ଦୀର୍ଘ ନିରବତା ଭାଙ୍ଗି ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର; କହିଲେ, ‘ବ୍ୟବସ୍ଥାକୁ ଭାଙ୍ଗିଦେବା ସହଜ …’

Spread the love

ନୂଆଦିଲ୍ଲୀ 15/8(ସନ୍ଧାନ ନୁ୍ୟଜ୍): ଆଠ ମାସର ବ୍ୟବଧାନ ପରେ ଆଜି ଅବଶେଷରେ ନିଜର ଦୀର୍ଘ ନିରବତା ଭାଙ୍ଗି ମୁହଁ ଖୋଲିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର। ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର କହିଛନ୍ତି, ଆଜିର ବିଚାର ବ୍ୟବସ୍ଥା ସମ୍ମୁଖରେ ମୁଖ୍ୟ ଆହ୍ଵାନ ହେଉଛି କିପରି ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକାରୀ ଥିବା ପ୍ରଚଳିତ ପଦ୍ଧତିର ସଂସ୍କାର ବା ପରିବର୍ତ୍ତନ କରି ଏହାକୁ ଅଧିକ କ୍ରିୟାଶୀଳ ଢ଼ଙ୍ଗରେ ଆନୁପାତିକ ହାରରେ ପ୍ରକାଶଯୋଗ୍ୟ ଓ ଶାନ୍ତଭାବେ କାର୍ଯ୍ୟକାରୀ କରାଇବା।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ଏକ ଅଭୂତପୂର୍ବ ଘଟଣାକ୍ରମରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିବା ସହ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରି ଆସିଥିବା ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର ଆଜି ନିଜର ମୁହଁ ଖୋଲିଛନ୍ତି।

‘ଗୋଟିଏ ବ୍ୟବସ୍ଥାକୁ ସମାଲୋଚନା କରିବା, ବ୍ୟବସ୍ଥା ଉପରେ ଆକ୍ରମଣ କରିବା ଏବଂ ବ୍ୟବସ୍ଥାକୁ ଭାଙ୍ଗିଦେବା ଖୁବ୍‌ ସହଜ। କିନ୍ତୁ, କାର୍ଯ୍ୟକାରୀ ଥିବା ପ୍ରଚଳିତ ପଦ୍ଧତିରେ ସଂସ୍କାର ବା ପରିବର୍ତ୍ତନ ଆଣି ଏହାକୁ ଅଧିକ କ୍ରିୟାଶୀଳ ଢ଼ଙ୍ଗରେ ଆନୁପାତିକ ହାରରେ ପ୍ରକାଶଯୋଗ୍ୟ ଓ ଶାନ୍ତଭାବେ କାର୍ଯ୍ୟକାରୀ କରାଇବା ହେଉଛି ଏକ କଷ୍ଟସାଧ୍ୟ ବ୍ୟାପାର। ଏଥିପାଇଁ ନିଜର ବ୍ୟକ୍ତିଗତ ଅଭିଳାଷ, ସ୍ୱାର୍ଥ ଓ ଅସନ୍ତୋଷକୁ ତ୍ୟାଗ କରିବାକୁ ପଡ଼ିବ’, ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର। ‘ବ୍ୟବସ୍ଥାରେ ବାସ୍ତବ ବା ନିର୍ଦ୍ଧିଷ୍ଟ ସଂସ୍କାର ଆଣିବାକୁ ହେଲେ ପ୍ରକାଶଯୋଗ୍ୟ ଢ଼ଙ୍ଗରେ, ପରିପକ୍ୱତାର ସହ ଦାୟିତ୍ୱପୂର୍ଣ୍ଣ ଓ ଶାନ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ନଚେତ ଏହା ଅଧିକ କ୍ରିୟାଶୀଳ ଓ ଅଧିକ ଉତ୍ପାଦକ ହେବା ପରିବର୍ତ୍ତେ ନିଷ୍କ୍ରିୟ ଓ ଅଣ ଉତ୍ପାଦକ ହୋଇ ପଡ଼ିବ। ଆଉ ଏସବୁ ସଂପୂର୍ଣ୍ଣ ନିଷ୍ଠା ଓ ଆନ୍ତରିକତାର ସହ କଲେ ହିଁ ଗୋଟିଏ ଅନୁଷ୍ଠାନ ଯାଇ ତା’ର ସର୍ବୋଚ୍ଚ ଶିଖରରେ ପହଞ୍ଚି ପାରିବ’ ବୋଲି କହିଛନ୍ତି ଜଷ୍ଟିସ୍‌ ମିଶ୍ର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଜେ ଚେଲମେଶ୍ୱର, ଜଷ୍ଟିସ୍‌ ରଞ୍ଜନ ଗୋଗେଇ, ଜଷ୍ଟିସ୍‌ ମଦନ ବି ଲୋକୁର ଓ ଜଷ୍ଟିସ୍‌ କୁରିଅନ୍‌ ଯୋସେଫ୍‌ ଗତ ଜାନୁଆରି ୧୨ ତାରିଖ ଦିନ  ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିବା ସହ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଏପରି ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ମଧ୍ୟରେ ମାମଲା ବଣ୍ଟନ କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ପାତର ଅନ୍ତର କରୁଛନ୍ତି ବୋଲି ସେମାନେ ଅଭିଯୋଗ ମଧ୍ୟ କରିଥିଲେ।

Related Posts

About The Author

Add Comment