ଜନତା ସିପାହୀ

Spread the love
  •  
  •  
  •  
  •  
  •  

ଦୟାକରି ଆପଣ ନିଜେ ଏବଂ ନିଜ ପରିବାରକୁ ରକ୍ଷା କରନ୍ତୁ । ୨୩ ମାର୍ଚ୍ଚ ୨୦୨୦ରେ କରୋନାରୁ ମୁକ୍ତି ପାଇଁ ଏଭଳି ଆବେଗପୂର୍ଣ୍ଣ ନିବେଦନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁରୂପ ଆନ୍ତରିକତାର ସହ କରୋନାରୁ ରାଜ୍ୟବାସୀଙ୍କୁ ମୁକ୍ତି ପାଇଁ ଉଦ୍ୟମ ଚଳାଇଛନ୍ତି । ଲେଖାଟି ପ୍ରସ୍ତୁତ କଲା ବେଳକୁ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୪ ହଜାର ଛୁଇଁଲାଣି । ଏମାନଙ୍କ ମଧ୍ୟରୁ ୯୯ ହଜାର ଆରୋଗ୍ୟ ହୋଇଥିବା ବେଳେ ୧୪ ହଜାର ୮୬ ଜଣଙ୍କର ମୃତ୍ୟୁ ହୋଇଛି । ସରକାର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ୧୪ ଟି ଜିଲ୍ଲାକୁ ଲକଡାଉନ କରିଛନ୍ତି । ଦେଶରେ ମଧ୍ୟ ୯୦ ସହରରେ ଲକଡାଉନ ହୋଇଛି । ସୁପ୍ରିମକୋର୍ଟ ଓ ହାଇକୋର୍ଟର କାର୍ଯ୍ୟଶୈଳୀରେ ବି କଟକଣା କରାଯାଇଛି । ଏପରିକି ଆଜି ସକାଳୁ ଲୋକସେବା ଭବନ ନାମରେ ପରିଚିତ ରାଜ୍ୟ ସଚ୍ଚିବାଳୟକୁ କର୍ମଚାରୀଙ୍କ ପ୍ରବେଶ ନେଇ କଟକଣା ଜାରି ହେଉଛି । ବ୍ୟାଙ୍କସେବା ବି ଅନଲାଇନରେ କରାଯିବାକୁ ନିଦେ୍ର୍ଦଶ ଜାରି ହୋଇଛି ।
ଲକଡାଉନ ମାନିବାକୁ ରାଜ୍ୟ ସରକାର ମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ହେଲେ ଗତକାଲି ଯେଉଁମାନେ ଜନତାକର୍ଫ୍ୟୁ ନିଷ୍ଠାର ସହ ପାଳନ କରିଥିଲେ, ଆଜି ସେମାନଙ୍କ ଭିତରେ ଲକଡାଉନକୁ ମାନିବାକୁ ସେଭଳି ଆନ୍ତରିକତା ଦେଖା ଯାଉନାହିଁ । ଆଜି ଲକଡାଉନର ଦ୍ୱିତୀୟ ଦିନରେ ସମ୍ବଲପୁର ପରି ସହରରେ ଲୋକେ ଅନାୟାସରେ ଅଯଥାରେ ବୁଲାବୁଲି କରୁଛନ୍ତି । ଗୋଲବଜାରରେ ସବୁଦିନିଆ ପରି ଭିଡ ଦେଖାଯାଉଛି । ଭୁବନେଶ୍ୱରର ଲିଙ୍ଗରାଜ ଥାନାର ପୋଲିସକୁ ଲକଡାଉନର ସଫଳତା ପାଇଁ ରାସ୍ତା ବ୍ଲକେଟ କରି ଲୋକଙ୍କୁ ବୁଝାଇବାକୁ ପଡୁଛି । କଟକରେ ପୋଲିସ ସାହି ସାହି ବୁଲି ଯେତେ ବୁଝାଇଲେ ବି ଲୋକେ ଆଶାନୁରୂପ ବୁଝିବାକୁ ନାରାଜ । କଟକର ଛତ୍ରବଜାରରେ ବେଶ ଗହଳି ଚହଳି ଲାଗି ରହିଛି । ଲକଡାଉନ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଦେ୍ର୍ଦଶ ଦେବାକୁ ପରିସ୍ଥିତି ବାଧ୍ୟ କରିଛି ।
ଗତକାଲି ଜନତାକର୍ଫ୍ୟ କାର୍ଯ୍ୟକାରୀ ହେବା ବେଳେ ଅନୁଭୂତ ହେଉଥିଲା ସତେ ଯେପରି ଅଖଣ୍ଡ ଭାରତର ଜନମନ ଏକକାର ହୋଇଯାଇଛି । ଏଭଳି ଏକତା ପୁଣି ଥରେ ମୁକ୍ତି ସଂଗ୍ରାମରେ ଭାରତୀୟଙ୍କ ଏକତାକୁ ମନେ ପକାଇ ଦେଇଛି । ଜନତାକର୍ଫ୍ୟୁ ଜରିଆରେ କରୋନା ବିରୋଧରେ ଭାରତୀୟଙ୍କ ଭିତରେ ମହାନ ଭାରତୀୟ ଚିନ୍ତାଧାରାକୁ ଜାଗ୍ରତ କରିଥିଲା । ଭୁବନେଶ୍ୱରର ଆକାଶମାର୍ଗରୁ ଦୃଶ୍ୟ ଏହା ଅଧିକ ପ୍ରମାଣିତ କରୁଥିଲା । ଦେଶର ଆପଦ କାଳୀନ ପରିସ୍ଥିତିରେ ଆମେ କେତେ ସଂଯମ ଓ ଶୃଙ୍ଖଳିତ ତାହା ବି ପ୍ରମାଣିତ କରୁଥିଲା । ସତେ ଯେପରି ଆମକୁ ଶୃଙ୍ଖଳିତ ହେବାକୁ କୌଣସି ବାଧ୍ୟବାଧକତା, ଆଇନ କାନୁନ ଭୟର ଆବଶ୍ୟକତା ନାହିଁ । ଏଠି ନରେନ୍ଦ୍ର ମୋଦୀଙ୍କୁ କିମ୍ବା ନବୀନ ପଟ୍ଟନାୟକଙ୍କୁ ଆଦୌ ରାଜନୈତିକ ବାହାଦୁରୀ ଦେବାକୁ ଚାହୁଁନାହୁଁ । କାରଣ ଦେଶର ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ଲୋକଙ୍କ ମଧ୍ୟରେ ଦେଶର ସୁରକ୍ଷା ପାଇଁ ଏଭଳି ଏକତାବଦ୍ଧ ସଂକଳ୍ପ ଦେଶବାସୀଙ୍କ ନିଷ୍ଠା ଓ ଆନ୍ତରିକତାକୁ ଅଧିକ ସାବାସି ଦେବାର ଆବଶ୍ୟକତା ରହିଛି ।
ହେଲେ ସେହି ଆନ୍ତରିକତା ଗୋଟିଏ ଦିନ ପରେ ଉଭେଇ ଯିବା ଆମର ସବୁ ପ୍ରତିବଦ୍ଧତାକୁ କାଠଗଡାରେ ଠିଆ କରାଇ ଦେଇପାରେ । ପରିସ୍ଥିତି କେତେ ଗମ୍ବୀର ତାହା ଆମେ ସମସ୍ତେ ବ୍ୟକ୍ତିଗତ ଭାବେ କେତେ ବୁଝିଛେ ତାହା ଅପେକ୍ଷା ଆମ ସରକାର ଅଧିକ ବୁଝିଛନ୍ତି । ସେଥିପାଇଁ ଦେଶର ଆର୍ଥିକ ସ୍ଥିତି ଉପରେ ଭୟଙ୍କର ମାଡ ହେଉଥିବା ପରେ ବି ସରକାର ସବୁ ବନ୍ଦ କରୁଛନ୍ତି । କୌଣସି ଜନମଙ୍ଗଳ ରାଷ୍ଟ୍ରର ସରକାର ସାଧାରଣ ଜନଜୀବନ କିମ୍ବା ସରକାରୀ ଦପ୍ତରକୁ ବନ୍ଦ କରିବାକୁ ଚାହେଁନାହିଁ । ଆମକୁ ଗୋଟିଏ କଥା ବୁଝିବା ଦରକାର, ସରକାର ପରିସ୍ଥିତିର ଭୟାବହତାକୁ ଦୂରରୁ ଦେଖି ପ୍ରତିକାର ବ୍ୟବସ୍ଥା କରୁଛନ୍ତି । ଯାହା କି, ଜଣେ ସାଧାରଣ ଜନତା ପକ୍ଷେ ଜାଣିବା କିମ୍ବା ଜଣାଇବା ସମ୍ବବ ହୋଇ ନଥାଏ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଛାତ ଉପରେ ଠିଆ ହୋଇ ବାଜା ବଜାଇ ଲୋକଙ୍କୁ ସଚେତନ କରିଛନ୍ତି । ଏଥିପାଇଁ ସରକାର ବାଧ୍ୟ ହୋଇ ଆହୁରି କଠୋର ହେବାକୁ ବି ପଡିଲାଣି ।
ଏକଥା ସତ୍ୟ ଯେ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପାଇଁ ଲୋକଟିକୁ ବାହାରକୁ ଯିବାକୁ ପଡୁଛି । କିନ୍ତୁ ଯେଉଁ ହାରରେ ଲୋକେ ଆଜି ଲକ ଡାଉନକୁ ନମାନି ଚଳପ୍ରଚଳ କରୁଛନ୍ତି, ସେ ସମସ୍ତଙ୍କ ପାଇଁ ବାହାରକୁ ବାହାରିବା ଅତ୍ୟାବଶୀକ ବୋଲି ଗ୍ରହଣ କରିହେବ ନାହିଁ । ଆମେ ନିଜେ ନିଜର ବିବେକକୁ ପଚାରିଲେ ବି ଏହାର ଉତ୍ତର ମିଳିଯିବ । ଏଣେ ଆନ୍ତରାଜ୍ୟ ଗାଡି ଚଳାଚଳ ନହେବା ଫଳରେ ବାହାର ରାଜ୍ୟରୁ ଆସୁଥିବା ପନିପରିବା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ସଙ୍କଟ ଠିଆ ହେବାକୁ ଏଡେଇ ଦିଆଯାଇ ନପାରେ । ଏଭଳି ଅବସ୍ଥାରେ ଅଭାବି ବିକ୍ରି କିମ୍ବା ଗୁଜବ ପ୍ରଚାର କରାଇ ଚଢାଦରରେ ବିକ୍ରିକୁ ବି ଅସ୍ୱୀକାର କରାଯାଇ ନପାରେ । ଏଭଳି କଳାବଜାରୀକୁ ରୋକିବା ପାଇଁ ସରକାର ଅଧିକ ଯତ୍ନବାନ ହେବା ଜରୋରୀ । ସବୁ ପରେ ବି ଲୋକେ ଏତେ ଶିଘ୍ର ଖାଇବା ପିଇବା କ୍ଷେତ୍ରରେ ସମସ୍ୟାରେ ପଡିବେ ନାହିଁ । ସବୁଦିନ ପରି ମଉଜ ମଜଲିସରେ ରହି ଭଲରେ ଉନ୍ନତମାନର ଖାଦ୍ୟ ନଖାଇଲେ ବି ବଂଚିବା ପାଇଁ ଖାଦ୍ୟ ଆମର ପ୍ରତ୍ୟେକ ଲୋକ ଓ ପରିବାର ନିକଟରେ ରହିଛି । କରୋନା କବଳରୁ ବଂଚିଲେ ତ ଖାଇ ପିଇ ଆରାମରେ ରହିବା । ଏହି ମାନସିକତା ସମସ୍ତଙ୍କ ଭିତରେ ରହିବା ଜରୋରୀ । ସେଥିପାଇଁ ଜନତା କର୍ଫ୍ୟ ପରି ଲୋକେ ଜନତା ସିପାହୀ ହେବା ଆବଶ୍ୟକ । ନିଜେ ନିଜ ପାଇଁ ଏବଂ ନିଜ ଅଂଚଳ ପାଇଁ ପ୍ରତ୍ୟେକ ସିପାହୀ ହୋଇଗଲେ ଲକଡାଉନର ସଫଳତା ପାଇଁ ଆଉ ପୋଲିସ ଉଦ୍ୟମ ଲୋଡା ହୁଅନ୍ତା ନାହିଁ । ଆସନ୍ତୁ ରାଷ୍ଟ୍ରର ଏଭଳି ଘଡିସନ୍ଧି ସମୟରେ ସବୁ ଲୋକେ ଜନତା ସିପାହୀ କାର୍ଯ୍ୟ କରିବା

-ସତୀଶ ବିଶ୍ୱାଳ- ବରିଷ୍ଠ ସାମ୍ବାଦିକ, ଭୁବନପୁର, ଗଡମଧୁପୁର, ଧର୍ମଶାଳା, ଯାଜପୁର

Related Posts

About The Author

Add Comment