ଧର୍ମଶାଳାର ବନ୍ୟାଞ୍ଚଳ ସମସ୍ୟା ନେଇ ବିଷଦଗାର କଲେ ସତୀଶ ବିଶ୍ୱାଳ

Spread the love
  •  
  •  
  •  
  •  
  •  

ଯାଜପୁର,୧୭/୦୯ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆ, ପାଟପୁର, କୋତପୁର , ଅରେଇକଣା, ମିର୍ଜାପୁର, କଂଟିଗଡିଆ ଆଦି ପଂଚାୟତରେ ପ୍ରତି ବର୍ଷ ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହେଉଛି । ବନ୍ୟା ପ୍ରତିରୋଧ ପାଇଁ କୌଣସି ମାଷ୍ଟରପ୍ଲାନ କରାଯାଉ ନାହିଁ । କେବଳ ରାଜନୈତିକ ଇଛାଶକ୍ତିର ଅଭାବ ପାଇଁ ଧର୍ମଶାଳାର ଏହି ବନ୍ୟାଞ୍ଚଳ ଲୋକଙ୍କ ଧନ ଓ ଜୀବନ ପ୍ରତିବର୍ଷ ବିପନ୍ନ ହେଉଛି ବୋଲି ବିଷଦଗାର କରିଛନ୍ତି ବି.ଜେ.ଡି ନେତା ସତୀଶ ବିଶ୍ୱାଳ । ସତୀଶଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ଏହି ଅଞ୍ଚଳ ଗ୍ରସ୍ତ କରି କେଲୁଅ ନଦୀର ବନ୍ୟାରେ ସର୍ବସ୍ୱ ହରାଇଥିବା ଚାଷୀ ଓ ସାଧାରଣ ଜନତାଙ୍କୁ ଭେଟିଥିଲେ । ଏହାପରେ ସତୀଶ କହିଛନ୍ତି ଯେ, ଏହିସବୁ ଅଞ୍ଚଳରେ ବନ୍ୟାଜଳକୁ ରୋକାଯିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଗଲେ ଏହାର ସଫଳ ରୂପାୟନ ହୋଇପାରିବ । ନବୀନ ପଟ୍ଟନାୟକଙ୍କ ସରକାର ଚାଷୀ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା ପାଇଁ ସଂପୂର୍ଣ୍ଣ ଯତ୍ନବାନ ରହିଛି । ହେଲେ ଧର୍ମଶାଳାରେ ଏହାର ସଫଳ ରୂପାୟନ ହୋଇ ପାରୁନାହିଁ । ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ସଫଳ ରୂପାୟନ ଏବଂ ଧର୍ମଶାଳାର ସ୍ୱାର୍ଥରକ୍ଷା ପାଇଁ ଏଭଳି ରାଜନୈତିକ ସ୍ଥାଣୁତା ଓ ଅପାରଗତାର ପ୍ରତିବାଦ କରିବାକୁ ପଡିବ । କେବଳ ଠିକାଦାର ସର୍ବସ୍ୱ କାର୍ଯ୍ୟ ଚାଲିଥିବାରୁ ଅନେକ ସ୍ଥାନରେ ନଦୀବନ୍ଧ ମରାମତି, ପଥର ପ୍ୟାକିଂ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଚାଲିଛି । ସେହିପରି କେତୋଟି ସ୍ଳଇସ ଗେଟ ପାଇଁ ମଧ୍ୟ ଚାଷୀମାନେ ଦୂରାବସ୍ଥ ଭୋଗୁଥିବା ବେଳେ ଉକ୍ତ କାର୍ଯ୍ୟ କରାଯାଉ ନାହିଁ । ରାଜନୀତିର ବ୍ୟବସାୟୀ କରଣ ପାଇଁ ଲୋକ ସମସ୍ୟାକୁ ଗୁରୁତ୍ୱ ଦିଆଯାଉ ନାହିଁ । ସାନରାଇପଡାରେ କେଲୁଅ ନଦୀବନ୍ଧ ପଥରପ୍ୟାକିଂ କାର୍ଯ୍ୟରେ ଆଖିବୁଜା ଦୁର୍ନିତି ହୋଇଥିବାରୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ଅଞ୍ଚଳରେ କେତେକ ଘେରିବନ୍ଧକୁ ସଂପୂର୍ଣ୍ଣ କରନଯାଇ ଅଧାଗଢା କରାଯାଇ ରଖାଯାଇଛି । ସେଥିପାଇଁ ଭଗବାନପୁର ଏବଂ ସାନ ନିହ ନଙ୍ଗରା ପାଟରେ ପ୍ରତିବର୍ଷ ଫସଲ ନଷ୍ଟ ହେଉଛି । ପଟୁଣିଆ, ପାଟପୁର ପରି ପଂଚାୟତରେ ବନ୍ୟାରେ ପ୍ରତିବର୍ଷ କ୍ଷତି ଅତ୍ୟନ୍ତ ଉଦବେଗ ଜନକ ସ୍ଥିତିରେ ପହଂଚିଛି । ଏବେ ଧାନ ଜମିରେ ପାଚିଲା ଧାନ ଯେପରି ଭାବେ ବନ୍ୟାଜଳ ଭିତରେ ରହି ପଚିଗଲା, ତାହା ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ପଟୁଣିଆ ପରି ପଂଚାୟତର ପ୍ରତ୍ୟେକ ଗ୍ରାମର ଚାଷୀ ତାର ସର୍ବସ୍ୱ ହରାଇବା ପରେ ବି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀକୁ ଆବଶ୍ୟକ କ୍ଷତି ପୂରଣ ବିଧି ଅନୁସାରେ ପ୍ରଦାନ କରାଯାଉ ନାହିଁ । ଅନ୍ୟ ପଂଚାୟତ ଗୁଡିକରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି । ରାଜନୈତିକ ଆକ୍ରୋଶରେ ପ୍ରଶାସନିକ ଷଡଯନ୍ତ୍ର କରାଯାଇ ଏହିସବୁ ପଂଚାୟତର ଚାଷୀ ମାନଙ୍କ ପ୍ରତି ଏଭଳି ଅବିଚାରକୁ ଆଉ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ହେଲେ ଏହାର ପ୍ରତିବାଦରେ ବଡ ଧରଣର ଚାଷୀ ଆନେ୍ଦାଳନ କରାଯିବା ସହ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ ବୋଲି ସତୀଶ ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment