ଜୁନ ୧୦ ତାରିଖ ପୂର୍ବରୁ ରତ୍ନଭଣ୍ଡାର ଚାବି ଦେଇଦିଅ ପାଣ୍ଡିଆନ: ହିମନ୍ତ ବିଶ୍ୱଶର୍ମା

Spread the love

ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: ଓଡିଶାରେ ମୋଦୀ ଚାଉଳ ଦେଲେ, ନବୀନ ଅଖା ଦେଲେ । ଏମିତି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟ ସରକାର ଓଡିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଲେ । ଯଦି ମୋଦୀ ଚାଉଳ ଦେଲେ ତମେ ଡାଲି ନଚେତ୍ ଲୁଣ ଦେଇଥାନ୍ତ । ମାତ୍ର ରାଜ୍ୟ ସରକାର ୨ଟି ଅଖା ଦେଇ ଓଡିଶାବାସୀଙ୍କୁ ଅପମାନିତ କରିଛନ୍ତି । ଆଉ ସେହି ଝୁଲା ମଧ୍ୟ ଓଡିଶାରେ ତିଆରି ନୁହେଁ, ତାହା ତାମିଲନାଡୁରୁ ଆସିଛି । ଜଟନୀର ଛତାବରରେ ଆୟୋଜିତ ବିଜେପିର ପରିବର୍ତ୍ତନ ସଭାରେ ଏମିତି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଗାଏବ ହୋଇଯାଇଛି। ଓଡ଼ିଶା ସରକାର ସେହି ମାମଲାର ନ୍ୟାୟିକ ତଦନ୍ତ କରିଥିଲେ। ତାହାର ରିପୋର୍ଟ ବିଧାନସଭାରେ ଉପସ୍ଥାପନ କଲେନାହିଁ। ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ନବୀନବାବୁ କିଛି କରୁନାହାନ୍ତି କି କହୁ ନାହାନ୍ତି। ମୁଁ ଜାଣିଛି ରତ୍ନଭଣ୍ଡାର ଚାବି କାହା ପାଖରେ ରହିଛି। ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି। ମୁଁ ପାଣ୍ଡିଆନ୍‌ଙ୍କୁ କହିବାକୁ ଚାହୁଁଛି, ଜୁନ ୧୦ ତାରିଖ ପୂର୍ବରୁ ଚାବି ଦେଇଦିଅ। ନହେଲେ ବିଜେପି ସରକାର ଆସିଲେ ଚାବି ପାତାଳରେ ଲୁଚାଇ ରଖିଥିଲେ ଖୋଜି ବାହାର କରିଆଣିବୁ। ପାଣ୍ଡିଆନ୍‌ଙ୍କୁ ଅନୁରୋଧ, ୧୦ ଜୁନ୍ ପୂର୍ବରୁ ଆମକୁ ରତ୍ନଭଣ୍ଡାର ଚାବି ଦରକାର। ଆପଣଙ୍କ ପାଖରେ ଚାବି ରହିଛି। ସେହି ଚାବି ବାହାର କରି ଓଡ଼ିଶାର ଜନତାଙ୍କ ହାତରେ ଦିଅନ୍ତୁ ବୋଲି ଏମିତି ଶାଣିତ ସ୍ୱରରେ କହିଛନ୍ତି ହିମନ୍ତ ବିଶ୍ୱଶର୍ମା। ଶର୍ମା କହିଛନ୍ତି, ଆଜି ଦେଖନ୍ତୁ ନବୀନବାବୁ ନିଜେ ମାଇକ୍ ଉଠାଇ ପାରୁନାହାନ୍ତି। ଏଥିରେ କିଛି ଅସୁବିଧା ନାହିଁ। ମୋର ମଧ୍ୟ ସେମିତି ସମୟ ଆସିବ। ମୁଁ ମାଇକ୍ ଉଠାଇପାରିବି ନାହିଁ। କିନ୍ତୁ ସେହି ମାଇକ୍ ଧରିବା ପାଇଁ ଏ ଦୁନିଆରେ ଆଉ କେହି କ’ଣ ନାହାନ୍ତି? ନବୀନବାବୁ ଆପଣ ଚାକିରି ଦେଲନି, ସେହି କାମ ଓଡ଼ିଶାର ଯୁବକଙ୍କୁ ଦେଇଥାନ୍ତେ। ମାତ୍ର ତାହା ମଧ୍ୟ କଲନାହିଁ। ସେହି କାମ ପାଣ୍ଡିଆନଙ୍କୁ ଦେଇଦେଲ। ଏଥିରୁ ଜଣାପଡ଼ୁଛି ଆପଣ ଓଡ଼ିଶାର ଯୁବକଙ୍କୁ ବିଶ୍ୱାସ କରୁନାହାନ୍ତି ବୋଲି ବିଶ୍ୱଶର୍ମା କହିଛନ୍ତି।

Related Posts

About The Author

Add Comment