ଯାଜପୁର,୧/୧୨/୨୨(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଉନ୍ନୟନକାର୍ଯ୍ୟରେ ଟେଣ୍ଡର ଫିକ୍ସିଂ ଏବଂ ବ୍ୟାପକ ଦୁର୍ନିତି ଚାଲିଛି ।ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ହୋଇଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଦୁର୍ନିତି ସହ ଚାଷୀସ୍ୱାର୍ଥ ବ୍ୟାଘାତ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ।ଖବରରୁ ପ୍ରକାଶ, ଧର୍ମଶାଳା ବ୍ଲକର ଶାନ୍ତି ବଜାର ଠାରୁ ଅବଦନ ପର୍ଯ୍ୟନ୍ତ ୫ କିଲୋମିଟର ୪୧୦ ମିଟର ରାସ୍ତା ନିର୍ମାଣ ପାଇଁ ଓଡିଶା ସରକାରଙ୍କ ଠାରୁ ୬ କୋଟି ୪ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାିଛି । ଗ୍ରାମ୍ୟ ଉନ୍ନୟନ ବିଭାଜନ-୨, ଯାଜପୁର, ଯାରକା ଅଧୀନରେ ଥିବା ଏହି ରାସ୍ତାର ବ୍ୟୟ ଅଟକଳ ୫ କୋଟି ୭୫ ଲକ୍ଷ ଥିବା ବେଳେ ଏହାର ପାଂଚବର୍ଷ ରକ୍ଷଣା ବେକ୍ଷଣ ପାଇଁ ୨୯ ଲକ୍ଷ ୫୬ହଜାର ଟଙ୍କା ମଂଜୁର ହୋଇଛି । ଏମ/ଏସ କନଷ୍ଟ୍ରକ୍ସନ୍ ଏହି ରାସ୍ତା ନିର୍ମାଣ କରୁଥିବା ବେଳେ ରାସ୍ତା ନିର୍ମାଣରେ ଆଖିବୁଜା ଦୁର୍ନିତି ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶାନ୍ତିବଜାର ଠାରୁ ଚାନ୍ଦପୁର ପର୍ଯ୍ୟନ୍ତ ଯାଇଥିବା ୧୪ ନଂବର କେନାଲ ବନ୍ଧ ରାସ୍ତାର ପୁନଃ ନିର୍ମାଣ ପୂର୍ବରୁ ପୁରୁଣ ପିଚୁକୁ ରାସ୍ତାରୁ ଖୋଳା ଯାଇ ବାହାରେ ପକା ଯାଇନାହିଁ । ଠାଏ ଠାଏ ପୁରୁଣା ପିଚୁକୁ ଖୋଳା ଯାଇ ରାସ୍ତାରେ ପୁଣି ପକାଇ ବ୍ୟବହାର କରାଯାଇଛି । ଏହି ପୁରୁଣା ପିଚୁ ଉପରେ ପୁଣି ଡଷ୍ଟ ଏବଂ ମାଟି ଢାଳି ଦିଆଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ତେବେ ସତୀଶଙ୍କ ନେତୃତ୍ୱରେ ପ୍ରତିନିଧି ଦଳର ଗ୍ରସ୍ତ ପରେ ଡାଳିମ୍ବଘାଇ ଠାରୁ ଚାନ୍ଦପୁର ଅଭିମୁଖେ ଯାଇଥିବା ୫୦୦ ମିଟର ରାସ୍ତାରେ ଗୋଟିଏ ସ୍ତର ମେଟାଲିଂ କରାଯାଇଛି । ଗୋଗଳ ଠାରୁ ହାଳିମ୍ବଘାଇ ପର୍ଯ୍ୟନ୍ତ ରାସ୍ତାରେ ଦୁଇଟି ସ୍ତରର ମେଟାଲିଂ କରାଯାଇଛି । ରାସ୍ତା ନିର୍ମାଣର ଡିଜାଇନ ଅନୁସାରେ ରାସ୍ତାରେ ବିଭିନ୍ନ ସ୍ତରର କାର୍ଯ୍ୟ ଆଦୌ କରାଯାଇ ନାହିଁ । ରାସ୍ତା ନିର୍ମାଣରେ ପାଣି ଛିଂଚା ଯାଇ ଆଦୌ ରୋଲିଂ କରାଯଉ ନାହିଁ । ଅରଖପଦା ଗାଁକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାକୁ ଏହି ରାସ୍ତାର ସଂଯୋଗକୁ ମନୋମୁଖୀ ଭାବେ କାଟି ଦିଆଯାଇଛି । ଏଥିପାଇଁ ଗାଁର ଲୋକେ ନାହିଁ ନଥିବା ସମସ୍ୟର ସମ୍ମୁଖୀନ ହେଉଛନ୍ତି ।ରାସ୍ତାରେ ଆବଶ୍ୟକ ପରିମାଣର ମୋରମ ବ୍ୟବହାର କରାଯାଇ ନାହିଁ । ଡାଳିମ୍ବଘାଇ ନିକଟରେ ୫୦ ଟ୍ରିପ ମୋରମ ବ୍ୟବହାର କରାଯାଇଛି । ଏହି ମୋରମକୁ ନିକଟସ୍ଥ ପାହାଡରୁ ଲୁଟ କରାଯାଇଛି । ବ୍ୟାପକ ନିମ୍ନ ମାନର କାର୍ଯ୍ୟ ପାଇଁ ରାସ୍ତାଟି ନିର୍ମାଣ ନସରୁଣୁ ବିଭିନ୍ନ ସ୍ଥାନରେ ରାସ୍ତାରୁ କିଛି ଅଂଶ ଭାଙ୍ଗି ପଡିବା ସହ ରାସ୍ତା କଡକୁ ରାସ୍ତା ଧସି ତଳେ ପଡୁଥିବାର ଦେଖିବାକୁ ମିଳୁଛି । ଏହା କେନାଲ ବନ୍ଧ ରାସ୍ତା ହୋଇଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଗାଡି ପାର୍କିଂ ପାଇଁ ପାର୍କିଂ ସ୍ଥାନ କରାଯାଇ ଥିଲା । ଏହି ପାର୍କିଂ ସ୍ଥାନ ଗୁଡିକ ଭାଙ୍ଗି ଦିଆଯାଇ ଏଠାରେ ଥିବା ଶହ ଶହ ଟ୍ରିପ ମାଟିକୁ ଲୁଟ କରାଯାଇ ରାସ୍ତାରେ ବ୍ୟବହାର କରାଯାଉଛି । ଫଳରେ ରାସ୍ତାରେ ପାର୍କିଂ ସ୍ଥାନ ନରହିବା ହେତୁ କୌଣସି ସ୍ଥାନରେ କେନାଲ ବନ୍ଧ ରାସ୍ତାରେ ଗାଡି ବୁଲାଇବା ସମସ୍ୟା ହେବ ବୋଲି ଜଣାପଡିଛି । ଏହି ରାସ୍ତା ନିର୍ମାଣରେ ବ୍ୟାପକ ଚାଷୀସ୍ୱାର୍ଥ ବ୍ୟାଘାତ କରାଯାଉଛି । ୧୪ ନଂବର କେନାଲର ଗୋଗଳ ଗାଁ ପରେ କେନାଲ ମଝିରୁ ମାଟି ଖୋଳା ଯାଇ ରାସ୍ତାରେ ବ୍ୟବହାର ହେଉଛି । ହେଲେ ଜଳସମ୍ପଦ ବିଭାଗ ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ
ନକରି ହାତବନ୍ଧି ବସିଛି । ଏଥିପାଇଁ କେନାଲରେ ଗୋଟିଏ ଅଂଶ ଅଧିକ ଗଭୀର ହେବା ଫଳରେ ବିଲକୁ ପାଣି ମାଡିବା ନେଇ ସମସ୍ୟା ସୃଷ୍ଟି ହୋଇଛି । କେତେକ ଚାଷୀ ଏଥିନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ଠିକାଦାରଙ୍କ ଲୋକମାନେ ଚାଷୀ ମାନଙ୍କୁ ଦଃୁବ୍ୟବହାର ପ୍ରଦର୍ଶନ କରିଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି ।
କେନାଲରୁ ଚାନ୍ଦପୁର ମଂଜାରୀକୁ ଥିବା ପାଣି ସୋଟକୁ ଠିକାସଂସ୍ଥା ମେନୋମୁଖୀ କାର୍ଯ୍ୟ କରି ବନ୍ଦ କରି ଦେଇଛି । ଏଠାରେ ରାସ୍ତାକୁ ଅଣ ଓସାରିଆ କରି ଦିଆଯାଇଛି । ଏଥିପାଇଁ ଚାନ୍ଦପୁର ମୌଜାରେ ଜମି ଥିବା ଚାଷୀମାନେ ଜମିକୁ ଜଳ ନପାଇ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି । ଲୋକଙ୍କ ଚାଷଜମି କଡରେ ଏବଂ ରାସ୍ତା କଡରେ ଥିବା ସରକାରୀ ଜମିରୁ ମାଟି ଉଠାଯିବା ଫଳରେ ଚାଷଜମିର ବ୍ୟାପକ କ୍ଷତି ହେଉଛି । ସତୀଶଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳକୁ ଚାଷୀମାନେ ନିମ୍ନ ମାନର ରାସ୍ତା କାର୍ଯ୍ୟ ଏବଂ ଫସଲ ନଷ୍ଟ ନେଇ ବୁଲାଇ ଦେଖାଇଥିଲେ । ବିଭାଗୀୟ ଉଚ୍ଚ ଅଧିକାରୀମାନେ ସରକାରୀ ଅର୍ଥର ସଦୁପଯୋଗ ଏବଂ ଚାଷୀ ସ୍ୱାର୍ଥକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସତୀଶ ଦାବି କରିଛନ୍ତି । ନଚେତ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ଦଳକୁ ବିଭିନ୍ନ ସମସ୍ୟା ନେଇ ସର୍ବଶ୍ରୀ ସନ୍ତୋଷ ଦାଶ, ସବ୍ୟସାଚୀ ସାହୁ, ଅର୍ଜୁନ ସାହୁ, ବୁଦ୍ଧିରାମ ବରାଳ, ଧର୍ମେନ୍ଦ୍ର ସାହୁ, ତପନ ବରାଳ, ଗୟାଧର ଦଳାଇ ପ୍ରମୁଖ ବିଭିନ୍ନ ସମସ୍ୟା ନେଇ ଅବଗତ
କରାଇଥିଲେ ।
ଧର୍ମଶାଳାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଦୁର୍ନିତି ଓ ଚାଷୀସ୍ୱାର୍ଥ ବ୍ୟାଘାତ
|
December 1, 2022 |



