କ ବାପା ପଣ୍ଡିତ କୃଷ୍ଣବିହାରୀ ବାଜପେୟୀ ଗ୍ୱାଲିୟରରେ ଅଧ୍ୟାପନା କରିବା ସହ ହିନ୍ଦୀ ଏବଂ ବ୍ରଜ ଭାଷାର ଖ୍ୟାତନାମା କବି ଥିଲେ। ହେଲେ ତାଙ୍କ ବାପା ଉତ୍ତରପ୍ରଦେଶ ଆଗ୍ରା ଜିଲା ବଟେଶ୍ୱର ଗ୍ରାମବର ମୂଳ ବାସିନ୍ଦା ଥିଲେ। ପ୍ରଖର ବକ୍ତା ଏବଂ କାବ୍ୟିକ ଗୁଣ ବଂଶାନୁକ୍ରମିକ ଭାବେ ପିତାଙ୍କଠାରୁ ପାଇଥିଲେ ସେ। ସ୍କୁଲ ସମୟରୁ ହିଁ ଭାଷଣ ଦେବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଛାତ୍ର ଜୀବନରୁ ଆର୍ଏସ୍ଏସ୍ର ସ୍ୱୟଂସେବକ ଭାବେ ରହିଆସିଥିବା ବାଜପେୟୀ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଜଡିତ ଥିଲେ। ରାଷ୍ଟ୍ରଧର୍ମ, ବୀର ଅର୍ଜୁନ ଆଦି ଦେଶପ୍ରେମ ସମ୍ବଳିତ ଏକାଧିକ ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱରେ ଥିଲେ ସେ। ଅବିବାହିତ ରହିବାର ନିଷ୍ପତ୍ତି ନେଇଥିବା ବାଜପେୟୀ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ ଏବଂ ୧୯୬୮ରୁ ୧୯୭୩ ମସିହା ଯାଏ ଏହାର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସିଥିଲେ। ୧୯୫୭ ଲୋକସଭା ନିର୍ବାଚନରେ ପ୍ରଥମ ଥର ଉତ୍ତରପ୍ରଦେଶର ବଳରାମପୁର ଆସନରୁ ଜନସଂଘ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ସଂସଦରେ ପହଞ୍ଚିଥିଲେ ସେ। ୧୯୫୭ରୁ ୧୯୭୭ ମସିହା ଯାଏ କ୍ରମାଗତ ଭାବେ ଜନସଂଘ ପକ୍ଷରୁ ସଂସଦୀୟ ଦଳର ନେତୃତ୍ୱ ନେଇଥିଲେ। ୧୯୭୭ ମସିହାରେ ପ୍ରଥମ ଥର ଜନତା ପାର୍ଟି ନେତୃତ୍ୱରେ ଅଣକଂଗ୍ରେସ ସରକାର ଗଠିତ ହୋଇଥିବା ବେଳେ ଏହାର ନେତୃତ୍ୱ ନେଇଥିଲେ ମୋରାରଜୀ ଦେଶାଇ। ସେତେବେଳେ ଅଟଳବିହାରୀ ବାଜପେୟୀ ବୈଦେଶିକ ମନ୍ତ୍ରୀ ଦାୟିତ୍ୱରେ ରହିଲେ। ୧୯୭୯ ଯାଏ ଏହି ପଦରେ ରହି ସାରା ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ ଏବଂ ବୈଦେଶିକ ମନ୍ତ୍ରୀ ଭାବେ ଜାତିସଂଘରେ ରାଷ୍ଟ୍ରଭାଷା ହିନ୍ଦୀରେ ଭାଷଣ ଦେବାରେ ଦେଶର ପ୍ରଥମ ବକ୍ତା ପାଲଟିଥିଲେ। ୧୯୮୦ ମସିହାରେ ଜନତା ପାର୍ଟି ଭାଙ୍ଗିବା ପରେ ବାଜପେୟୀ ନିଜ ସହଯୋଗୀ ନେତାମାନଙ୍କ ସହ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା କରି ଏହାର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ। ପ୍ରଥମ ଥର ୧୯୯୬ ମସିହାରେ ସେ ୧୩ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେଲେ। ଏହାପରେ ୧୯୯୮ ମାର୍ଚ୍ଚ ୧୯ରେ ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସହଯୋଗୀ ଦଳମାନେ ସମର୍ଥନ ପ୍ରତ୍ୟାହାର କରିବାରୁ ୧୩ମାସରେ ପୁଣି ୧୯୯୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥର ଅକ୍ଟୋବର ୧୩ତାରିଖରେ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ। ତାଙ୍କ ନେତୃତ୍ୱରେ ୧୩ଦଳୀୟ ଏନ୍ଡିଏ ସରକାର ପାଞ୍ଚବର୍ଷ ମଧ୍ୟରେ ପ୍ରଗତିର ବିଭିନ୍ନ ଦିଗ ସ୍ପର୍ଶ କରିଥିଲା। ପୋଖରାନ୍ ପରମାଣୁ ପରୀକ୍ଷଣ, ଦେଶର ସର୍ବବୃହତ ତଥା ବିଶ୍ୱର ପଞ୍ଚମ ବୃହତ୍ତମ ଜାତୀୟ ରାଜପଥ ପ୍ରକଳ୍ପ ସ୍ୱର୍ଣ୍ଣ ଚତୁର୍ଭୁଜ, ନଦୀ ସଂଯୋଗୀକରଣ ଯୋଜନା ଆଦି ବାଜପେୟୀଙ୍କ କଳ୍ପନାପ୍ରସୂତ।
‘ଛୋଟ ମନ ନେଇ କେହି ବଡ ହୋଇନାହିଁ, ଭଙ୍ଗା ମନ ନେଇ କେହି ଛିଡା ହୋଇନାହିଁ।’ କବିତାର ଏ ଯୁଗାନ୍ତକାରୀ ଭାବନାରେ ମାନବିକତାର ଶୀର୍ଷକୁ ଛୁଇଁବାର ପ୍ରେରଣା ଦେଇଛନ୍ତି ଅଟଳ ବିହାରୀ ବାଜପେୟୀ।