ଦେଶର ୬୦୦ ଜିଲ୍ଲାର ଚାଷୀଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Spread the love

– ଚାଷୀ ରାଷ୍ଟ୍ରର ଅନ୍ନଦାତା
– ଉତ୍ପାଦନ ଖର୍ଚ୍ଚ, ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ଲାଗି ନିଆଯାଉଛି ପଦକ୍ଷେପ
– ‘ବୀଜରୁ ବଜାର ପର୍ଯ୍ୟନ୍ତ’ ଚାଷୀଙ୍କୁ ସମସ୍ତ ସୁବିଧା ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ
– ୨୦୧୪-୧୯ ମଧ୍ୟରେ କୃଷିକ୍ଷେତ୍ର ପାଇଁ ୨.୧୨ ଲକ୍ଷ କୋଟି ବଜେଟ୍। ବିଗତ ସରକାର ଅମଳରେ ଏହି ପରିମାଣ ଥିଲା ୧.୨୧ ଲକ୍ଷ କୋଟି ଟଙ୍କା
– ୨୦୧୭-୧୮ରେ ଖାଦ୍ୟଶସ୍ୟ ଉତ୍ପାଦନ ୨୭.୯ କୋଟି ଟନରୁ ଅଧିକ
– ମାଛ ଉତ୍ପାଦନରେ ୨୬%, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନରେ ୨୪% ଅଭିବୃଦ୍ଧି
– ଅଧିକ ୨୯ ଲକ୍ଷ ହେକ୍ଟରକୁ ମିଳିଛି ସେଚ ସୁବିଧା
– ଜୈବିକ କୃଷି ନେଟୱର୍କରେ ୨୨ ଲକ୍ଷ ହେକ୍ଟର ଜମି, ଉତରପୂର୍ବାଂଚଳ ହେବ ଜୈବ କୃଷିର ପେଣ୍ଠ
– ଆୟକର ରିହାତି ପାଇବେ ଚାଷୀ ଉତ୍ପାଦକ ସଂସ୍ଥା
– ମୃତିକା ସ୍ୱାସ୍ଥ୍ୟ କାର୍ଡର ବିସ୍ତାରକୁ ଚାଷୀମାନଙ୍କର ବ୍ୟାପକ ସମର୍ଥନ

ନୂଆଦିଲ୍ଲୀ ୨୦/0୬ (ସନ୍ଧାନ ନିୟୁଜ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ୍ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଚାଷୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏଥିଲାଗି ୨ ଲକ୍ଷ ଜନସେବା କେନ୍ଦ୍ର ଏବଂ ୬୦୦ କୃଷି ବିଜ୍ଞାନ କେନ୍ଦ୍ରକୁ ଉପଗ୍ରହ ଭିଡିଓ ଲିଙ୍କ ଜରିଆରେ ସଂଯୁକ୍ତ କରାଯାଇଥିଲା। ଶହ ଶହ ସଂଖ୍ୟାରେ ଚାଷୀମାନେ ଏହିସବୁ କେନ୍ଦ୍ରରେ ବସି ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଅନୁଭୂତି ବାଂଟିବା ସହ କୃଷି ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ। ଦେଶର ଜନସାଧାରଣ ତଥା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କ ସପ୍ତମ ପ୍ରତ୍ୟକ୍ଷ ବାର୍ତ୍ତାଳାପ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୬୦୦ ଜିଲ୍ଲାର ଚାଷୀମାନେ ଆଜିର ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଏଥିରେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ, କୃଷକ ହେଉଛି ଦେଶର ଅନ୍ନଦାତା। ରାଷ୍ଟ୍ରର ଖାଦ୍ୟ ନିିରାପତାକୁ ସୁନିଶ୍ଚିତ କରିବାର ଶ୍ରେୟ କେବଳ ଚାଷୀଙ୍କର। ଏଥିରେ ଦ୍ୱିମତ ହେବାର କୌଣସି ଅବକାଶ ନାହିଁ।

ଆଜିର ବାର୍ତ୍ତାଳାପ କାଳରେ ପ୍ରଧାନମନ୍ତ୍ରୀ ଦେଶର ଚାଷୀମାନଙ୍କ ସହ ଜୈବିକ କୃଷି, ନୀଳ ବିପ୍ଳବ, ପଶୁପାଳନ ଓ ଦୁଗ୍ଧ ଉନ୍ନୟନ, ଉଦ୍ୟାନ କୃଷି, ଫୁଲ ଚାଷ ଆଦି ବିଷୟ ଉପରେ ବିଶେଷ ଭାବେ ମତବିନିମୟ କରିଥିଲେ।

ଦେଶର ଚାଷୀମାନଙ୍କ ପାଇଁ ତାଙ୍କର ଭବିଷ୍ୟ ଦୃଷ୍ଟି ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ୨ ଗୁଣ କରିବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି। ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ଓ ପରିଶ୍ରମର ଯେଭଳି ୨ ଗୁଣ ଆୟ ମିଳିବ ସେ ଦିଗରେ ପ୍ରୟାସ ଜାରି ରହିଛି। ଚାଷୀମାନେ ଫସଲ କାର୍ଯ୍ୟକ୍ରମର ଆରମ୍ଭରୁ ଅମଳ ଓ ସଂରକ୍ଷଣ ପର୍ଯ୍ୟନ୍ତ ଯେଭଳି ସବୁସ୍ତରରେ ସରକାର, ସରକାରୀ ଏଜେନ୍ସି ଏବଂ ସମ୍ବନ୍ଧିତ ବିଭାଗମାନଙ୍କ ଠାରୁ ଯେପରି ସାହାଯ୍ୟ ସହଯୋଗ ପାଇବେ ସେ ଦିଗରେ ପଦକ୍ଷେପ ନିଆଯାଉଛି। ଚାଷ ପାଇଁ ଉଦ୍ଧିଷ୍ଟ ସମସ୍ତ ଆବଶ୍ୟକ ଉପାଦାନ, ଉପକରଣ ଓ ସଂରଜାମ ଯେପରି ସୁଲଭ ମୂଲ୍ୟରେ ଚାଷୀଙ୍କୁ ମିଳିବ ତାହା ସୁନିଶ୍ଚିତ କରାଯାଉଛି। ଏହା ଫଳରେ ଫସଲ ଉତ୍ପାଦନଜନିତ ବ୍ୟୟଭାର ହ୍ରାସ ପାଇବ ଏବଂ ଚାଷୀଙ୍କୁ ଲାଭ ମିଳିବ। ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ରୋକିବା ଏବଂ ଚାଷୀଙ୍କ ପାଇଁ ରୋଜଗାରର ବିକଳ୍ପ ପନ୍ଥା ପ୍ରଦାନ କରିବା ଦିଗରେ ମଧ୍ୟ ସରକାର ପ୍ରୟାସ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ବୀଜରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ” ଯେଭଳି ଚାଷୀମାନେ ପାରମ୍ପରିକ ଚାଷ କାର୍ଯ୍ୟବେଳେ ସୁରକ୍ଷିତ ମଣିବେ ସେ ଦିଗରେ ପଦକ୍ଷେପ ନିଆଯାଉଛି।

କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୪୮ ମାସ ମଧ୍ୟରେ ଏ କ୍ଷେତ୍ରରେ ଅନେକ କିଛି ଦୃତ ବିକାଶ ହୋଇଛି। ଦୁଗ୍ଧ, ଫଳ, ପନିପରିବା ଆଦି କ୍ଷେତ୍ରରେ ରେକର୍ଡ ପରିମାଣର ଉତ୍ପାଦନ ହୋଇଛି।

୨୦୧୪-୨୦୧୯ ମଧ୍ୟରେ କେନ୍ଦ୍ର ସରକାର କୃଷି କ୍ଷେତ୍ର ଲାଗି ବଜେଟ୍ ଅଟକଳ ୨.୧୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବ ସରକାରଙ୍କ ୫ ବର୍ଷ କାଳରେ ବଜେଟ ଅଟକଳ ମାତ୍ର ୧.୨୧ ଲକ୍ଷ କୋଟି ଥିଲା। ଦେଶରେ ୨୦୧୭-୧୮ ବର୍ଷ ଖାଦ୍ୟ ଶସ୍ୟ ଉତ୍ପାଦନ ୨୭.୯ କୋଟି ଟନରୁ ଅଧିକ ହୋଇଛି। ୨୦୧୦-୧୪ ମଧ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ ୨୫.୫ କୋଟି ଟନ ଥିଲା। ନୀଳ ବିପ୍ଳବ ଯୋଗୁ ଦେଶର ମାଛ ଇତ୍ପାଦନ କ୍ଷେତ୍ରରେ ୨୬ ପ୍ରତିଶତ ଏବଂ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଉଦ୍ୟୋଗ କ୍ଷେତ୍ରରେ ୨୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଚାଷୀଙ୍କ ସହ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିୟମିତ ଭାବେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନ ହାର ବୃଦ୍ଧି ପାଇଛି। ମୃତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ ଜାରି ରହିଛି। ୟୁରିଆରେ ନିମ ପ୍ରଲେପ ଯୋଗୁ ଚାଷୀଙ୍କୁ ଠିକଣା ସମୟରେ ବିନାଦ୍ୱଧାରେ ସାର ମିଳୁଛି ଏବଂ ଏହାର ବାଟମାରଣା ବନ୍ଦ ହୋଇଯାଇଛି। ଫସଲ ବୀମା ଯୋଜନା ଜରିଆରେ ଚାଷୀଙ୍କୁ ଫାଇଦା ମିଳିଛି। ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଅଧିକରୁ ଅଧିକ ଚାଷ ଜମିକୁ ଜଳସେଚନ ନେଟୱର୍କ ମଧ୍ୟକୁ ଅଣାଯାଇଛି। ଏହି ଯୋଜନା ଅଧୀନରେ ୧୦୦ଟି ନିର୍ମାଣାଧିନ ସେଚ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯାଉଛି। ଅଧିକ ୨୯ ଲକ୍ଷ ହେକ୍ଟର ଜମିକୁ ସେଚ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି।

ସରକାର ଚାଷୀଙ୍କ ପାଇଁ ଇ-ନାମ ଅନଲାଇନ ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି। ଏହା ମାଧ୍ୟମରେ ଚାଷୀ ତାର କୃଷି ଉତ୍ପାଦ ବିନା ମଧ୍ୟସ୍ଥିରେ ବିକ୍ରି କରିବାକୁ ସକ୍ଷମ ହେଉଛି ଏବଂ ଅଧିକ ଦୁଇ ପଇସା ଲାଭ ମିଳୁଛି। ଗତ ୪ ବର୍ଷ ମଧ୍ୟରେ ୫୮୫ଟି ନିୟନ୍ତ୍ରିତ ପାଇକାରୀ ବଜାରକୁ ଇ-ନାମ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି। ପ୍ରାୟ ୨୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ପଦ୍ଧତି ଆରମ୍ଭ କରାଯାଇଛି ଯାହାକି ୨୦୧୩-୧୪ ବର୍ଷରେ ମାତ୍ର ୭ ଲକ୍ଷ ହେକ୍ଟର ଥିଲା। କେନ୍ଦ୍ର ସରକାର ଉତରପୂର୍ବାଂଚଳ ରାଜ୍ୟଗୁଡିକୁ ଜୈବିକ କୃଷିର ପେଣ୍ଠସ୍ଥଳୀ ଭାବେ ଗଢ଼ିବାକୁ ଯୋଜନା କରିଛନ୍ତି।

ଭିଡିଓ ବ୍ରିଜ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ସମ୍ମିଳିତ ଉତ୍ସାହ ଏବଂ ଅନୁଭୂତି ବାଂଟିବାର ପରମ ଆଗ୍ରହକୁ ଭୂରିଭୂରି ପ୍ରଶଂସା କରିଥିଲେ। ଦେଶରେ ଏବେ ଚାଷୀ ଉତ୍ପାଦକ ଗୋଷ୍ଠୀ ଏବଂ ଚାଷୀ ଉତ୍ପାଦକ ସଂଗଠନମାନ ଗଠନ କରାଯାଉଥିବାରୁ ତାହା କୃଷି କ୍ଷେତ୍ର ପାଇଁ ଅତ୍ୟନ୍ତ ଲାଭପ୍ରଦ ହେବ ବୋଲି ସେ କହିଥିଲେ। ଏଭଳି ସଂଗଠନ ଜରିଆରେ ଚାଷୀମାନେ କମ ଖର୍ଚ୍ଚରେ ସେମାନଙ୍କ ଉତ୍ପାଦର ଅଧିକ ଲାଭ ପାଇବେ ଏବଂ ଅଧିକରୁ ଅଧିକ ବଜାର ସୁବିଧା ଉପଲବ୍ଧ ହେବ। ଗତ ୪ ବର୍ଷ ମଧ୍ୟରେ ଏଭଳି ୫୧୭ଟି ଚାଷୀ ଉତ୍ପାଦକ ସଂଗଠନ ସୃଷ୍ଟି କରାଯାଇଛି ଏବଂ ଚାଷୀ ଉତ୍ପାଦକ ସଂସ୍ଥାମାନଙ୍କୁ ଆୟକର ରିହାତି ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ କାଳରେ ବିଭିନ୍ନ କୃଷି ଯୋଜନାର ହିତାଧିକାରୀମାନେ ଉତ୍ପାଦନ ବୃଦ୍ଧି ଦିଗରେ ସରକାରୀ ଯୋଜନାମାନ କିପରି ସହାୟକ ହୋଇଛି ତାହା ବର୍ଣ୍ଣନା କରିଥିଲେ। ବିଶେଷ ଭାବେ ମୃତିକା ସ୍ୱାସ୍ଥ୍ୟ କାର୍ଡ ଉପକାରସିଦ୍ଧ ପ୍ରମାଣିତ ହୋଇଛି ବୋଲି ଚାଷୀମାନେ କହିଥିଲେ। ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା କ୍ଷେତ୍ରରେ ଚାଷୀମାନେ ସେମାନଙ୍କର ଅନୁଭୂତି ପ୍ରଧାନମନ୍ତ୍ରୀଙ୍କ ଆଗରେ କହିଥିଲେ।

Related Posts

About The Author

Add Comment