ବାପ-ମା’ ଛେଉଣ୍ଡ ଆଦିବାସୀ ପୂର୍ଣ୍ଣ ମୁଣ୍ଡା ଖୋଜୁଛନ୍ତି ବଞ୍ଚିବାର ରାହା; ଅନ୍ଧ, ମୂକ ଓ ବଧିର ହୋଇ ସରକାରୀ ସୁବିଧାରୁ ବଞ୍ଚିତ*

Spread the love

ଜେନାପୁର | ୨୭/୦୭ (ସନ୍ଧାନ ନ୍ୟୁଜ):ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ଜଟରାପାଳ ଗ୍ରାମରେ ବସବାସ କରୁଥିବା ୪୦ ବର୍ଷୀୟ ଆଦିବାସୀ ଯୁବକ ପୂର୍ଣ୍ଣ ମୁଣ୍ଡାଙ୍କ ଜୀବନ ଏବେ ଚରମ ଦୁର୍ଦ୍ଦଶାରେ କଟୁଛି। ଜନ୍ମରୁ ଅନ୍ଧ, ମୂକ ଓ ବଧିର ଥିବା ପୂର୍ଣ୍ଣ ନିଜର କୌଣସି କାମ ନିଜେ କରିପାରନ୍ତି ନାହିଁ। ବାପ-ମା’ଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାବେ ବଡ଼ ଭାଇଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି।

ପୂର୍ଣ୍ଣଙ୍କ ପିତା ପିତ ମୁଣ୍ଡା ଜଣେ ଦିନମଜୁରିଆ ଥିଲେ। ଅତ୍ୟନ୍ତ ଦାରିଦ୍ର୍ୟ ମଧ୍ୟରେ ସେ ନିଜ ସ୍ତ୍ରୀ ଓ ଆଠ ସନ୍ତାନଙ୍କୁ ନେଇ ସଂସାର ଚଳାଉଥିଲେ। ସେହି ଆଠ ସନ୍ତାନଙ୍କ ମଧ୍ୟରୁ ପୂର୍ଣ୍ଣ ଜନ୍ମରୁ ଦୃଷ୍ଟିହୀନ, ମୂକ ଓ ବଧିର ଥିଲେ। ପ୍ରଥମେ ମା’ ଏବଂ ପରେ ବାପାଙ୍କ ମୃତ୍ୟୁ ପରେ ପୂର୍ଣ୍ଣଙ୍କ ଜୀବନ ଆହୁରି ଅସହାୟ ହୋଇପଡ଼ିଛି।

ବର୍ତ୍ତମାନ ପୂର୍ଣ୍ଣ ବଡ଼ ଭାଇ ଦେବେନ୍ଦ୍ର ସିଂ ମୁଣ୍ଡାଙ୍କ ସହ ରହୁଛନ୍ତି। ଦେବେନ୍ଦ୍ର ଜଣେ ଦିନମଜୁରିଆ ହୋଇଥିବାରୁ ନିଜ ପରିବାର ଚଳାଇବା ସହ ପୂର୍ଣ୍ଣଙ୍କ ଦେଖାଶୁଣା କରିବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼ିଛି। ଘର ଅଭାବରୁ ପୂର୍ଣ୍ଣଙ୍କୁ ଅଧିକାଂଶ ସମୟ ଦାଣ୍ଡ ଦୁଆରେ ରହିବାକୁ ପଡ଼ୁଛି।

ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି, ୪୦ ବର୍ଷ ବୟସ ହୋଇଥିଲେ ମଧ୍ୟ ପୂର୍ଣ୍ଣ ଆଜିପର୍ଯ୍ୟନ୍ତ ଅନେକ ମୌଳିକ ସରକାରୀ ସୁବିଧାରୁ ବଞ୍ଚିତ। ସେ କେବଳ ମାସିକ ୧,୨୦୦ ଟଙ୍କା ଭତ୍ତା ପାଉଥିବା ବେଳେ ରାସନ କାର୍ଡରେ ନାମ ନଥିବାରୁ ଖାଦ୍ୟଶସ୍ୟ ପାଉନାହାନ୍ତି। ଏପର୍ଯ୍ୟନ୍ତ ତାଙ୍କର ଆଧାର କାର୍ଡ ମଧ୍ୟ ହୋଇନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ସେ ବଞ୍ଚିତ ରହିଛନ୍ତି। ଆବାସ ଯୋଜନାରେ ଘର ମଧ୍ୟ ମିଳିନାହିଁ।

ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ପ୍ରଶାସନ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ସୁବିଧା ପ୍ରଦାନ କରିବାର ନିର୍ଦ୍ଦେଶ ଥିଲେ ମଧ୍ୟ ପୂର୍ଣ୍ଣଙ୍କ କ୍ଷେତ୍ରରେ ସେପରି ପଦକ୍ଷେପ ଦେଖିବାକୁ ମିଳିନାହିଁ। ବଡ଼ ଭାଇ ଦେବେନ୍ଦ୍ର କୋହଭରା କଣ୍ଠରେ କହିଛନ୍ତି ଯେ, ନିଜ ପରିବାର ଚଳାଇବା ହିଁ କଷ୍ଟକର ହୋଇପଡ଼ିଥିବା ବେଳେ ଭିନ୍ନକ୍ଷମ ଭାଇଙ୍କ ଭରଣପୋଷଣ କରିବା ତାଙ୍କ ପାଇଁ ଅତ୍ୟନ୍ତ ଦୁର୍ହର ହୋଇପଡ଼ିଛି।

ଏଭଳି ପରିସ୍ଥିତିରେ ଜଟରାପାଳ ଗ୍ରାମବାସୀ ଓ ପଞ୍ଚାୟତବାସୀ ପ୍ରଶାସନଙ୍କୁ ପୂର୍ଣ୍ଣ ମୁଣ୍ଡାଙ୍କ ପାଇଁ ତୁରନ୍ତ ଆଧାର କାର୍ଡ, ରାସନ କାର୍ଡ, ଆବାସ ଯୋଜନାରେ ଘର ସମେତ ସମସ୍ତ ଯୋଗ୍ୟ ସରକାରୀ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି।

Related Posts

About The Author

Add Comment