ଭାରତର ଐ୍ୟତିହ୍ୟ ଓ ପରମ୍ପରା ଅତ୍ୟନ୍ତ ଉନ୍ନତ ହେଲେ ହେଁ ଆଧୁନିକ କାଳର ଦେଶବାସୀ ସମଗ୍ର ଭାବରେ ସେହି ଐ୍ୟତିହ୍ୟ ଓ ପରମ୍ପରା ପ୍ରତି ସଚେତନ ଥିବାପରି ମନେହୁଏ ନାହିଁ । ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତର ସ୍ବାଧୀନତା ପ୍ରାପ୍ତି କେବଳ ଭାରତର ଇତିହାସରେ ନୁହେଁ । ସମଗ୍ର ବିଶ୍ୱର ଇତିହାସରେ ଏକ ମୁଖ୍ୟ ଘଟଣା । ଦୀର୍ଘ ଦିନର ପରାଧିନତା ପରେ ଭାରତର ସ୍ବାଧୀନତା ପ୍ରାପ୍ତିରେ ଭାରତବାସୀ ଓ ବିଶ୍ବର ଅନ୍ୟାନ୍ୟ ଦେଶର ସ୍ବାଧୀନତା ପ୍ରେମୀ ବ୍ୟକ୍ତିଗଣ ବିଶେଷ ଭାବରେ ଉଲ୍ଲସିତ ହୋଇଥିଲେ ,ଭାରତ ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାର୍ଥକ ହେଲା ଓ ଆଗାମୀ ଦିନରେ ସୁଖସ୍ବପ୍ନରେ ସେମାନେ ବିଭୋର ହୋଇ ପଡ଼ିଥିଲେ । ଦେଶର ଗଣତନ୍ତ୍ର ଶାସନରେ ଯେ ଉନ୍ନତିର ଶିଖରରେ ଉପନୀତ ହୋଇପାରିବ । ଏ ପ୍ରକାର ଆଶା ଏ ଦେଶବାସୀ ପୋଷଣ କରି ଆନନ୍ଦିତ ହୋଇଥିଲେ । ଭାରତର ସମ୍ବିଧାନ ବିଶ୍ବର ବହୁ ଉନ୍ନତ ରାଷ୍ଟ୍ରର ସମ୍ବିଧାନ ସହିତ ସମକଷ । ଏହାର ବୈଶିଷ୍ଟ୍ୟ ହେଉଛି ଏହା କୈାଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଧର୍ମ ମତବାଦ ବା ସଂପ୍ରଦାୟର ସୁବିଧା ଉପରେ ପ୍ରତିଷ୍ଠିତ ନୁହେଁ । ଏହି ଗଣତନ୍ତ୍ର ଏକ ଗୋଷ୍ଠୀ ନିରପେକ୍ଷ ସମ୍ବିଧାନ । ସବୁ ଧର୍ମମତବାଦୀକୁ ଏଥିରେ ସମାନ ଅଧିକାର ଦିଆଯାଇଛି । ଏବଂ ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କୁ କେବଳ ଅଧିକ ସୁଯୋଗ ଦିଆଯାଇଛି । ଭାରତୀୟ ସଭ୍ୟତା ଓ ସଂସ୍କୃତି ଯୁଗଯୁଗ ଧରି ନିରପେକ୍ଷ ନୀତିରେ ଓ ସହନଶୀଳ ରୀତିରେ ବିଶ୍ୱାସ କରାଯାଇଛି । ଭାରତର ସ୍ବାଧୀନତା ଲାଭ ପରେ ଦେଶର ସ୍ବାର୍ଥପ୍ରତି ଦୃଷ୍ଟି ନ ଦେଇ ଏ ଦେଶର ବ୍ୟକ୍ତିଗତ ସୁବିଧା ସୁଯୋଗ ପ୍ରତି ଯେପରି ଅଧିକାଂଶ ବ୍ୟକ୍ତି ଆକୃଷ୍ଠ ହୋଇପଡିଲେ ତାହା କୈାଣସି ସ୍ବାଧୀନ ଦେଶ ବା ଜାତିପକ୍ଷରେ ମଙ୍ଗଳମୟ ନୁହେଁ । ଯେଉଁମାନେ ଦେଶର ସ୍ବାଧୀନତା ନିମନ୍ତେ ସଂଗ୍ରାମ କରିଥିଲେ ସେମାନେ ତ୍ୟାଗର ଯେଉଁ ଉଜ୍ଜ୍ୱଳ ଉଦାହରଣ ଦେଖାଇଥିଲେ ତାହା ବହୁ ଅଂଶରେ ବ୍ୟାହତ ହେଲା । ଯେଉଁମାନେ ତ୍ୟାଗର ମନ୍ତ୍ରପାଠ କରିଥିଲେ ସେମାନେ ଭୋଗର ପଥରେ ଅଗ୍ରସର ହେଲେ । କ୍ଷମତାଲିପସା ସେମାନଙ୍କୁ କର୍ତ୍ତବ୍ୟ ପକ୍ଷରୁ ବିଚ୍ୟୁତ କଲା । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କ୍ଷମତା ଲାଭ ନିମନ୍ତେ ଯେଉଁ ସଂଗ୍ରାମ ହେଲା ତାହା ଦେଶବାସୀଙ୍କୁ ଆଦର୍ଶ ପରିବର୍ତ୍ତେ ଅନାଦର୍ଶର ଶିକ୍ଷା ଦେଲା ଧର୍ମ,ଜାତି,ଭାଷା ଏବଂ ପ୍ରାଦେଶିକତାକୁ କେନ୍ଦ୍ରକରି ଭାରତରେ ବହୁ ଅଶୋଭନୀୟ ଆନ୍ଦୋଳନର ସୂତ୍ରପାତ ହେଲା ଓ ଏହା ଦ୍ବାରା ବହୁ ଜାତୀୟ ସଂପତ୍ତି ନଷ୍ଟ ହେଲା ।
ଯେକୌଣସି ଦିନ ସାମ୍ବାଦପତ୍ର ଖୋଲିବା ମାତ୍ରେ ତହିଁରେ ଦେଶର ଆଭ୍ୟନ୍ତରୀଣ ବିବାଦ ବହୁ ସମ୍ବାଦ ପାଠକ ମାନଙ୍କ ଚକ୍ଷୁରେ ପଡ଼ିଥାଏ । ଭାରତର ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଲେହେଁ ତାର ଦେଶବାସୀଙ୍କ ମଧ୍ୟରେ ସଂପ୍ରଦାୟିକ ଗଣ୍ଡଗୋଳର ଅଭାବ ନାହିଁ । କୈାଣସି କୈାଣସି ରାଜ୍ୟରେ ସୀମା ବିବାଦ ମଧ୍ୟ ଦେଶର କମ୍ ଗଣ୍ଡଗୋଳର କାରଣ ହୋଇନାହିଁ । ସ୍ବତନ୍ତ୍ର ପଞ୍ଜାବ ବାଦୀ ଆନ୍ଦୋଳନ ଫଳରେ ୧୯୬୬ ମସିହାରେ ପଞ୍ଜାବ ଓ ହରିୟାନା ଦୁଇଗୋଟି ରାଜ୍ୟର ସୃଷ୍ଟି ହେଲା । ଭାରତରେ ଜାତୀୟତାକୁ ବଳି ଦେବା ଅର୍ଥ ବିଦେଶୀ ଶକ୍ତିକୁ ନିମନ୍ତ୍ରଣ କରି ନିଜଦେଶକୁ ଆଣିବା । ଏକ ସ୍ବାଧୀନ ଦେଶର ଏକ ରାଷ୍ଟ୍ର ଭାଷାକୁ ଭାରତର ରାଷ୍ଟ୍ରଭାଷା ଭାବରେ ଗ୍ରହଣ କରାଯାଇଛି । ଭାରତରେ ଗଣତନ୍ତ୍ରରେ ଆନ୍ଦୋଳନାତ୍ମକ ମନୋବୃତ୍ତି ସୃଷ୍ଟି ହେବାର ଏକମାତ୍ର କାରଣ ବିଭିନ୍ନ ରାଜନୈତିକ ଦଳମାନଙ୍କର କ୍ଷମତା ଲିପସା । ଗୋଟିଏ ନିର୍ବାଚନ ଶେଷ ହେଲେ ସେହି ନିର୍ବାଚନରେ ପ୍ରାର୍ଥୀମାନଙ୍କର ଅସଦାଚରଣ ବା ଅସତ୍ ଉପାୟ ଅବଲମ୍ବନ ବହୁ ଭାବରେ ସମାଲୋଚିତ ହେବାର ଦେଖାଯାଏ । ଏଥିପାଇଁ ବହୁସଂଖ୍ୟକ ନିର୍ବାଚନ ମୋକଦ୍ଦମା ଦାରେ ହେବାର ନଜର ଅଛି । ପ୍ରାର୍ଥୀମାନେ ସଂକୀର୍ଣ୍ଣ ସ୍ୱାର୍ଥର ବଶବର୍ତ୍ତୀ ହୋଇ ଅନ୍ୟାୟ କାର୍ଯ୍ୟ କରନ୍ତି ଏହାଦ୍ବାରା ସେମାନେ ଗଣତନ୍ତ୍ରର ପବିତ୍ରତାକୁ ନଷ୍ଟ କରିଥାନ୍ତି । ଏଥିପାଇଁ ଆମଦେଶର ଜନସାଧାରଣଙ୍କ ଅଜ୍ଞତା , ଜାତୀୟତା ଅଭାବ ଓ ଅଶିକ୍ଷା ସଂପୂର୍ଣ୍ଣ ଭାବେ ଦାୟୀ । ଜନସାଧାରଣଙ୍କ କର୍ତ୍ତବ୍ୟ ସଚେତନ ହେଲେ ଗଣତନ୍ତ୍ରର ମର୍ଯ୍ୟାଦା ଯଥାର୍ଥରେ ରକ୍ଷିତ ହୋଇପାରିବ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଜନସାଧାରଣଙ୍କୁ ବହୁ ପ୍ରକାର ଆଶ୍ବାସନାର ବାଣୀ ଶୁଣାଇ ନିଜେ ନିର୍ବାଚିତ ହେଲେ ଜନ ସାଧାରଣଙ୍କର କେତେକ ନିର୍ଦ୍ଦିଷ୍ଟ ଅଭାବ ପୂରଣ କରିବା ନିମନ୍ତେ ପ୍ରତିଶ୍ରୁତି ଦିଅନ୍ତି । ମାତ୍ର ନିର୍ଦ୍ଧାଚିତ ହେବାପରେ ସେ ପ୍ରକାର ପ୍ରତିଶ୍ରୁତି ରକ୍ଷାକରିବାତ ଦୂରର କଥା ଜନସାଧାରଣଙ୍କ ସ୍ବାର୍ଥ ଆଦୈ ଅବହିତ ରହନ୍ତି ନାହିଁ । ତେଣୁ କ୍ଷମତାସୀନ ଦଳ ପ୍ରତି ଜନସାଧାରଣଙ୍କର ଆସ୍ଥା ଅତି ସହଜରେ ତୁଟିଯାଏ । ଯାହା ଫଳରେ ଜନସାଧାରଣ ଓ ଜନସାଧାରଣଙ୍କର ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ କୈାଣସି ଉତ୍ତମ ବୁଝାମଣା ସମ୍ଭବ ହୁଏନାହିଁ । ଦେଶର ଜନସାଧାରଣଙ୍କୁ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ନ ଆଣିଲେ ଦେଶର ଏପ୍ରକାର ଦୂରବସ୍ଥା ଦୂର ହେବାର କୈାଣସି ଆଶା ନାହିଁ । ଭାରତର ସ୍ବାଧୀନତା ପ୍ରାପ୍ତିପରେ ଶିକ୍ଷାର ପ୍ରସାର ନାମରେ ବହୁ କମିଟି ,କମିଶନ ବସିଛି । ଶିକ୍ଷାର ଛାଞ୍ଚ ବଦଳାଇବା ବହୁ ପ୍ରଚେଷ୍ଟା ହୋଇଛି । ମାତ୍ର ଶିକ୍ଷାର ସ୍ବରୂପ ବଦଳି ନାହିଁ । ଇଂରେଜ ସରକାର ସମୟରେ ଶିକ୍ଷା ଯେପରି କେତେକ କର୍ମଚାରୀ ପଲିମର ମାଧ୍ୟମ ଥିଲା ,ଏବେ ତାହା କୈାଣସି ପରିବର୍ତ୍ତନ ହୋଇଛି ବୋଲି କୁହାଯାଇନପାରେ । ରାଜନୈତିକ ଦୃଷ୍ଟି କୋଣରୁ ଦେଶରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ଲାଭ କରିଅଛି ମାତ୍ର ଅଧୁନା ଶିକ୍ଷା ପ୍ରଣାଳୀର କୈାଣସି ଗୁଣଗାତ ପରିବର୍ତ୍ତନ ସମ୍ଭବ ହୋଇନାହିଁ । ଧନ୍ଦାମୂଳକ ଶିକ୍ଷା ଲାଗି ଜାତୀୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବହୁକଥା ଶୁଣାଯାଉଥିଲେ ମଧ୍ୟ ତାହା ଏକ ପ୍ରହସାନରେ ପରିଣତ ହୋଇଛି । ଏଥିପାଇଁ ଦେଶବାସୀ ତଥା କ୍ଷମତାସୀନ ରାଜନୈତିକ ଦଳର ଉଦାସୀନତା ବହୁ ପରିମାଣର ଦାୟୀ । ଦେଶର ବିଭିନ୍ନ କ୍ଷେତ୍ରରେ ଦେଖାଦେଇଥିବା ଦୁର୍ନୀତି କେତେକ ପରିମାଣରେ ଶିକ୍ଷା କ୍ଷେତ୍ରରେ କେତେ ପ୍ରକାର ଶିକ୍ଷାନୀତି ପ୍ରଚଳିତ ହେଉଛି ତାହା କିଛି ଠିକଣା ନାହିଁ । ଦେଶୀୟ ବିଦ୍ୟାଳୟ ସହିତ କେତେକ ବିଦେଶୀ ଭିତ୍ତିକ ବିଦ୍ୟାଳୟର ମିଶ୍ରଣ ଏବେ ମଧ୍ୟ ଆମଦେଶର ଶିକ୍ଷା , ଶିକ୍ଷକ ଓ ଅଭିଭାବକଙ୍କ ସମ୍ମୁଖରେ ସମସ୍ୟାର ପ୍ରଶ୍ନବାଚୀ ସୃଷ୍ଟି କରିଅଛି । ଭାରତର ସ୍ବାଧୀନତା ପ୍ରାପ୍ତିପରେ ଦେଶର ଶାସନ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗରେ ଉନ୍ନତିର ବହୁ ନୂତନ ପରୀକ୍ଷାର ସୂତ୍ରପାତ ହୋଇଥିଲେ ହେଁ କୈାଣସି କ୍ଷେତ୍ରରେ ସନ୍ତୋଷଜନକ ଅଗ୍ରଗତିର ଲକ୍ଷଣ ଦେଖାଯାଇନାହିଁ । ଏଥିପାଇଁ ଏ ଦେଶର ଜନସାଧାରଣ ତଥା ଶାସନ ବର୍ଗଙ୍କର ଏକ ନିଷ୍ଠ ଉଦ୍ୟମର ଅଭାବ ସଂପୂର୍ଣ୍ଣ ଭାବେ ଦାୟୀ । ଦେଶବାସୀ ପ୍ରତ୍ୟେକ କ୍ଷେତ୍ରରୁ ଯେବେ ଓଦାସୀନ ତ୍ୟାଗ ନ କରନ୍ତି ତେବେ ଦେଶର ଉନ୍ନତି ତଥା ଗଣତନ୍ତ୍ର ର ସୁରକ୍ଷା କେବେହେଲେ ସମ୍ଭବପର ସୋଇପାରିବନାହିଁ ।
ଭାରତର ଗଣତନ୍ତ୍ର ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ବିକଶିତ ରୂପ ଗ୍ରହଣ କରିପାରି ନାହିଁ । ଗଣତନ୍ତ୍ରକୁ ପ୍ରତିଷ୍ଠିତ ରୂପ ଗ୍ରହଣ କରିବା ପାଇଁ କିଛି ଅଧିକ ସମୟ ଲାଗିବ , ମାତ୍ର ଦେଶବାସୀ ଯେବେ ସେଥିପ୍ରତି ସଚେତନ ନ ରୁହନ୍ତି ତେବେ ଯେକୌଣସି ସମୟରେ ଗଣତନ୍ତ୍ରର ମୂଳଦୁଆ ଭୁଷୁଡି ପଡିବାର ଆଶଙ୍କା କରାଯାଇପାରେ । ଦେଶବାସୀ ସଚେତନ ହେଲେ । ସଂକୀର୍ଣ୍ଣ ସ୍ୱାର୍ଥ ତ୍ୟାଗକରି ଜାତୀୟ ଭାବଧାରାରେ ଅନୁପ୍ରାଣିତ ହେଲେ ଦେଶରେ ଗଣତନ୍ତ୍ରର ଭିତ୍ତି ସୁଦୃଢ ହେବ ଓ ଦେଶ ଉନ୍ନତିର ଚରମ ସୋପାନରେ ଉପନୀତ ହୋଇପାରିବ ।
ଲିଙ୍ଗରାଜ ପଣ୍ଡା
ଦେବେନ୍ଦ୍ରପୁର, ବାରିପଦା, ମୟୂରଭଞ୍ଜ