ବଡଚଣା ଡାକ୍ତରଖାନାରେ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ
ବଡଚଣା,୧୬.୭(ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ): ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିମାଇଁ ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଏହି ପକ୍ଷ ଗତ ୧୧ ତାରିଖରୁ ବିଭିନ୍ନ ଗ୍ରାମରେ ଆରମ୍ଭ କରାଯାଇଛି । ପ୍ରଚାର ମାଧ୍ୟମରେ ପ୍ରତ୍ୟେକ ଗ୍ରାମ,ଛକ,ବସଷ୍ଟାଣ୍ଡ,ରେଳ ଷ୍ଟେସନ ଆଦି ଜନଗହଳି ପୁର୍ଣ୍ଣ ସ୍ଥାନ ମାନଙ୍କରେ ଜନ ସଂଖ୍ୟା ନିୟନ୍ତ୍ରଣ କିପରି କରାଯାଇ ପାରିବ ସେ ବିଷୟରେ ବିଭିନ୍ନ ସଚେତନତା ବାର୍ତ୍ତା ମାଇକ ଦ୍ୱାରା କରାଯାଉଛି । ମା’ ମାନଙ୍କ ନିକଟରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଉପକାରିତା ଏବଂ ଏହା ଦ୍ୱାରା କିପରି ଜନ ସଂଖ୍ୟା ନିୟନ୍ତ୍ରଣ କରାଯାଇ ପାରିବ ଆଦି ସଚେତନତା କାର୍ଯ୍ୟକ୍ରମ ଗ୍ରାମ ମାନଙ୍କରେ ନିୟୋଜିତ ଥିବା ଏ.ଏନ.ଏମ ଓ ଆଶାଙ୍କ ଦ୍ୱାରା କରାଯାଉଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଜଣାଯାଇଛି । ଏହି ବୈଠକରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁ,ବିପିଏମ ଗୌତମ ସାମଲଙ୍କ ସମେତ ସୁପରଭାଇଜର,ମହିଳା ଓ ପୁରୁଷ ଏ.ଏନ.ଏମ,ଆଶା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ପକ୍ଷର ଆଗାମୀ ବୈଠକ ଆସନ୍ତା ୧୮ ଓ ୨୩ ତାରିଖରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହେବ ବୋଲି ଡାକ୍ତର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
Related Posts
About The Author