ନୂଆଦିଲ୍ଲୀ/ସନ୍ଧାନ ନ୍ୟୁଜ: ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ଖନ୍ନା । ସେ ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ।ପୂର୍ବରୁ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ ଅବସର ନେଇଥିଲେ । ଜଷ୍ଟିସ ଖନ୍ନାଙ୍କ ନାମ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା । ନଭେମ୍ବର ୧୦ରେ ୬୫ ବର୍ଷ ବୟସରେ ଚନ୍ଦ୍ରଚୁଡ଼ ଏହି ପଦବୀରୁ ଅବସର ନେଇଥିଲେ । ଏହାପରେ ଜଷ୍ଟିସ ସଞ୍ଜୀବ ଖନ୍ନା ସିଜିଆଇ ପଦ ସମ୍ଭାଳିଛନ୍ତି । ତେବେ ତାଙ୍କ କାର୍ଯ୍ୟକାଳ ମାତ୍ର ୬ ମାସ ରହିବ । ଆସନ୍ତା ବର୍ଷ ମେ’ ୧୩ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବ ।୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖନ୍ନା । ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଏହାପରେ ହାଇକୋର୍ଟରେ ଓକିଲାତି କରିଥିଲେ । ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଟିଂ କାଉନସେନ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ । ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ୍ ହୋଇଥିଲେ । ୨୦୦୬ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ।
ଜଷ୍ଟିସ ସଞ୍ଜୀବ ଖନ୍ନା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ନେଲେ ଶପଥ
|
November 11, 2024 |