ଟିଟୋର ୧୭ ଲକ୍ଷର ସୌଖିନ୍‌ ବାଇକ୍‌ ଖୋଜୁଛି ଏସ୍‌ଟିଏଫ

Spread the love

କେନ୍ଦ୍ରାପଡ଼ା, 13/7 (ସନ୍ଧାନ ନିୟୁଜ): ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ ଅଲ୍ଲୀର ଦ୍ୱିତୀୟ ଦଫା ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଆସନ୍ତାକାଲି ତାକୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ। କେନ୍ଦ୍ରାପ଼ଡାରେ ଏସ୍‌ଟିଏଫ୍‌ ଟିମ୍‌ ଟିଟୋ ସାମ୍ରାଜ୍ୟର ଚେର ଖୋଜୁଛନ୍ତି। ତା’ ପାଖରେ ଥିବା ୧୭ ଲକ୍ଷ ଟଙ୍କା ମୂଲ୍ୟର ବାଇକକୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି ତଦନ୍ତକାରୀ ଅଧିକାରୀ। ଏହି ହାଡ୍‌ଲେ ଡେଭିଡସନ୍‌ ବାଇକକୁ ଖୋଜିବା ପାଇଁ ଭୁବନେଶ୍ୱରରୁ ଆସିଥିବା ତାର ନିକଟ ସମ୍ପର୍କୀୟଙ୍କୁ ପଚରା ଉଚରା ଚଳାଇଛନ୍ତି। ଏହି ସୌଖିନ ବାଇକ୍‌କୁ ଟିଟୋର ସଂପର୍କୀୟମାନେ ହିଁ ବ୍ୟବହାର କରୁଥିଲେ। ଏହି ଗାଡ଼ିରେ ଉଲ୍ଲେଖ ଥିବା ନମ୍ବର ଜାଲ୍‌ ବୋଲି ସନ୍ଦେହ କରାଯାଉଛି। ଲକ୍ଷାଧିକ ଟଙ୍କାର ଟିକସ୍‌ ଫାଙ୍କିବା ପାଇଁ ଏହାକୁ ପଂଜୀକରଣ କରାଯାଇ ନଥିବା ସନ୍ଦେହ କରାଯାଉଛି।

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବାଲିଘାଟ ନିଲାମରେ ଟିଟୋକୁ ଅନୁକମ୍ପା ଦେଖାଇଥିବା କିଛି ଅଫିସରଙ୍କ ସମ୍ପର୍କରେ ଏସଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଛି। ଆଜି ସଂଧ୍ୟା ସୁଦ୍ଧା କେନ୍ଦ୍ରାପଡ଼ା ସମେତ ମାର୍ଶାଘାଇ, ଗରଦପୁର, ମହାକାଳପଡ଼ା, ଡେରାବିଶ, ପଟ୍ଟାମୁଣ୍ଡାଇରୁ ବାଲି ଖାଦାନ ସମ୍ପର୍କିତ ଚୂଡ଼ାନ୍ତ ରିପୋର୍ଟ ପହଁଚି ପାରି ନାହିଁ । ଏହି ରିପୋର୍ଟ ଭିତ୍ତିରେ ସଂପୃକ୍ତ ଅଧିକାରୀଙ୍କୁ ଏସଟିଏଫ୍‌ ଜେରା ପାଇଁ ପଦକ୍ଷେପ ନେବ।

ସ୍ୱତନ୍ତ୍ର ଟାସ୍କଫୋର୍ସ ଓ କେନ୍ଦ୍ରାପଡ଼ା ପୁଲିସ୍‌ ପାଟକୁରା ଥାନା ଅନ୍ତର୍ଗତ ଆଇତିପୁରରେ ଥିବା ଏକ ବାଲିଖାଦାନର ଠିକାଦାର ରୁଦ୍ରପତି ସାମନ୍ତରାୟଙ୍କ ଘରେ ଚଢ଼ାଉ କରିଥିଲେ । ରୁଦ୍ରପତି ଫେରାର ହୋଇ ଯାଇଥିବା କୁହାଯାଉଛି। ରୁଦ୍ରଙ୍କୁ ଜେରା କରି ସ୍ୱତନ୍ତ୍ର ଟାସ୍କଫୋର୍ସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବ ବୋଲି ଆଶା ରଖିଛି। ଏଣୁ ତାଙ୍କୁ ତୁରନ୍ତ ହାଜର ହେବା ଲାଗି ନୋଟିସ୍‌ ଦିଆଯାଇଥିବା ସୂଚନା ମିଳିଛି।

ଜଣେ ଅଧିକାରୀ କହିଛନ୍ତି, ଟିଟୋକୁ ଜେରା ଓ ତଦନ୍ତ ବେଳେ ସ୍ଥାନୀୟ ସାମଗୁଡ଼ିଆ ଛକ ନିକଟରେ ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଚାଇଲଡ ଏଣ୍ଡ୍‌ ମଦର୍‌ କେୟାର ହସ୍ପିଟାଲକୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସଂପର୍କରେ ସୂଚନା ମିଳିଛି। ଟିଟୋର ଅନୁଗତଙ୍କ ନାମରେ ଏହା ସବ୍‌ଲେଟ୍‌ ହୋଇଥିବା କୁହାଯାଉଛି। ମନୋରମା କନ୍‌ଷ୍ଟ୍ରକ୍‌ସନ୍‌, ସରୋଜ କନ୍‌ଷ୍ଟ୍ରକ୍ସନ୍‌ ଓ ଏଏମ୍‌ଟିଏସ୍‌ ଭଳି କମ୍ପାନି ଏହି ବୃହତ୍‌ କୋଠାର ନିର୍ମାଣ କରୁଥିଲେ। ସେସବୁ ପାଇଁ କିପରି ଲକ୍ଷ ଲକ୍ଷ ଟଙ୍କାର କଞ୍ଚାମାଲ ବାଲି, ମେଟାଲ୍‌, ଚିପ୍ସ ସବୁ କାମ ଟିଟୋର ସଂପର୍କୀୟଙ୍କ ନାମରେ କରାଯାଇଛି ସେ ନେଇ ସ୍ୱତନ୍ତ୍ର ଟାସ୍କଫୋର୍ସ ତଥ୍ୟ ଯୋଗାଡ଼ କରୁଛି। ଏହି ଘଟଣାର ତଦନ୍ତରୁ ବାଲି ଖାଦାନର ଅପବ୍ୟବହାର ତଥ୍ୟ ପାଇଛି ପୁଲିସ।

Related Posts

About The Author

Add Comment