ଫାଶୀ ପୂର୍ବରୁ ମଦନ ଲାଲ ଧୀଙ୍ଗ୍ରାଙ୍କ ଚିଠି…

Spread the love
ବଡ଼ ସମ୍ପନ୍ନ ପରିବାରର ମଦନଲାଲ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ସେ ସ୍ୱାତନ୍ତ୍ର୍ୟ ବୀର ବିନାୟକ ଦାମୋଦର ସାବରକରଙ୍କ ସଂସ୍ପର୍ଶରେ ଆସିଥିଲେ। ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଜଳିଲା। ୧୮୫୭ ରେ ସ୍ୱାଧୀନତା ପାଇଁ ଯେଉଁ ସଂଗ୍ରାମ ସାରା ଦେଶରେ ହୋଇଥିଲା, ତାକୁ ପଚାଶ ବର୍ଷ ପୂରିଥିଲା। ସେଇ ଉପଲକ୍ଷେ ସ୍ୱର୍ଣ୍ଣ ଜୟନ୍ତୀ ମହା ଆଡ଼ମ୍ବରରେ ପାଳନ କରାଯାଉଥିଲା। ତା ପାଇଁ ମଦନଲାଲ ଦିନ ରାତି ଏକ କରିଦେଇଥିଲେ। ସେତେବେଳେ କର୍ଜନ ବାଇଲ ଇଣ୍ଡିଆ ହାଉସରେ ଯେତେ ଲୋକ ରହୁଥିଲେ, ତାଙ୍କ ପଛରେ ଗୁପ୍ତଚର ଲଗା ଯାଇଥିଲା। ଧୀଙ୍ଗ୍ରା ନିଶ୍ଚୟ କଲେ ତା କୁକର୍ମର ଉତ୍ତର ଦେବା ପାଇଁ।
୧ ଜୁଲାଇ ୧୯୦୯ ରେ ଲଣ୍ଡନର ଜାହାଙ୍ଗିର ହଲରେ ନେସନାଲ ଇଣ୍ଡିଆନ ଏସୋସିଏସନର ବାର୍ଷିକ ବୈଠକ ଓ ଭୋଜି ଆୟୋଜନ କରାଯାଇଥିଲା। କର୍ଜନ ବାଇଲ ସେଠାକୁ ଆସିବାର ଥିଲା। ମଦନଲାଲ ବି ସଜବାଜ ହୋଇ ସେଠି ପହଞ୍ଚିଲେ। ବାଇଲ ଆସିବା ମାତ୍ରେ ତାଙ୍କୁ ସ୍ବାଗତ କରିବା ପାଇଁ ସେ ତୁରନ୍ତ ଆଗେଇ ଆସିଲେ। ବାଇଲ ମଦନଲାଲ ସହ କର ମିଳାଇବା ପାଇଁ ଆଗେଇ ଆସୁଥିବା ବେଳେ ମଦନଲାଲ ନିଜ ପକେଟରୁ ପିସ୍ତଲ ଖୋଲି ଗୋଟି ଗୋଟି କରି ତିନିଟି ଗୁଳି କଲେ ତାଙ୍କ ଛାତିରେ। ଇଂରେଜର ଗୁଇନ୍ଦା ସେଇଠି ଶେଷ ହୋଇଗଲା।
ଧୀଙ୍ଗ୍ରାଙ୍କ ପକେଟରେ ଦେଶବାସୀଙ୍କ ନାମରେ ଏକ ଚିଠି ଥିଲା। ତାହାର ଏକ ନକଲ ସେ ସାବରକରଙ୍କୁ ଦେଇଥିଲେ। ପୋଲିସ ସେହି ଚିଠିକୁ ନଷ୍ଟ କରିଦେଲା। ତାଙ୍କ ଉପରେ ମକଦ୍ଦମା ଚଳାଇଲା। ମାତ୍ର ୨୫ ଦିନରେ ଏ ମକଦ୍ଦମାର ନିର୍ଣ୍ଣୟ ହୋଇଗଲା। ମଦନଲାଲଙ୍କୁ ପୁରସ୍କାର ମିଳିଲା ଫାଶୀ। ଆଜିର ଦିନ ଅର୍ଥାତ ୧୭ ଅଗଷ୍ଟ ବି ସ୍ଥିର ହୋଇଗଲା ଫାଶୀର ତିଥି। ବୀର ସାବରକର ବଡ଼ ଚତୁରତାର ସହ ଧୀଙ୍ଗ୍ରାଙ୍କ ପତ୍ର ଦୁନିଆର ପ୍ରମୁଖ ଖବରକାଗଜକୁ ଦେଇ ଦେଇଥିଲେ। ୧୬ ଅଗଷ୍ଟରେ ୟୁରୋପ ଓ ଆମେରିକାର ଖବରକାଗଜ ମାନଙ୍କରେ ଧୀଙ୍ଗ୍ରାଙ୍କର ଏ ପତ୍ର ପ୍ରକାଶିତ ହୋଇଥିଲା।
ଆସନ୍ତୁ ପଢ଼ିବା ସେ ଚିଠିରେ କ’ଣ ଲେଖିଥିଲେ ମଦନଲାଲ –
ମୋର ପ୍ରିୟ ଦେଶବାସୀ ଗଣ,
ମୁଁ ଏହା ସ୍ୱୀକାର କରୁଛି ଯେ ମୁଁ ଏକ ଇଂରେଜର ରକ୍ତ ବୁହାଇଛି, କାରଣ ମୁଁ ସ୍ଥିର କରିଥିଲି ଭାରତୀୟ ଦେଶଭକ୍ତ ଯୁବକମାନଙ୍କୁ ଯେଉଁ ଅମାନବୀୟ ଫାଶୀ ଚଢ଼ା ଚାଲିଛି, ସେମାନଙ୍କୁ ଯେପରି ଆଜୀବନ କଳାପାଣିରେ ଷଢ଼ା ଯିବାର ଦଣ୍ଡ ଦିଆ ଯାଉଛି, ତାହାର ପ୍ରତିଶୋଧ ନେବି।
ଏହି ଚେଷ୍ଟାରେ ମୁଁ ମୋର ଅନ୍ତରାତ୍ମା ବ୍ୟତୀତ ଆଉ କାହାରି ପରାମର୍ଶ ନେଇନାହିଁ। ନିଜ କର୍ତ୍ତବ୍ୟ କରିବା ବ୍ୟତୀତ ଏଥିରେ ଆଉ କାହାରି ଭାଗିଦାରୀ କରି ନାହିଁ।
ମୋର ବିଶ୍ୱାସ ଯେ ଯେଉଁ ଦେଶକୁ କଠୋରତାର ସହ ବଳପୂର୍ବକ ବନ୍ଦୀ କରି ରଖାଯାଏ, ସେ ସର୍ବଦା ସ୍ୱାଧୀନ ହେବା ପାଇଁ ଲଢୁଥାଏ। ଯେଉଁ ଦେଶରୁ ହତିଆର ଛଡ଼ାଇ ନିଆଯାଏ, ସେ ଦେଶ ଖୋଲା ଖୋଲି ଲଢ଼େଇ କରିପାରିବ ନାହିଁ। ସେଥିପାଇଁ ମୁଁ ଆକସ୍ମିକ ଭାବେ ଲଢ଼େଇ କଲି। ମୋତେ ବନ୍ଧୁକ ରଖିବାକୁ ମନା ଥିଲା। ଏଥିପାଇଁ ମୁଁ ପିସ୍ତଲ ଚଳାଇ ଆକ୍ରମଣ କଲି।
ହିନ୍ଦୁ ହୋଇଥିବାରୁ ମୁଁ ବିଶ୍ବାସ କରୁଛି ଯେ ମୋ ଦେଶ ପ୍ରତି କରାଯାଇଥିବା ଅପରାଧ ଈଶ୍ୱରଙ୍କ ଅପମାନ ଅଟେ। ମୋର ମାତୃଭୂମିର କାର୍ଯ୍ୟ ହିଁ ଭଗବାନ ରାମଙ୍କ କାର୍ଯ୍ୟ ଅଟେ। ମାତୃଭୂମିର ସେବା ହିଁ ଭଗବାନ ଶ୍ରୀକୃଷ୍ଣଙ୍କ ସେବା ଅଟେ। ମୋ ଭଳି ଧନହୀନ ଓ ବୁଦ୍ଧିହୀନ ବ୍ୟକ୍ତି ପାଖରେ ନିଜ ରକ୍ତ ଛଡ଼ା ଆଉ କ’ଣ ଅଛି ମାତୃଭୂମିକୁ ଅର୍ପଣ କରିବା ପାଇଁ ??? ଏଥିପାଇଁ ମୁଁ ମାଆଙ୍କୁ ମୋର ରକ୍ତାଞ୍ଜଳି ଅର୍ପଣ କରୁଛି।
ଭାରତବର୍ଷର ଲୋକଙ୍କୁ ବର୍ତ୍ତମାନ ଗୋଟିଏ କଥା ଶିଖିବାର ଅଛି ତାହା ହେଉଛି ମୃତ୍ୟୁକୁ ଆଲିଙ୍ଗନ କିପରି କରିବା, ଏହା ନିଜର ଉଦାହରଣ ଦେଇ ହିଁ ଶିଖାଇ ହେବ। ସେଥିପାଇଁ ମୁଁ ନିଜେ ମୃତ୍ୟୁକୁ ଆଲିଙ୍ଗନ କରି ଦେଖାଇଲି। ମୋର ବଳିଦାନ ପାଇଁ ମୁଁ ଗର୍ବିତ।
ଏହି ଶିକ୍ଷା ସେ ପର୍ଯ୍ୟନ୍ତ ଚାଲୁ ରହିବ ଯେ ପର୍ଯ୍ୟନ୍ତ ଏ ସଂସାରରେ ହିନ୍ଦୁ ଓ ଇଂରେଜ ଜାତିର ଅସ୍ତିତ୍ୱ ଥିବ।
ଈଶ୍ୱରଙ୍କୁ ମୋର ଗୋଟିଏ ପ୍ରାର୍ଥନା, ସେ ମୋତେ ଆଉ ଥରେ ଭାରତ ମାତାଙ୍କ କୋଳରେ ନୂଆ ଜୀବନ ଦିଅନ୍ତୁ। ମୋର ଏଇ ଜୀବନ ମଧ୍ୟ ଭାରତ ମାତାଙ୍କ ସ୍ବାଧୀନତାର ପବିତ୍ର କାର୍ଯ୍ୟ ପାଇଁ ସମର୍ପିତ। ମୋର ଜନ୍ମ ଓ ବଳିଦାନର ଏହି ପର୍ବ ସେତେଦିନ ଚାଲୁଥାଉ ଯେ ପର୍ଯ୍ୟନ୍ତ ଭାରତ ସ୍ୱାଧୀନ ନ ହୋଇଛି। ମୋ ଜନ୍ମଭୂମିର ସ୍ୱାଧୀନତା ମାନବତାର ହିତ ଚିନ୍ତନ ଓ ପରମ ପିତା ପରମେଶ୍ବରଙ୍କ ଗୌରବ ସମ୍ବର୍ଦ୍ଧନ ପାଇଁ ଉଦ୍ଦିଷ୍ଟ।

Related Posts

About The Author

Add Comment