ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜଧାନୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ସମୀରଙ୍କ ସହ ତାଙ୍କର ଅନେକ କର୍ମୀ ମଧ୍ୟ ବିଜେପିରେ ମିଶିଛନ୍ତି । ବିଜେପିରେ ସାମିଲ ହେବା ପରେ ସମୀର ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି, ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି । ନେତୃତ୍ୱର ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି । ମୋଦୀ ଆତ୍ମବିଶ୍ୱାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି । ମୋଦୀ କେବଳ କୁହନ୍ତିନି, କାର୍ଯ୍ୟରେ ବି କରି କି ଦେଖାନ୍ତି । ସମୀର କହିଛନ୍ତି, ନିମାପଡାରେ ପ୍ରଭାତୀ ପରିଡାଙ୍କ ବିଜୟକୁ କେହି ଅଟକାଇ ପାରିବେ ନାହିଁ । ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ନିଷ୍ଠାର ସହ ତୁଲାଇବି । ନିର୍ବାଚନ ପାଇଁ ଏବଂ ନିର୍ବାଚନ ପରେ ଯେଉଁ ଦାୟିତ୍ୱ ମିଳିବ ତୁଲାଇବି ।ସମୀରଙ୍କ ପରି ବରିଷ୍ଠ ନେତା ବିଜେପିରେ ମିଶିବା ବିଜେଡିକୁ ଶକ୍ତ ଝଟକା ଲାଗିଛି । କାରଣ କେବଳ ନିମାପଡା ନୁହେଁ, କାକଟପୁରରେ ମଧ୍ୟ ସମୀରଙ୍କ ଦବଦବା ରହିଛି । ସେଠି ତାଙ୍କର ସଂଗଠନ ମଧ୍ୟ ବେଶ ମଜବୁତ ରହିଛି । ସେଥିପାଇଁ ବିଜେଡିରୁ ଟିକେଟ୍ ନ ମିଳିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢନ୍ତୁ ବୋଲି ତାଙ୍କର କର୍ମୀ ଓ ସମର୍ଥକ ଦାବି କରୁଥିଲ । ଏବେ ଏହି ସବୁ ଅଞ୍ଚଳରେ ବିଜେଡିକୁ ମୁସ୍କିଲରେ ପକାଇ ପାରନ୍ତି ସମୀର । ଏମିତି ହେଲେ ଜଗତସିଂହପୁର ଲୋକସଭା ସିଟକୁ ବିଜେଡି ହରାଇପାରେ ବୋଲି କୁହାଯାଉଛି । ସମୀରଙ୍କ ସମର୍ଥକ ଏବଂ ସମୀରଙ୍କ ଏମିତି ଆଭିମୁଖ୍ୟ ବିଜେଡିକୁ ଅକଳରେ ପକାଇପାରେ ।
ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ବିଜୟକୁ କେହି ଅଟକାଇ ପାରିବେ ନାହିଁ: ସମୀର ଦାଶ
|
May 20, 2024 |