ନୂଆ ତାଳଜଙ୍ଗ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ସମାପ୍ତ

Spread the love

ଜେନାପୁର /୩୦/୪/(ସନ୍ଧାନ ନ୍ୟୁଜ ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ନୂଆ ତାଳଜଙ୍ଗ ଗ୍ରାମରେ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି।

ଚଳିତ ମେଷ ବୈଶାଖ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି ଅନୁସାରେ ଗତ ଇଂରାଜୀ ୨୬/୦୪/୨୦୨୬ (ସୋମବାର) ଠାରୁ ୨୯/୦୪/୨୦୨୬ (ବୁଧବାର) ପର୍ଯ୍ୟନ୍ତ ଏହି ତିନି ଦିନିଆ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା। ଏଥିରେ ଅଙ୍କୁରା ରୋପଣ, କୁଣ୍ଡ ମଣ୍ଡଳ ନିର୍ମାଣ, ଧାନ୍ୟାଧିବାସ ଆଦି ଶାସ୍ତ୍ରୀୟ ବିଧି ବିଧାନ କରାଯାଇଥିଲା

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଭବ୍ୟ କଳସ ଯାତ୍ରା। ବ୍ରାହ୍ମଣୀ ନଦୀରୁ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ କଳସରେ ଜଳ ଆଣି ବାଜା, ବାଣ, ଡିଜେ ଓ ସଂକୀର୍ତ୍ତନର ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ପରେ ପରେ କଳସ ମଣ୍ଡପ ପ୍ରବେଶ, ଅଗ୍ନି ସଂଯୋଗ, ମଣ୍ଡଳାଦି ପୂଜା, ଆହୁତି ପ୍ରଦାନ, ବେଦପାଠ ଏବଂ ହନୁମାନ ଚାଳିଶା ପଠନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

ଧାର୍ମିକ ରୀତିନୀତି ସହ ଭକ୍ତଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଥିମଧ୍ୟରେ:

​ପ୍ରତିଷ୍ଠିତ କଳାକାରଙ୍କ ଦ୍ଵାରା ଭଜନ ପରିବେଷଣ

​ବାଡ଼ି ଖେଳ ଓ ଲୋକ କଳା ପ୍ରଦର୍ଶନ

​ଆଧ୍ୟାତ୍ମିକ ପ୍ରବଚନ ଓ ସଂକୀର୍ତ୍ତନ

ଶ୍ରଦ୍ଧାଳୁଙ୍କ ପାଇଁ ଦିବା ରାତ୍ର ଆନନ୍ଦ ବଜାର ଖୋଲା ରହିଥିଲା, ଯେଉଁଠାରେ ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ପ୍ରସାଦ ସେବନ କରିଥିଲେ। ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକେ ଯୋଗଦେଇ ହନୁମାନଙ୍କ ଦର୍ଶନ କରିବା ସହ ପୁଣ୍ୟ ଅର୍ଜନ କରିଥିଲେ।

​ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ନୂଆ ତାଳଜଙ୍ଗ ଗ୍ରାମର ସମସ୍ତ ସଭ୍ୟ ଓ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷ ଦିନରେ ମନ୍ଦିର ଶିଖର ସ୍ନାନ ଓ ପୂର୍ଣ୍ଣାହୁତି ସହ ଉତ୍ସବର ସାଙ୍ଗ ହୋଇଥିଲା।

 

 

 

Related Posts

About The Author

Add Comment