ନିର୍ବାଚନ ପୂର୍ବରୁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ଉପହାର

Spread the love

ମୁମ୍ବାଇ, ୧୯/୨ (ସନ୍ଧାନ ନିଉଜ) : ମୋଦୀ ସରକାରଙ୍କୁ ନିର୍ବାଚନ ପୂର୍ବରୁ ବଡ଼ ଧରଣର ଉପହାର ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଆଜିର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୋଟିଏ ବର୍ଷ ଭିତରେ ରିଜର୍ଭ ବ୍ୟାଙ୍କ ଠାରୁ ରେକର୍ଡ ପରିମାଣର ପାଣ୍ଠି ହାତେଇବାରେ ସରକାର ସଫଳ ହୋଇଛନ୍ତି।
ଚଳିତ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ପୂର୍ବରୁ ୪୦ ହଜାର କୋଟି ଟଙ୍କା ଦେଇଥିଲା। ଏବେ ଆଉ ୨୮ ହଜାର କୋଟି ଟଙ୍କାର ଲାଭାଂଶ ଦେବ। ମୋଟ ଉପରେ ୨୦୧୮-୧୯ ପାଇଁ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ୬୮ ହଜାର କୋଟି ଟଙ୍କା ପାଇବେ। ଏହା ପୂର୍ବରୁ କୌଣସି ଗୋଟିଏ ବର୍ଷ ଭିତରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଏତେ ଟଙ୍କା ଦେଇନଥିଲା। ଶେଷ ଥର ପାଇଁ ୨୦୧୪-୧୫ ଏବଂ ୨୦୧୫-୧୬ ଆର୍ଥିକ ବର୍ଷରେ ୬୫,୮୯୬ କୋଟି ଟଙ୍କା ଲେଖାଏଁ ପାଣ୍ଠି ରିଜର୍ଭ ବ୍ୟାଙ୍କ ହସ୍ତାନ୍ତର କରିଥିଲା। ୨୦୧୬-୧୭ରେ ଏହା ୫୦ ହଜାର କୋଟି ଟଙ୍କା ଦେଇଥିଲା।
କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଅନ୍ତରୀଣ ଲାଭାଂଶ ପ୍ରଦାନ କରିବାକୁ ଯାଉଛି। ତାହା ପୁଣି ଧାର୍ଯ୍ୟ ସମୟ ପୂର୍ବରୁ ଦେବ। ନିର୍ବାଚନ ପୂର୍ବରୁ ସରକାରଙ୍କୁ ଲାଭାଂଶ ଦେବା ନିଷ୍ପତ୍ତି ନେଇ ରିଜର୍ଭ ବ୍ୟାଙ୍କ ତୁର୍କୀ ଢାଞ୍ଚାକୁ ଅନୁକରଣ କରିଛି। ତୁର୍କୀରେ ମୁନିସିପାଲିଟି ନିର୍ବାଚନ ପୂର୍ବରୁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କୁ ପାଣ୍ଠି ସହାୟତା ପ୍ରଦାନ କରିଥିଲା।
ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ସରକାରଙ୍କ ପାଇଁ ପାଣ୍ଠି ବହୁତ ଦରକାର ଥିଲା। ଏଥର ବଜେଟ୍‌ରେ ମଧ୍ୟ ସରକାର ଅନେକ ମନଲୋଭା ଘୋଷଣା କରିଛନ୍ତି, ‌ଯେଉଁଥିପାଇଁ ବିପୁଳ ପାଣ୍ଠିର ଆବଶ୍ୟକତା ରହିଛି। ସେହି ପାଣ୍ଠି ଅଭାବକୁ ପୂରଣ କରିବା ପାଇଁ ଅନ୍ତରୀଣ ଲାଭାଂଶ ଦେବାକୁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ଚାପ ପକାଉଥିଲେ। ଲାଭାଂଶ ବାବଦରେ ଅଧିକ ଟଙ୍କା ମାଗିଥିଲେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ଙ୍କ ଇସ୍ତଫାର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି।
ଗତବର୍ଷ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୧୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦିଆଯାଇଥିଲା। ଚଳିତ ବର୍ଷ ୨୮ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଅଡିଟ୍ ସମୀକ୍ଷା ଏବଂ ଇକୋନୋମି କ୍ୟାପିଟାଲ୍ ଫ୍ରେମ୍‌ୱର୍କ ଆଧାରରେ ଅନ୍ତରୀଣ ଲାଭାଂଶ ହିସାବ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଆଜି ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଉଦ୍‌ବୋଧନ ଦେଇଥିଲେ। ସେ ବ୍ୟାଙ୍କ ମିଶ୍ରଣ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବେଳେ ରେପୋ ହାର କମ କରିଥିବା ବେଳେ ବ୍ୟାଙ୍କଗୁଡ଼ିକ ସେହି ଅନୁସାରେ ନିଜର ଋଣ ସୁଧ ହାର କମ୍ କରିନାହାନ୍ତି। ସେ ବିଷୟରେ ଆଲୋଚନା କରିବା ପାଇଁ ଚଳିତ ମାସ ୨୧ ତାରିଖରେ ବ୍ୟାଙ୍କ ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି ଶକ୍ତିକାନ୍ତ କହିଛନ୍ତି।

Related Posts

About The Author

Add Comment