ନାଲି ଫିତା ତଳେ ସରକାରୀ ନିୟମ!  ବଢୁଛି ପଲିଥିନର ବ୍ୟବହାର, ପ୍ରଶାସନ ଦୃଷ୍ଟିପଡୁ?

Spread the love

ରାଉରକେଲା, ୧୨/୧୨ (ସନ୍ଧାନ ନିଉଜ) : ସହରକୁ ପଲିଥିନ ମୁକ୍ତ ରଖିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଜନସଚେତନତା ରାଲି କରାଯାଉଛି । ପଲିଥିନ ବ୍ୟବହାରକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମ କରାଯାଇଥିଲେ ସୁଦ୍ଧା, ପଲିଥିନର ବହୁଳ ବ୍ୟବହାର ବଢିବାରେ ଲାଗିଛି । ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ହେଉ କିମ୍ବା ଅବହେଳା, ସବୁ ନିୟମ କାନୁନ କେବଳ ନଥିପତ୍ରରେ ଶୋଭା ପାଉଛି । ନାଲିଫିତା ତଳେ ସରକାରୀ ନିୟମ ରହିବାପରି ସ୍ପଷ୍ଟ ବାରି ହୋଇ ପଡୁଛି । ଦକ୍ଷିଣ ରାଉରକେଲାରେ ଖୋଲାଖୋଲି ଚାଲିଛି ପଲିଥିନ ବ୍ୟବହାର । ପାନ ଦୋକାନ ହେଉ କି, ସପିଂ ମଲ, ସବୁଠାରେ ଦେଖିବାକୁ ମିଳୁଛି ପଲିଥିନର ବହୁଳ ବ୍ୟବହାର । ସାରନଗରୀ ଅଂଚଳ ଅର୍ନ୍ତଗତ ପ୍ରତ୍ୟେକ ଗଳି, ମୁଖ୍ୟରାସ୍ତା, ଜନବସତି ଅଂଚଳ, ହସପିଟାଲ ତଥା ମଡର୍ଣ୍ଣ ଇଣ୍ଡିଆ, ସୁପର ମାର୍କେଟ, ଜଲଦା, ଇ ବ୍ଲକ, ରଙ୍ଗିଲା ଛକ ଆଦି ନିକଟରେ କୁଢ କୁଢ ପଲିଥିନ ପଡି ରହିଥିବା ଦେଖିବାକୁ ମିଳୁଛି । ପଲିଥିନର ମାତ୍ରାଧିକ ବ୍ୟବହାର ଫଳରେ  ପରିବେଶ ଦୂଷିତ ହେଉଛି, ଯାହାର କୁପ୍ରଭାବ ମଣିଷ ଉପରେ ପଡୁଛି । ପଲିଥିନର ବ୍ୟବହାର ନେଇ ପ୍ରଶାସନିକ ପଦକ୍ଷେପ କିନ୍ତୁ ଶୂନ ରହୁଛି । ଫଳରେ ପଲିଥିନ ବ୍ୟବହାର ବୃଦ୍ଧି ପାଉଛି ସିନା, କମିବାର ନାଁ ନେଉନାହିଁ । ପଲିଥିନ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୪ ମସିହାରେ ନିୟମ କରାଯାଇଛି । ନିୟମାନୁସାରେ, କୌଣସି ବ୍ୟକ୍ତି ୨୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ବ୍ୟବହାର କରି ପାରିବେ ନାହିଁ । ବିଶେଷ କରି ଦୋକାନୀମାନେ ଏଭଳି ପଲିଥିନ ବ୍ୟବହାରରୁ ବିରତ ରହିବା ବାଧ୍ୟତାମୂଳକ । ଏହାର ଖିଲାପକାରୀଙ୍କ ବିରୋଧରେ ଜରିମାନାର ବ୍ୟବସ୍ଥା ରହିଥିବା ନିୟମରେ ଦର୍ଶାଯାଇଛି । କିନ୍ତୁ ଏହି ନିୟମକ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ରଙ୍ଗର ପଲିଥିନରେ ପରିବା,ସାମଗ୍ରୀ ନେବା ଆଣିବା କରାଯାଉଛି । ରଙ୍ଗୀନ ପଲିଥିନରେ ଖାଦ୍ୟ ସାମଗ୍ରୀ ଆଣିବା ଦ୍ୱାରା କ୍ୟାନସର ତଥା ମାରାତ୍ମକ ରୋଗକୁ ଏଡାଇ ଦିଆଯାଇ ନପାରେ । ଏହାର ପ୍ରତିକାର ପାଇଁ ପ୍ରଶାସନ କିମ୍ବା ରାଉରକେଲା ମହାନଗର ନିଗମର ପଦକ୍ଷେପ ଶୂନ ରହୁଛି । ବ୍ୟବହୃତ ପଲିଥିନ ଗୁଡିକୁ ରାସ୍ତା କଡରେ, ଡ୍ରେନରେ ପିଙ୍ଗୁଛନ୍ତି ଜନସାଧାରଣ ।ପଲିଥିନ ସହଜରେ ମାଟିରେ ମିଶୁ ନଥିବାରୁ ଦୀର୍ଘଦୀନ ଧରି ଗୋଟିଏ ସ୍ଥାନରେ ପଡି ରହୁଛି । ଏହାକୁ ସଫା କରା ନଯିବାରୁ ସଂପୃକ୍ତ ଅଂଚଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।  ଏତଦ୍ବ୍ୟତୀତ ରାସ୍ତା କଡରେ ପଡିଥିବା ପଲିଥିନ ଗୁଡିକୁ ବୁଲା ଗାଈ ଓ କୁକୁର ଖାଇବା ଯୋଗୁ ସହଜରେ ହଜମ କରି ନପାରି ବେଳେ ବେଳେ ମୃତ୍ୟୁମୁଖରେ ପଡୁଛନ୍ତି । କାଗଜ ଠୁଙ୍ଗା  ତଥା ପରିବେଶ ଉପଯୋଗୀ ପଲିଥିନ ବ୍ୟବହାର ବାଧ୍ୟତାମୂଳକ ମଧ୍ୟ କରାଯାଉନି ।ଦକ୍ଷିଣ ରାଉରକେଲାରେ ପଲିଥିନର ବହୁଳ ବ୍ୟବହାର ଫଳରେ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

Related Posts

About The Author

Add Comment