ଦଣ୍ଡନାଚର କିମ୍ବଦନ୍ତୀ

Spread the love
  •  
  •  
  •  
  •  
  •  

ଦଣ୍ଡନାଚ ଓଡ଼ିଶାର ଗଂଜାମ ଜିଲ୍ଲାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ଏବଂ ହଠ ଯୋଗ ର ଏକ ଅଂଶ ବିଶେଷ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନୃତ୍ୟ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ହେଲା । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ,୨-ଧର୍ମ ଟିନ୍ତନ,୩-କୃଷି ସଭ୍ୟତା,୪-ସାମରିକ ପରମ୍ପରା,୫- କାରୁକଳା,୬-ଆଦିବାସୀ ଓ ଓଡଶୀ ନୃତ୍ୟ ।
ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୁମୂର୍ଷ ଅବସ୍ଥାରେ କେବଳ ବଞ୍ଚିରହିଛନ୍ତି । ଏଗୁଡିକର ପୁନରାଉଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍,ଆମେରିକା,ଲୋହିତ ଭାରତୀୟ ,ଆଫ୍ରିକାର ଆଦିବାସୀ,ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।

କୁହାଯାଏ ଦଣ୍ଡନାଚ ସର୍ବ ପ୍ରଥମେ ଗଂଜାମ ଜିଲ୍ଲାର କୁଲାଗଡ଼ ଠାରେ ହେଇଥିଲା ଦଣ୍ଡନାଚ ର ଉତ୍ପତ୍ତି ବିଷୟରେ ବହୁତ ପୌରାଣିକ ଆଖ୍ୟାନ ରହିଛି ସେଥିମଧ୍ୟରୁ କିଛି କିମ୍ବଦନ୍ତୀ ଉପସ୍ଥାପନ କରାଗଲା ଯଥା :-

ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦର କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ଦେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବତ୍ସ, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତୃଙ୍କୁ ଦେଖି ହସିବାରୁ ରୁଷି କତ୍ରୁ ଙ୍କ ଦ୍ଵାରା ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ। ଏଥକୁ ମୁକ୍ତି ପାଇବାକୁ ସେମାନେ ବ୍ରହ୍ମା ଙ୍କ ପାଖକୁ ଗଲେ ବ୍ରହ୍ମାଙ୍କ ଆଦେଶରେ ସେ ଶିଵଙ୍କ ଶରଣା ପନ୍ନ ହେଲେ ମହାଦେବ ଶିବ କୃପାପ୍ରାର୍ଥୀ ହେଲେ। ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ। ଏ ସମୟରେ ମା କାଳୀ ଆବିର୍ଭୁତା ହୋଇ ୧୩ ଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।

ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ। ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତ୍ୟୁବରଣ କଲା ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଲେ। ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କଲା ଓ ତେରଭାଇ ଶାପମୁକ୍ତ ହେଲେ। ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି କଥିତ ଅଛି।

ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢ଼େୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମ ଗ୍ରହଣ କଲେ। ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିଜର ଦୁଃଖ ଜଣାଇଲେ। ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ। ସେମାନଙ୍କ ପତ୍ନୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢ଼େୟାଙ୍କୁ ଜୀବଦାନ ଦେଲେ। ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର କିମ୍ବଦନ୍ତୀ ରହିଅଛି।

ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂରଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟବସ୍ତ୍ର, ପତାକା ଏବଂ ବେତ ଏକାନ୍ତ ଆବଶ୍ୟକ । ଗୌରୀବେତରେ ସ୍ୱୟଂ ଶିବ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏହି ପର୍ବ ପ୍ରାଚୀନ ଇତିହାସରୁ ଓଡ଼ିଶାରେ ଚଳି ଆସୁଛି ଏବଂ ଓଡ଼ିଶା ବାସୀଙ୍କର ନୂଆ ବର୍ଷ ଦିନ ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଦିନ ଏହା ଉଦଯାପିତ ହୁଏ । ଦଣ୍ଡନାଚରେ ଉଭୟ ଭଗବାନ ଶିବ ଓ ମା କାଳୀଙ୍କୁ ଉପାସନା କରାଯାଏ। ଓ ଏହା ବୈଶାଖ ମାସରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ । ୧୩ ଦିନ ଶେଷର ଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ ।

ହୁଂହୁଂକାରେ ଶବାରୂଢେ ନୀଳନୀରଜଲୋଚନେ ।
ତ୍ରୈଲୋକ୍ୟୈକମୁଖେ ଦିବ୍ୟେ କାଳିକାୟୈ ନମୋଽସ୍ତୁତେ ॥

ପ୍ରତ୍ୟାଳୀଢପଦେ ଘୋରେ ମୁଣ୍ଡମାଳାପ୍ରଲମ୍ବିତେ ।
ଖର୍ୱେ ଲମ୍ବୋଦରେ ଭୀମେ କାଳିକାୟୈ ନମୋଽସ୍ତୁତେ ॥

ନବୟୌବନସମ୍ପନ୍ନେ ଗଜକୁମ୍ଭୋପମସ୍ତନୀ ।
ବାଗୀଶ୍ୱରୀ ଶିବେ ଶାନ୍ତେ କାଳୀକାୟୈ ନମୋଽସ୍ତୁତେ ॥

ଲୋଳଜିହ୍ୱେ ଦୁରାରୋହେ ନେତ୍ରତ୍ରୟବିଭୂଷିତେ । ଲୋଲଜିହ୍ୱେ ହରାଲୋକେ
ଘୋରହାସ୍ୟତ୍କରେ ଦେବୀ କାଲିକାୟୈ ନମୋଽସ୍ତୁତେ ॥ ଘୋରହାସ୍ୟତ୍କଟା କାରେ
ବ୍ୟାଘ୍ରଚର୍ମ୍ମାମ୍ବରଧରେ ଖଡ୍ଗକର୍ତ୍ତୃକରେ ଧରେ ।
କପାଳେନ୍ଦୀବରେ ବାମେ କାଳିକାୟୈ ନମୋଽସ୍ତୁତେ ॥

ନୀଳୈତ୍ପଳଜଟାଭାରେ ସିନ୍ଦୁରେନ୍ଦୁମୁଖୋଦରେ ।
ସ୍ଫୁରଦ୍ୱକ୍ତ୍ରୋଷ୍ଟଦଶନେ କାଳିକାୟୈ ନମୋଽସ୍ତୁତେ ॥

ପ୍ରଳୟାନଳଧୂମ୍ରାଭେ ଚନ୍ଦ୍ରସୂର୍ୟାଗ୍ନିଲୋଚନେ ।
ଶୈଳବାସେ ଶୁଭେ ମାତଃ କାଳୀକାୟୈ ନମୋଽସ୍ତୁତେ ॥

ବ୍ରହ୍ମଶମ୍ଭୁଜଲୌଘେ ଚ ଶବମଧ୍ୟେ ପ୍ରସଂସ୍ଥିତେ ।
ପ୍ରେତକୋଟିସମାୟୁକ୍ତେ କାଳୀକାୟୈ ନମୋଽସ୍ତୁତେ ॥

କୃପାମୟି ହରେ ମାତଃ ସର୍ୱାଶାପରିପୁରିତେ ।
ବରଦେ ଭୋଗଦେ ମୋକ୍ଷେ କାଳୀକାୟୈ ନମୋଽସ୍ତୁତେ ॥

ଇତ୍ୟୁତ୍ତରତନ୍ତ୍ରାର୍ଗତମଂ ଶ୍ରୀକାଳୀତାଣ୍ଡବସ୍ତୋତ୍ରଂ ସମ୍ପୂର୍ଣମ୍ ॥

ରୋଗବଇରାଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମାପରଠାରୁ ଭକ୍ତମାନେ ରହିଥାନ୍ତି। ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଦଣ୍ଡ ଦଳ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଘୁମୁସର ଅଞ୍ଚଳର କୁଲାଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଟ ପରବର୍ତି ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ବିଶେଷ କରି ଶକ୍ତିପୀଠଗୁଡ଼ିକୁ ବ୍ୟାପିଥିବାର ଜଣାପଡ଼େ।
“ହେ ଋଷିପୁତ୍ରେ!
ଅଇଲେ ହର, ଦେଇଗଲେ ବର
ଅନ୍ୟ ସେବା ଛାଡ଼ି ଏ ସେବା କର
ଏ ସେବା କଲେ କି ଫଳ ପାଏ
ଉଷୁନାଧାନ ଗଜା ହୁଏ
ଶୁଖିଲା କାଠ କଞ୍ଚା ହୁଏ
ଭଜାମୁଗ ଗଜା ହୁଏ
ଅପୁତ୍ରିକ ପୁତ୍ରଦାନ ପାଏ
ଅନ୍ଧ ଚକ୍ଷୁଦାନ ପାଏ
ଜରାରୋଗ ଭଲ ହୁଏ” ବୋଲି ବାଣୀକାର ଗାଇ ଦଣ୍ଡନାଟ ଆରମ୍ଭ କରିଥାଏ।
ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି। କାମନା ଘଟ ସ୍ଥାପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକରୂପେ ସ୍ଥାପନ କରାଯାଏ। ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ରମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳିରୁହେ। କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜାପରେ ଦଣ୍ଡନାଟ ଆରମ୍ଭ ହୁଏ। ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ,କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ, ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ।
ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।

ଦିନ ଦିପହରରେ ଧୂଳିଦଣ୍ଡ ପରିବେଷଣରେ କ୍ଷେତ୍ର ପ୍ରସ୍ତୁତି, ହଳ ଚାଳନା, ଧାନ ରୋପଣ, ବଛାବଛି, ଅମଳ, ଭୂମି ପୂଜା, ମନ୍ଦିର ନିର୍ମାଣ, ଲୁଗା ବୁଣା, ହଳଦୀ ବଟା, କୂଅ ଖୋଳା ଆଦି ପ୍ରଦର୍ଶିତ ହୁଏ। ଜଣେ କୃଷକ ପରିବାରର ନିଛକ କାହାଣୀକୁ ହସମଜାରେ ପ୍ରଚଣ୍ଡ ଖରାତାତିରେ ପ୍ରଦର୍ଶନ କରାଯାଏ।

ଧୂଳି ଦଣ୍ଡ ପରେ ଆରମ୍ଭ ହୁଏ ପୋଖରୀ କିମ୍ବା ନଦୀରେ ପାଣି ଦଣ୍ଡ। ଛଅ ଆଙ୍ଗୁଳି ଲମ୍ବର ଆମ୍ବ ଡାଳରେ ଦାନ୍ତ ଘସି ସ୍ନାନ କରିବା ପରେ ତେରଥର ବୁଡ଼ି ତେର ଆଞ୍ଜୁଳା ପାଣି ଆଣି ଦଣ୍ଡୁଆମାନେ ଶିବଲିଙ୍ଗ ସ୍ଥାପନା କରନ୍ତି। ତା ପରେ ବିଭିନ୍ନ ଉପଚାରରେ ପୂଜାର୍ଚନା ହୁଏ। ପଣା ଏବଂ ଲିଆଖଇର ପ୍ରସାଦ ପାଇ ଦଣ୍ଡୁଆମାନେ କିଛି ସମୟ ବିଶ୍ରାମ ନିଅନ୍ତି।
ସନ୍ଧ୍ୟାରେ ଆଳତୀ ହୁଏ। ସନ୍ଧ୍ୟା ଆଳତୀରେ ଯୋଗଦେଇ ଲୋକେ ନିଜର ଅପରାଧ କ୍ଷମାପାଇଁ ପ୍ରାର୍ଥନା କରିଥାନ୍ତି। ଦଣ୍ଡୁଆଙ୍କ ଦେହରେ ମା କାଳୀ ବିରାଜନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି। ଅରୁଆ ଚାଉଳ, ମୁଗ ଡାଲି ଓ ପରିବାକୁ ମିଶାଇ ଅକଟା ଅଫୁଟା ହବିଷ୍ୟାନ୍ନ ପ୍ରସ୍ତୁତ କରାଯାଏ ଯାହା କାଳୀଙ୍କ ପାଖରେ ଭୋଗ ଲଗାଯିବା ପରେ ମଧ୍ୟରାତ୍ରରେ ଦଣ୍ଡୁଆମାନେ ଢୋଲ, ଝାଞ୍ଜରର ତାଳେ ତାଳେ ଭୋଜନ କରନ୍ତି।

ଏହା ପରେ ଝୁଣା ଖେଳି ଖେଳି ଦଣ୍ଡଦଳ ମାନସିକଧାରୀଙ୍କ ଘରକୁ ଆସନ୍ତି। ସ୍ୱପ୍ନାଦେଶ ପାଇଥିବା ଦଣ୍ଡୁଆମାନେ କଳା ପୋଷାକ ପିନ୍ଧିଥାନ୍ତି, ମୁଣ୍ଡରେ କଳା କନା ବାନ୍ଧିଥାନ୍ତି ଓ ରକ୍ତ ସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରିଥାନ୍ତି। ଢୋଲ ତାଳେ ତାଳେ ଝୁଣା ନିଆଁର ପ୍ରୟୋଗରେ ଦଣ୍ଡୁଆଙ୍କ ଦେହରେ କାଳିକା ପ୍ରସନ୍ତ ହୁଅନ୍ତି। ଏହି ଅଗ୍ନିଦଣ୍ଡ ଫଳରେ ସେ ଚେତାଶୂନ୍ୟ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲା ପରେ ଚେତା ଫେରିଲା ପରେ ଆରମ୍ଭ ହୁଏ ଦଣ୍ଡସୁଆଙ୍ଗ।

ଦଣ୍ଡସୁଆଙ୍ଗକୁ ଦଣ୍ଡ ଚଢ଼େୟା ନାଚ ବୋଲି ମଧ୍ୟ କୁହାଯାଏ। ଏଥିରେ ଚଢ଼େୟା, ଚଢ଼େୟାଣୀ, ଦକ୍ଷିଣକାଳୀ, ଡୁବଡୁବା, ଗଉଡ଼, ଗଉଡ଼ୁଣୀ, ସାପୁଆ, ଚହଟା ଦିଅର, ସିପାହୀ, ଢୋଲିଆ, ଉଲ, ବୀଣାକାର, ଜଗାଳି, ରାଜଗୁଣିଙ୍କ ଚରିତ୍ର ମାଧ୍ୟମରେ ହାସ୍ୟରସ ପ୍ରକାଶ ସହିତ ବହୁ ଉପଦେଶ ଜନ ସମୁଦାୟକୁ ପରିବେଷଣ କରା ଯାଇଥାଏ।
କେତେଜଣ ପ୍ରମୁଖ ଦଣ୍ଡସୁଆଙ୍ଗ ଲେଖକଙ୍କ ଭିତରେ ରଙ୍ଗୁଣି ବନ୍ଧ ସାହିର ସନ୍ନ୍ୟାସୀ ନାୟକ, ମୁଣ୍ଡମରେଇର ଦଣ୍ଡପାଣି ଜେନା ଓ ବାସୁଦେବପୁରର ଅନ୍ତର୍ଯ୍ୟାମୀ ଦାସ ଅନ୍ୟତମ।

ଏହିପରି ୧୩, ୧୮, ୨୧ ଦିନ ବୁଲିବାପରେ ଦଣ୍ଡଦଳ ବିଷୁବ ସଂକ୍ରାନ୍ତି ଦିନ କାମନା ମନ୍ଦିର ପାଖରେ ରୁଣ୍ଡ ହୁଅନ୍ତି। ସେଠାରେ ମେରୁଯାତ୍ରା ଅନୁଷ୍ଠିତ ହୁଏ। ମେରୁକୁଣ୍ଡର ଦୁଇପାଖରେ ବେଲକାଠଦ୍ୱାରା ଦୁଇଟି ଖୁଣ୍ଟ ପୋତାଯାଏ। ସେ ଦୁଇଟିକୁ ଗୋଟିଏ କାଠଦ୍ୱାରା ସଂଯୁକ୍ତ କରାଯାଏ। ମୁଖ୍ୟ ଦଣ୍ଡୁଆ ସ୍ନାନସାରି ଓଦାବସ୍ତ୍ରରେ ପ୍ରଭୁଙ୍କୁ ଦର୍ଶନ କରନ୍ତି, ତାଙ୍କ ଦେହରେ କାଳୀ ଲାଗିଲା ପରେ କେତକ ଲୋକ ମିଶି ତାଙ୍କୁ ନିୟନ୍ତ୍ରଣ କରନ୍ତି ଏହା ପରେ ତାଙ୍କୁ ସେହି କାଠରେ ଓଲଟା ଲଟକାଇ ଦିଆଯାଏ। ତଳେ ଝୁଣା ଧୂଆଁର ଝାସରେ ତାଙ୍କ ନାକରୁ ତିନିଟୋପା ରକ୍ତ ପଡ଼ିବାପରେ ସେ ଅଚେତ ଅବସ୍ଥାରେ ସେଥିରେ ଝୁଲି ରୁହନ୍ତି। ତାଙ୍କୁ ନିକଟସ୍ଥ ଜଳାଶୟକୁ ନେଇ ତାଙ୍କ ଚେତା ଫେରାଇ ଆଣିବାପରେ ସମାପନ ହୁଏ ଦଣ୍ଡନାଚ।

ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା’କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି, ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏବଂ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି, ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) ।

ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।

ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି ।

ଯଜ୍ଞେନ ସଂମିତଂ ହ୍ୟେଦଦ୍ରଙ୍ଗଦୈବତପୂଜନମ୍ ।
ତସ୍ମାତ୍ସର୍ୱପ୍ରୟତ୍ନେନ କର୍ତବ୍ୟଂ ନାଟ୍ୟଯୋକ୍ତୃଭିଃ ॥

ନର୍ତକୋଽର୍ଥପତିର୍ୱାପି ଯଃ ପୂଜାଂ ନ କରିଷ୍ୟତି ।
ନ କାରୟିଷ୍ୟନ୍ତ୍ୟନ୍ୟୈର୍ୱା ପ୍ରାପ୍ନୋତ୍ୟପଚୟଂ ତୁ ସଃ ॥

ଯଥାବିଧିଂ ଯଥାଦୃଷ୍ଟଂ ଯସ୍ତୁ ପୂଜାଂ କରିଷ୍ୟତି ।
ସ ଲପ୍ସ୍ୟତେ ଶୁଭାନର୍ଥାନ୍ ସ୍ୱର୍ଗଲୋକଂ ଚ ଯାସ୍ୟତି ॥

ଗଂଜାମ ଜିଲ୍ଲାର ଦଣ୍ଡକାଳୀ ପୀଠ ଗାଁ ଗୁଡିକର ନାମ ଯଥା :-

ଗାଲେରୀ, ମୂଜାଗଡ଼, କୁଲାଡ଼, ପଥରପୁଞ୍ଜି , ମୁଣ୍ଡମରେଇ, କୁଲାଗଡ଼, ବନ୍ଧାଗୁଡ଼ା, କଉଡ଼ିଆ, ବୟାବାଳି, ବଦାଗି, ଗୋଟିଙ୍ଗିଆ, ସର୍ଧୁଳ, ପ୍ରତାଗିରି ପେଣ୍ଠ, ରୋହିଗାଁ, ନନ୍ଦିଖର, ପୋଲସରା, ମର୍ଦକୋଟ, ଉବ୍ଦୀପୁର, ସିଦ୍ଧପୁର, ରୁମାଗଡ଼, ଜାହାଡ଼ା, କାନାଗିଡ଼ି,ବରଡାବାଲି , ପଳାସପୁର, ଚୁଡ଼ଙ୍ଗପୁର, ତିନିଖଣ୍ଡି, ବଉଦ, ଦୁହମୟୀ, ନୂଆଗାଁ,ପାଟପୁର,ବୋଇରାଣୀ, ଢ଼ିଙ୍କିସାଳ,କଲମ୍ବା, ତାରାସିଙ୍ଗୀ, ସଖେୟୀ, ଜାଲଖାଇ, ଜିଲବା, ବଣ ପଲି, ସିଙ୍ଗମର୍ଦ୍ଦନ, ଦୟିମଣ୍ଡଲି, ଗୋବରା, ଶେରଗଡ଼, ଡ଼େଙ୍ଗାପଦର, କିଲୁଣ୍ଡି, କ ଳି ଙ୍ଗ ପଦର, କୁଚାଲୁଣ୍ଡି, କୁଲାଣ୍ଡି, ଲାଠି ପୋଡା, କାଳଷଣ୍ଡପୁର, ହାତୀଓଟ, ଘୋଡ଼ା ପଲାଣ, ମାଳବଣ, ବିରିଡ଼ି, ସୋରଡ଼ା – ୧,୨,୩, ପାଲକାଟ, ହୁକୁମ, ଭୀମପୁର, ଗାଲୁଆ, ଗୁଡ଼ିପଦର, ବେଳୁଆବାଡ଼ି, ଶିରେଇପୁର, ପ୍ରତାପ ମାଣିକପୁର, ଖଜେରିଆ, ଶାଳବଣ, ଘୋଷିଡ଼ା, ପୁଲେୟୀ, ବଡ଼ସୁନାଖଳ, ବାଲୁଗାଁ, ବଡ଼ପୁର, ସୁବୁପାଟଣା, ବଳାବନ୍ଧ, ନଈରି, କଇଁଚପୁର, କୁ ହୁ ଡ଼ି, ଚିଙ୍ଗୁ ଡିଖୋଲ, ପଥର, ଭୁଷଣ୍ଡପୁର, ଲଙ୍ଗଳେଶ୍ଵର, କରବର, ବଡ଼ବର, କଳା ପୋଖରୀ, ବାଇଗୁଣିଆ, ବନମାଳିପୁର, ବାହାଡ଼ା, ଆମୁଆବାଡ଼ି, ଦାନାପୁର, ଭିମପୁର, ମାଟିଆ ପୋଖରୀ, ଇଟାମାଟି, ଶୁକଳ ଗାଡ଼ିଆ, ମାଣିକପଡ଼ା, ଖଣ୍ଡପଡ଼ା, କାଦୁଆ ଶିଖରପୁର, ବରପାଲି -ମହୁ ଲିଆ, ହରିଚନ୍ଦନପୁର, ଖିରିଡ଼ା, ବ ର ମଣ୍ଡଳ, ବର ଗଡ଼ ,ପଦ୍ମ ପୁର , ପଦ୍ମ ପୁର , ମେରୁ କୋଟ, ଧରାକୋଟ, ସମରଝୋଳ, ରାଧାନଗର ପଦ୍ମପୁର, ଗୁଚ୍ଛାବାଡ଼ି, କୁରୁଳା, ଗୋଠଗାଁ, ପୁନାଯ, ବୁରୁପଡ଼ା, ପିତ୍ତଳ, ହିଞ୍ଜିଳିକାଟୁ ୧, ୨ ,ପୁଚି ଲୁମା, ସାରୁ – ୧, ୨, କଞ୍ଚ ଡୁ, ବାଉଁଶି ଆପଲି,ଦଶପଲି, ରାଇଖୋଳ, ଆଙ୍କୁଶପୁର, ମଶିଆଲି, ଲକ୍ଷ୍ମୀପୁର, ଅଲାରିଗଡ଼, ମକାରଙ୍ଗୀଜ, ଦିଗପହଣ୍ଡି – ୧, ୨, ଚାଓଡ଼ାପଲି, ପୁରୁଣାଗଡ଼, ଖାଲିଗୁଡ଼ା, ଭାଲିଆଝଳା, ରାମଚନ୍ଦ୍ରପୁର, ଟିକରପଡ଼ା, ଆସିକା, ନୂଆଗାଁ, ଆସିକା, ନବାଉଁଶ, ଆମ୍ବପୁଆ, ଶାଳିକଶ, ଗୁଡ଼ିଆପଲି, ବୋରିଗାଁ, କମାଗାଁ, ରାଳିବ, ରାଉଳପଲି, ଆଲପୁର, । କିନୀବାଶସୁର -୧, ୨, ବେଲଗାଁ, ଧୋବାଡ଼ି ପାଟପୁର, ଶିଖରପୁର, । ଢ଼େଙ୍ଗାପଦର, ଧୋନପୁର, ଯୁଗୁଡ଼ି, କଲରାପଦର, ସର୍ବେଶ୍ବର, । ନୂଆଗାଁ, ଗୁରୁଶି, ଯାମୁନି, ଭାଟକୁମଗଡ଼ା, ବ୍ରହ୍ମପୁର, ମୋଡ଼ା ହସି, କମାପଲି, ସିତାନଗର, ଚଗୁମୁଳା-୧,୨,୩, ବାଣନଈ ଖରିତ୍ର, ଦଶପଲା, ଖଣ୍ଡରା, କେରାଣ୍ଡି ତୋଳ, ଝାଡ଼ାକୁଲି, ଏରଶ୍ର, ବୁଡ଼ିଆଳୀ, ପଟିଗୁଡ଼ା, ଗୁଡ଼ିଆପଲି, ଟାଙ୍ଗି, ଉଦୟଗିରି, ବେଲଗୁଣ୍ଠା ୧, ୨, ଶ୍ରୀ ଚଣ୍ଡେଶ୍ବର ପୀଠ ଓ ସପ୍ଟେଶ୍ବର ପୀଠ ରଣପୁର, ପୁଢ଼ାମାରି ପଦ୍ମପୁର, ଆଠଗଡ଼-ବେଲଗାଁ, ବଜ, ହାତୀକୋଟ, ମଥୁରା, ଦିରୁ ପାକ୍ଷ, ଶି କୁଳ, ଆୟୁଆବାଡ଼ି, ଭୂମଣାଖୋଲ, ମହୁଲି, ଟିକରପଡ଼ା, ଗୁଣ୍ଡପଡ଼ା, ଗାଁ ମୁଣ୍ଡି, ଯାମୁଣ୍ଡି, ଜିଲିଭି, ତିମିଲୀ, ତନରଡ଼ା, ଗହଙ୍ଗ, ବାଣତୁମ, ଆଖୁପଦର, ଗହଙ୍ଗୁ, କେଶରୀପଲି, ପଶାଳ, ଉସ୍ତିଆ, କୋକଲଣ୍ଡା, ବାଲିପଦର, ଜୁଲକ, ବାଲୀରଛାଇ, ରାଇକା, ଉଦୟଗିରି, ବାଲିଗୁଡ଼ା, ଯାମୁପଦର, ବୁଗୁଡ଼ା, ବାଇବାଳ। ସର୍ବଆଡ଼ ରାମୁଶିଆଳୀ, କାନକୁଟୁବୁ, ତିନିଖମା, ବୁଲୀଆ, ପଞ୍ଚୁ । ରାଉଡି, କୁରାଳ, କୁ ମୁଣ୍ଡ, ପାଣି କେଶ୍ଵର, ଛମଣ୍ଡା, ବିକିଲା, । ଶେରଗଡ଼, ଆମ୍ବପୁଆ, ଭାବସର, ରୁହିବାକ, ଭଞ୍ଜନଗର, ପାଣ୍ଡିବି । ସୀମା, ବାଲୀଛାଇ, କଞ୍ଚୁତୁ ରାବରା, ଓଡ଼ଗାଁ, ବ୍ରାହ୍ମଣଶାସନ ।ତୋଲଡି,ଵଡଗୁଣ୍ଡୁରିବାଡି,ପଟାଙ୍ଗି,ତାରସିଙ୍ଗ । ରଗଡ଼ିସାହି, ମଶାବାରି, କେଳାପଡ଼ା, ର ଢ଼ଙ୍ଗ, ସଖୀପଡ଼ା । ସାବୁରିଆ, ଭାମୁଶିଆଳୀ, ସାହାଡ଼ା, ଚିକିରିପଡ଼ା, ଚିଲୀଖମୀ,ରାଉଳ ପୋଲି ,,,,ଇତ୍ୟାଦି
ଆଉ ଯେଉଁ ଦଣ୍ଡ ପୀଠ ଗ୍ରାମ ଗୁଡିକ ଉଲ୍ଲେଖ ନାହିଁ ଦୟାକରି କମେଣ୍ଟ କରନ୍ତୁ

କାଳୀକବଚମ୍

ଶ୍ରୀମଦ୍ଦକ୍ଷିଣକାଳିକାକବଚମ୍
ଭୈରବ୍ ଉବାଚ –
କାଳିକା ଯା ମହାବିଦ୍ୟା କଥିତା ଭୁବି ଦୁର୍ଲଭା ।
ତଥାପି ହୃଦୟେ ଶଲ୍ୟମସ୍ତି ଦେବି କୃପାଂ କୁରୁ ॥

କବଚନ୍ତୁ ମହାଦେବି କଥୟସ୍ୱାନୁକମ୍ପୟା ।
ଯଦି ନୋ କଥ୍ୟତେ ମାତର୍ୱ୍ୱିମୁଞ୍ଚାମି ତଦା ତନୁଂ ॥

ଶ୍ରୀଦେବ୍ୟୁବାଚ –
ଶଙ୍କାପି ଜାୟତେ ବତ୍ସ ତବ ସ୍ନେହାତ୍ ପ୍ରକାଶିତଂ ।
ନ ବକ୍ତବ୍ୟଂ ନ ଦ୍ରଷ୍ଟବ୍ୟମତିଗୁହ୍ୟତରଂ ମହତ୍ ॥

କାଲିକା ଜଗତାଂ ମାତା ଶୋକଦୁଃଖବିନାଶିନୀ ।
ବିଶେଷତଃ କଳିୟୁଗେ ମହାପାତକହାରିଣୀ ॥

କାଳୀ ମେ ପୁରତଃ ପାତୁ ପୃଷ୍ଠତଶ୍ଚ କପାଳିନୀ ।
କୁଲ୍ଲା ମେ ଦକ୍ଷିଣେ ପାତୁ କୁରୁକୁଲ୍ଲା ତଥୋତ୍ତରେ ॥

ବିରୋଧିନୀ ଶିରଃ ପାତୁ ବିପ୍ରଚିତ୍ତା ତୁ ଚକ୍ଷୁଷୀ ।
ଉଗ୍ରା ମେ ନାସିକାଂ ପାତୁ କର୍ଣୌ ଚୋଗ୍ରପ୍ରଭା ମତା ॥

ବଦନଂ ପାତୁ ମେ ଦୀପ୍ତା ନୀଳା ଚ ଚିବୁକଂ ସଦା ।
ଘନା ଗ୍ରୀବାଂ ସଦା ପାତୁ ବଳାକା ବାହୁୟୁଗ୍ମକଂ ॥

ମାତ୍ରା ପାତୁ କରଦ୍ୱନ୍ଦ୍ୱଂ ବକ୍ଷୋମୁଦ୍ରା ସଦାବତୁ ।
ମିତା ପାତୁ ସ୍ତନଦ୍ୱନ୍ଦ୍ୱଂ ଯୋନିମଣ୍ଡଳଦେବତା ॥

ବ୍ରାହ୍ମୀ ମେ ଜଠରଂ ପାତୁ ନାଭିଂ ନାରାୟଣୀ ତଥା ।
ଊରୁ ମାହେଶ୍ୱରୀ ନିତ୍ୟଂ ଚାମୁଣ୍ଡା ପାତୁ ଲିଙ୍ଗକଂ ॥

କୌମାରୀ ଚ କଟୀଂ ପାତୁ ତଥୈବ ଜାନୁୟୁଗ୍ମକଂ ।
ଅପରାଜିତା ଚ ପାଦୌ ମେ ବାରାହୀ ପାତୁ ଚାଙ୍ଗୁଲୀନ୍ ॥

ସନ୍ଧିସ୍ଥାନଂ ନାରସିଂହୀ ପତ୍ରସ୍ଥା ଦେବତାବତୁ ।
ରକ୍ଷାହୀନନ୍ତୁ ଯତ୍ସ୍ଥାନଂ ବର୍ଜିତଂ କବଚେନ ତୁ ॥

ତତ୍ସର୍ୱଂ ରକ୍ଷ ମେ ଦେବି କାଳିକେ ଘୋରଦକ୍ଷିଣେ ।
ଊର୍ଦ୍ଧମଧସ୍ତଥା ଦିକ୍ଷୁ ପାତୁ ଦେବୀ ସ୍ୱୟଂ ବପୁଃ ॥

ହିଂସ୍ରେଭ୍ୟଃ ସର୍ୱଦା ପାତୁ ସାଧକଞ୍ଚ ଜଲାଧିକାତ୍ ।
ଦକ୍ଷିଣାକାଳିକା ଦେବୀ ବ୍ୟପକତ୍ୱେ ସଦାବତୁ ॥

ଇଦଂ କବଚମଜ୍ଞାତ୍ୱା ଯୋ ଜପେଦ୍ଦେବଦକ୍ଷିଣାଂ ।
ନ ପୂଜାଫଳମାପ୍ନୋତି ବିଘ୍ନସ୍ତସ୍ୟ ପଦେ ପଦେ ॥

କବଚେନାବୃତୋ ନିତ୍ୟଂ ଯତ୍ର ତତ୍ରୈବ ଗଚ୍ଛତି ।
ତତ୍ର ତତ୍ରାଭୟଂ ତସ୍ୟ ନ କ୍ଷୋଭଂ ବିଦ୍ୟତେ କ୍ୱଚିତ୍ ॥

ଇତି କାଳୀକୁଳସର୍ୱସ୍ୱେ କାଳୀକବଚଂ ଅଥବା ଶ୍ରୀମଦ୍ଦକ୍ଷିଣକାଳୀକାକବଚମ୍
ସମାପ୍ତମ୍ ॥

(ବିଶେଷ ସୂଚନା :- ଦଣ୍ଡନାଚ ର ଅସଲି ଶାସ୍ତ୍ରୋକ୍ତ କିମ୍ବଦନ୍ତୀ ଏଠାରେ ସମ୍ପୂର୍ଣ୍ଣ ଏଠାରେ ଉଲ୍ଲେଖ କରାଯାଇନାହିଁ କାରଣ ତାହା ଗୁପ୍ତ ଅଟେ)
କଵି- ସୁରଚାଦ)

Colection- Manas Rout

Source- Social Media

Related Posts

About The Author

Add Comment