ଧର୍ମଶାଳା ୨୩/୬(ସନ୍ଧାନ ନିୟୁଜ୍)- ଧର୍ମଶାଳା ତହସିଲ ଓ ସାଲେପୁରର ରାଜସ୍ୱ ନିରୀକ୍ଷକ ଅଧିକାରୀଙ୍କ ଅଧିନରେ ଦିନକୁ ଦିନ ବେଆଇନ ବାଲି ଚାଲାଣ ତୀବ୍ର ଗତିରେ ବୃଦ୍ଧି ପାଇ ଚାଲିଥିବାବେଳେ ସବୁ ନିୟମ କାନୁନକୁ ବାଦ ଦେଇ ମନଇଛା ଖୋଲାମେଲାରେ ବାଲି ପରିବହନ କରାଯାଉଛି । ଯାହା ଦ୍ୱାରା ନଦୀବନ୍ଧ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହେବା ସହ ଖୋଲା ଡାଲାରେ ବାଲି ବୋଝେଇ ଗ୍ାଡି ରାସ୍ତାରେ ଚାଲିଥିବାର ବାଲି ଉଡି ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣଙ୍କୁ ନାକେଦମ କରୁଛନ୍ତି । ପ୍ରଶାସନକୁ ଅବଗତ କରାଗଲେ ମଧ୍ୟ -କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ଏହି ତହସିଲ ଅନ୍ତର୍ଗତ କଦମପାଳ, ଭଗବାନପୁର, ଅରାବଳ, ପଟୁଣିଆ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ କିଛି ବାଲି ମାଫିଆ ବେଆଇନ ଭାବେ ବାଲି ଚୋରା ଚାଲାଣ କରିବା ଦ୍ୱାରା ନଦୀଗର୍ଭ ଅସମତଳ ହେଉଛି ।ଏହିସବୁ ଘାଟରୁ ପ୍ରତ୍ୟେହ ଶହ ଶହ ଟ୍ରିପ ବାଲି ଗାଁ ରାସ୍ତା ଦେଇ ମୁଖ୍ୟ ସଡକରେ ଚାଲାଣ କରାଯାଉଛି । ପରିବହନ କରୁଥିବା ସମୟରେ ଗାଡିଗୁଡିକ ଡାଲାରେ କୌଣସି ପାଲ ପକାଉ ନାହାନ୍ତି ।
ବ୍ୟସ୍ତବହୁଳ ଯାଜପୁର ଓ କୃଷ୍ଣଦାସପୁର ରାସ୍ତାର ରମାପୁର ଠାରୁ ଅରେଇକଣା ପର୍ଯ୍ୟନ୍ତ ପରିବହନ କରୁଛନ୍ତି । ଫଳରେ ଗାଡି ଗୁଡିକ ରାସ୍ତାରେ ଯାଉଥବା ସମୟରେ ସେଥିରୁ ବାଲି ଉଡି ରାସ୍ତାରେ ଯାତାୟତ କରୁଥିବା ସ୍କୁଲ ଛାତ୍ରଛାତ୍ରୀ ସମେତ ସାଧାରଣ ଜନତା ତଥା ବୟସ୍କ ଲୋକଙ୍କ ଆଖୀରେ ବାଲିପଡି ଆଖି ଯନ୍ତ୍ରଣା ହେବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ପ୍ରଭାବଶାଳି ବାଲିମାଫିଆଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଉ ନାହିଁ । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।