ପୋଲିସ ଫାସରେ ଫସିଗଲା ଚୋର

Spread the love
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା,10.02.2021 (ସନ୍ଧାନ ନିଉଜ୍):-    ପୋଲିସ ଫାସରେ ଫସିଗଲା ଚୋର । ଚାକିରି ଲୋଭରେ ଧରା ପଡିଗଲା । ଭିନ୍ନ ଏକ କୌଶଳରେ ଗହଣା ଦୋକାନ ଚୋରି ଘଟଣାରେ ଜଣେ ଚୋରକୁ ପଟ୍ଟାମୁଣ୍ଡାଇ ଥାନା ପୋଲିସ ବାନ୍ଧିଛି । ଚୋରି ହେବାର ପ୍ରାୟ ସପ୍ତାହକ ପରେ ସିସିଟିଭି ଫୁଟେଜ୍‌ ଆଧାରରେ ଚୋରକୁ ଚିହ୍ନଟ କରି କୌଶଳରେ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଚୋର ସହ ବନ୍ଧୁତା ବାନ୍ଧି ଚାକିରି କରାଇଦେବାର ବାହାନା କରି ତାକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗ୍ରାମର ଭରତ ଦାସ । ସେ ଗହଣା ଦୋକାନରୁ ଅଳଙ୍କାର ଚୋରି କରି ଖସିଯାଇଥିଲା । ଭାବିଥିଲା କେହି ଧରିପାରିବେନି । ଆରାମସେ ପୋଲିସକୁ ଚକମା ଦେବ । ଚୋରି ଅଳଙ୍କାରକୁ ବିକ୍ରି କରି ମଉଜ କରିବ । କିନ୍ତୁ ସିସିଟିଭି ଫୁଟେଜ୍‌ ଓ ତାର ଅତି ଚାଲାକି ଗୁଣ ତାକୁ ଧରା ପକାଇଦେଇଛି । ପୋଲିସ ବି ଚୋରକୁ ଧରିବା ଲାଗି ବୁଦ୍ଧି ଖଟାଇ ଏକ ସଂସ୍ଥାରେ ଚାକିରି ଦେବାକୁ କହି ଡାକି ଆଣିଲା । ଆଉ ତାଠାରୁ ଚୋରି ବାବଦ ତଥ୍ୟ ଆଦାୟ କରିବା ପାଇଁ ଇଣ୍ଟରଭ୍ୟୁ କରାଇବାର ଯୋଜନା କଲା । ଇଣ୍ଟରଭ୍ୟୁ ଛଳରେ ଚୋର ଧରିବାର କିଭଳି କୌଶଳ ସେ ଜାଣିଛି ତାର ପରୀକ୍ଷା କରାଇଲା । ଯେମିତି ସେ ସ୍କାଇଲାଇଟ୍‌ ତାଡ଼ି ଘର ଭିତରକୁ ପଶିପାରୁଛି କି ନାହିଁ । ଅନ୍ଧାର ରାତିରେ ଯଦି ଘର ଭିତରକୁ ପଶି ପାରୁଛି ତେବେ ଘରେ କଣସବୁ ଅଛି ସେ ବିଷୟରେ ଜାଣିବାକୁ ତାପାଖରେ ବିଶେଷ କିଛି କଳା ଅଛି କି ନାହିଁ । ଅତି ଛୋଟବାଟ ଦେଇ କୌଣସି ଘରୁ କିଭଳି ବାହାରକୁ ପଳାଇ ଆସିପାରିବ ସେନେଇ ବିଭିନ୍ନ ପ୍ରଶ୍ନ ପଚାରି ଥିଲା । ଯେମିତି ଢଙ୍ଗରେ ଚୋର ଦୋକାନରେ ପଶି ଚୋରି କରିଥିଲା ଓ ତାହା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି ତାହାର ରିହରସାଲ୍‌ କରିଥିଲା । ପୋଲିସର ଏଭଳି ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିଲା ଚୋର । ଏଣୁ ଅଳଙ୍କାର ଚୋରି ଘଟଣାରେ ସେ ହିଁ ସମ୍ପୃକ୍ତ ବୋଲି ଜଣାପଡ଼ିବା ପରେ ପୋଲିସ ତାକୁ ବାନ୍ଧିବା ସହ ତାଠାରୁ ଚୋରି ହୋଇଥିବା ପ୍ରାୟ ୮୦ ଗ୍ରାମ ଓଜନର ୧୩ଟି ସୁନାମୁଦିକୁ ଜବତ କରାଯାଇଛି । ପୋଲିସର ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ରହିଛି ପ୍ରସାଦ ଜୁଏଲାରୀ। ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗ୍ରାମର ଭରତ ଦାସ ନାମକ ଦୁର୍ବୃତ୍ତ ଏଠାରୁ ଗହଣା ଚୋରି କରିବ ବୋଲି ଟାର୍ଗେଟ୍‌ କରିଥିଲା । ସେ ଗତ ସପ୍ତାହରେ ଦୋକାନ ସ୍କାଇଲାଇଟ୍‌ ଭାଙ୍ଗି ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଖସି ପଳାଇଥିଲା । ଦୋକାନ ମାଲିକ ଜଗବନ୍ଧୁ କୁଣ୍ଡ ପଟ୍ଟମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଦେଖି ଚୋର ଭରତ ଦାସ ବୋଲି ସନ୍ଦେହ କରିଥିଲା । କିନ୍ତୁ ସ୍ପଷ୍ଟ ହୋଇ ପାରି ନ ଥିଲା । କାରଣ ଭରତ ଖୋଲା ଦେହରେ ଅର୍ଥାତ କେବଳ ପ୍ୟାଣ୍ଟ୍‌ ପିନ୍ଧି ଓ ଏକ ଗାମୁଛା ଧରି ଚୋରି କରିଥିଲା । ଯଦିଓ ଭରତ ନାଁରେ ପୂର୍ବରୁ ଅପରାଧିକ ମାମଲା ଥାନାରେ ରହିଛି । ତେଣୁ ଭରତକୁ ଧରିବା ଲାଗି ଚାକିରି ଯୋଗାଇ ଦେବାର କୌଶଳ ପାଞ୍ଚିଥିଲା ପୋଲିସ । କୌଣସି ଏକ ସଂସ୍ଥାରେ ଚାକିରି ମିଳିବ ବୋଲି କହି ତାସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିଥିଲା । ଯେମିତି ଭରତର କୌଣସି ସନ୍ଦେହ ନହେବ । ତାପରେ ଚାକିରି ପାଇବାକୁ ହେଲେ କଣ କରିବାକୁ ପଡ଼ିବ ତାହା ସିସିଟିଭି ଫୁଟେଜ ଆଧାରରେ ପରୀକ୍ଷା କରିଥିଲା । ଇଣ୍ଟରଭ୍ୟୁ କରିଥିଲା । ସବୁକିଛି ସିସିଟିଭି ଫୁଟେଜ୍‌ ସହ ଖାପ ଖାଇବାରୁ ପୋଲିସ ଭରତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଠାରୁ ଅଳଙ୍କାର ଜବତ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts

About The Author

Add Comment