ଚଣ୍ଡିଖୋଲ,୨୦/୬(ସନ୍ଧାନ ନିୟୁଜ)-ଚଣ୍ଡିଖୋଲ ଛକରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦୋକାନ ଗୃହକୁ ବୁଧବାର ଦର୍ପଣ ତହସିଲ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ତିନଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ଚଣ୍ଡିଖୋଲ ଛକରେ ବେଆଇନ ଭାବେ ଦିର୍ଘଦିନ ହେବ କିଛି ବ୍ୟବସାୟୀ ଅସ୍ଥାୟୀ ଭାବେ ଗୃହ ନିର୍ମାଣ କରି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଚଣ୍ଡିଖୋଲ ଛକରୁ ବାଲେଶ୍ୱର ପର୍ଯ୍ୟନ୍ତ ଛଅଲେନ କରାଯିବା ସହିତ ଚଣ୍ଡିଖୋଲ ଛକରୁ ରାଜାମୁଣ୍ଡା ଚାରିଲେନ ଓ ୧୬ନମ୍ବର ଜାତୀୟ ରାଜପଥକୁ ୬ଲେନ ପରିବର୍ତ୍ତେ ୮ଲେନ କରାଯିବା ପାଇଁ ପ୍ରସ୍ଥାବ ଗୃହୀତ ହୋଇଥିବା ବେଳେ ଜାତୀୟ ରାଜପଥ ପ୍ରାଧିକରଣ ଏହାକୁ ମଞ୍ଜୁର କରିଛନ୍ତି ।
ଚଣ୍ଡିଖୋଲ ଛକର ସୌନ୍ଦର୍ଯ୍ୟ କରଣ ଓ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ କିଛିଦିନ ତଳେ ଜିଲା ପ୍ରଶାସନର ନିଦେ୍ର୍ଧଶରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦୋକାନ ଗୃହକୁ ଉଚ୍ଛେଦ କରାଯାଇଥିଲା । କିନ୍ତୁ ଉଚ୍ଛେଦ କରାଯାଇଥିବା ସ୍ଥାନ ମାନଙ୍କ ଠାରୁ ଅଳ୍ପ ଦୂରରେ ପୁନଃ ଦୋକାନ ସ୍ଥାପନ କରିଥିଲେ । ଫଳରେ ବହୁ ସମୟରେ ଟ୍ରାଫିକ ସମସ୍ୟା ସହିତ ବାହାରୁ ଆସୁଥିବା ବିଭିନ୍ନ ପର୍ଯ୍ୟଟକ ମାନଙ୍କୁ ଯାନ ପାରକିଂ ପାଇଁ ଅସୁବିଧା ହେବାନେଇ ତହସିଲ ପକ୍ଷରୁ ସ୍ଥାନ ପ୍ରତ୍ୟାବର୍ତ୍ତନ ପାଇଁ ନୋଟିସ ଜାରୀ କରାଯାଇଥିଲା । ନୋଟିସକୁ ଅବମାନନା କରିଥିବାରୁ ବୁଧବାର ତହସିଲଦାର ଅଶୋକ କୁମାର ଦାସଙ୍କ ଉପସ୍ଥିତିରେ ଜେସିବି ମେସିନ ସାହାର୍ଯ୍ୟରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ।
ପ୍ରଶାସନର ଏଭଳି ନିଷ୍ପତ୍ତିକୁ କ୍ଷୁଦ୍ର ବ୍ୟବସାୟୀ ମାନେ ନାପସନ୍ଦ କରିବା ସହିତ ଉଚ୍ଛେଦ କାର୍ଯ୍ୟରେ ପାତରଅନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି । ସରକାର ସେମାନଙ୍କୁ ଥଇଥାନ କରିବା ପରିବର୍ତ୍ତେ ଏପରି ବାରମ୍ବାର ସେମାନଙ୍କର ଦୋକାନ ଗୃହକୁ ଭାଙ୍ଗିଦେବା ଫଳରେ ଜୀବିକା ନିର୍ବାହ ଉପରେ ପ୍ରଶାସନ ବାଧକ ସାଜୁଥିବା କିଛି ଦୋକାନୀ ମାନେ ପ୍ରକାଶ କରିଛନ୍ତି । ଉଚ୍ଛେଦ ସମ୍ପର୍କରେ ତହସିଲଦାର ଶ୍ରୀ ଦାସଙ୍କ ସହ ଯୋଗାଯୋଗ କରିବାରୁ ମୁଁ ସାତଦିନ ତଳୁ ଉଚ୍ଛେଦ ପାଇଁ ନୋଟିସ କରିଥିଲେ ଏବଂ ମଙ୍ଗଳବାର ରାତିରେ ଦୋକାନୀ ମାନଙ୍କୁ ଉଚ୍ଛେଦ ସମ୍ପର୍କରେ ଅବଗତ କରିଥିଲି ବୋଲି କହିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ସହ ପୁଲିସ ଟିମ ଉପସ୍ଥିତଥିଲେ ।