ବାଘୁଆ ଛକ ନିକଟରେ ଜାତୀୟ ରାଜପଥରେ ନିର୍ମାଣାଧୀନ ରାସ୍ତା ଦବିଲା,ପୋଲର ସ୍ଥାୟୀତ୍ୱକୁ ନେଇ ଆଶଙ୍କା।

Spread the love

ଜେନାପୁର/୨୨/୧୦,(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାର ମୃତ୍ୟୁ ସଡ଼କ କୁହାଯାଉଥିବା ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ,ନିର୍ମାଣ କାର୍ଯ୍ୟ ଏବଂ ଦୈନିକ ଦୁର୍ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହୁଏ ତା ଠାରୁ ଅଧିକ ଚର୍ଚ୍ଚା ଏବଂ ଆଶଙ୍କା ସୃଷ୍ଟି କରିଛି ଏହାର ନିର୍ମାଣଧୀନ ରାସ୍ତା ଏବଂ ବିଭିନ୍ନ ସ୍ଥାନରେ ରହିଥିବା ଓଭର ବ୍ରିଜ ।ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଛକ ଠାରେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ବ୍ରିଜର ଦୁଇଟି ପାର୍ଶ୍ୱରେ ଥିବା ୱାଲରେ ସମ୍ପୂର୍ଣ୍ଣ ଭାବେ ତଳ ପର୍ଯ୍ୟନ୍ତ ଫାଟ ଦେଖିବାକୁ ମିଳିବା ସହିତ ସଂଯୋଗ କରୁଥିବା ରାସ୍ତା ମଧ୍ୟ ପ୍ରାୟ ୨ ଫୁଟ ତଳକୁ ଦବିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିବା ସହିତ ନିର୍ମାଣ ଦାଇତ୍ୱରେ ଥିବା ଠିକା ସଂସ୍ଥା ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଶାସନ ପକ୍ଷରୁ ଏହାକୁ ତଦାରଖ କରିବା ପାଇଁ କିମ୍ବା ଏହା ଉପରେ କୌଣସି ଦୃଷ୍ଟି ଦିଆ ଯାଉ ନାହିଁ ବୋଲି ଅତ୍ୟନ୍ତ ନିମ୍ନ ମାନର କାମ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। କେବଳ ଜିଲ୍ଲା ମୁଖ୍ୟାଳୟରେ ସମୀକ୍ଷା ବୈଠକ କରି ନିଜ ଦାଇତ୍ୱ ସାରିଛି ଯାଜପୁର ଜିଲ୍ଲା ପ୍ରଶାସନ।ତେବେ ବାଘୁଆ ଛକ ନିକଟରେ ବ୍ୟବହାର ହେବା ପୂର୍ବରୁ ନିର୍ମାଣ ସରିଥିବା ଏହି ଫ୍ଲାଏ ଓଭର ବ୍ରିଜ ଫାଟିବା ଘଟଣାକୁ ଲୋକ ଲୋଚନରୁ ଦୁରେଇ ଦେବା ତଥା ଘଟଣାକୁ ଚାପି ଦେବାକୁ ସମ୍ପୃକ ଠିକା ସଂସ୍ଥା ଜୋରରେ ଉଦ୍ୟମ କରୁଥିବା ଜଣାପଡିଛି। ଯଦି ବ୍ୟବହାର ପୂର୍ବରୁ ଏହାର ଅବସ୍ଥା ଏମିତି ତେବେ ପରବର୍ତ୍ତୀ ସମୟରେ ଏହା ଲୋକଙ୍କ ଜୀବନ ନେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନ ପାରେ। ଗତ ୯ ବର୍ଷ ଧରି ଏହି ଜାତୀୟ ରାଜପଥ ସମ୍ପ୍ରସାରଣକୁ ନେଇ ଅଡ଼ୁଆରେ ଛନ୍ଦି ହୋଇଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପାଇଁ ନିମ୍ନ ମାନର କାର୍ଯ୍ୟ ହୋଇଥିବା ସ୍ପଷ୍ଟ ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ମୁହଁ ଖୋଲି ନାହାଁନ୍ତି। ଅନ୍ୟ ପକ୍ଷରୁ ଠିକା ସଂସ୍ଥା କରୁଥିବା କାମ ଠାରୁ ଅଧିକ ଟଙ୍କା ହାତେଇ ନେଇଥିବା ଶୁଣିବାକୁ ମିଳୁଛି। ଯଦି ଠିକା ସଂସ୍ଥାକୁ ତାଗିତ କରାଯାଏ ତେବେ ନେଇଥିବା ଅଧିକ ପରିମାଣର ଟଙ୍କା ଆଉ କାଳେ ନ ଫେରାଇବ ସେଥିପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଚୁପ ବସିଛନ୍ତି।କେବଳ ଫ୍ଲାଏ ଓଭର ବ୍ରିଜ ଫାଟିବା ନୁହେଁ ଏହାକୁ ସଂଯୋଗ କରୁଥିବା ରାସ୍ତା ପ୍ରାୟ ୨ ଫୁଟ ପର୍ଯ୍ୟନ୍ତ ଦବି ଯାଇଥିବା ଦେଖିବାକୁ ମିଳିଛି। ଦବିଥିବା ସ୍ଥାନରେ ଫାଟ ହୋଇ ଏହାର ଭିତର ପଟ ଫମ୍ପା ଦେଖା ଯାଉଛି। ଯଦି ଏହା ଉପରେ କେହି ମୋଟର ସାଇକେଲରେ ମଧ୍ୟ ଯିବା ପାଇଁ ଚେଷ୍ଟା କରିବ ତେବେ ସେ ନିଶ୍ଚିତ ଦୁର୍ଘଟଣାଗ୍ରସ୍ତ ହେବ ଏଥିରେ କୌଣସି ସନ୍ଦେହ ନାହିଁ। କେବଳ ବାଘୁଆ ଛକ ନୁହେଁ ବାଲିସାହି, ଚଢ଼େଇଧରା, ବରଡ଼ା ଆଦି ବିଭିନ୍ନ ସ୍ଥାନରେ ରାସ୍ତା ଦବିଯାଇଥିବା ଦେଖିବାକୁ ମିଳିଛି। ନିର୍ମାଣ ସରିବା ପୂର୍ବରୁ ରାସ୍ତା ଦବିବା,ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ଏବଂ ଫ୍ଲାଏ ଓଭର ବ୍ରିଜ ରେ ଫାଟ ସୃଷ୍ଟି ହେବା ରାସ୍ତା କାର୍ଯ୍ୟରେ ବ୍ୟବହାର ହୋଇଥିବା ନିମ୍ନ ମାନର ମାଟେରିଆଲ ଏବଂ ଦୁର୍ନୀତିକୁ ପ୍ରମାଣ କରୁଛି। ଯାହା ଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଅନ୍ୟ ପଟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ କୁ ନେଇ ବାରମ୍ବାର ସମୟ ଗଡୁଛି। ଏହି ରାସ୍ତାକୁ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଗତ ୪ ତାରିଖରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଏନେଇ ଏକ କମିଟି ପ୍ରସ୍ତୁତ କରି ତୁରନ୍ତ ଅନୁଧାନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ଦୂରାବସ୍ଥା ପାଇଁ ସଡ଼କ ଦୁର୍ଘଟଣା ଘଟି ଜୀବନ ଯିବା ଅତ୍ୟନ୍ତ ଅମାନବୀୟ ଲୋକଙ୍କ ଏଭଳି ଗୁରୁତର ସମସ୍ୟା ସହ ଖେଳିବାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ କର କହିଥିଲେ।ଏହି ଅସନ୍ତୋଷ ନେଇ ଉଦ୍‌ବେଗ ପ୍ରକାଶ ସହ ନ‌ଭେମ୍ବର ଶେଷ ସୁଦ୍ଧା ଲୋକଙ୍କ ଗମନା ଗମନ ପାଇଁ ଭଲ ରାସ୍ତା କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ତେବେ ବାଘୁଆ ଛକ ନିକଟରେ ଫ୍ଲାଏ ଓଭର ବ୍ରିଜରେ ଫାଟ ସୃଷ୍ଟି ହେବା ଏବଂ ରାସ୍ତା ଦବି ଯିବା କୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜନସାଧାରଣ ଦାବି କରିଛନ୍ତି।

Related Posts

About The Author

Add Comment