ସମ୍ବଲପୁର/ସନ୍ଧାନ ନ୍ୟୁଜ: ସଦର ଥାନା ମାନେଶ୍ଵର ହାଟପଦାରେ ଜଣଙ୍କ ଘରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ବୃଦ୍ଧା ମାଆ ଏବଂ ଝିଅ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି । ସର୍ଟ ସର୍କିଟ ନା ଏହା ପଛରେ ଆଉ କିଛି କାରଣ ରହିଛି ତାହାର ତଦନ୍ତ ପୋଲିସ ଆରମ୍ଭ କରିଛି । ମୃତା ମାଆଝିଅ ହେଲେ ୯୦ ବର୍ଷୀୟା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ୬୨ ବର୍ଷୀୟା ସୈରେନ୍ଦ୍ରି ଦୀକ୍ଷିତ ।ଗତ ରାତିରେ ମାଆ, ଝିଅ ହାଟପଦାସ୍ଥିତ ନିଜ ଘରର ଉପର ମହଲାରେ ଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । କେବଳ ଉପର ମହଲାରେ ହିଁ ନିଆଁ ଲାଗିଥିବା ବେଳେ ମାଆ, ଝିଅ ତା’ ଭିତରୁ ବାହାରି ନ ପାରି ଚିତ୍କାର କରିଥିଲେ । ଆଖପାଖ ଲୋକେ ଏହା ଶୁଣି ତୁରନ୍ତ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ମାଆ, ଝିଅକୁ ଭିତରୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ଉଭୟଙ୍କ ଜୀବନ ଚାଲିଯାଇଥିଲା ।ଉଭୟ ମାଆ, ଝିଅ ରହୁଥିବା ବିଲ୍ଡିଂର ତଳ ମହଲା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଉପର ମହଲାରେ କିପରି ନିଆଁ ଲାଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ବିଦ୍ୟୁତ୍ ସର୍ଟ ସର୍କିଟ ଜନିତ ଦୁର୍ଘଟଣା ନା ଏହା ପଛରେ ଆଉ କିଛି ଷଡଯନ୍ତ୍ର ଅଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଏଥିସହ ଉଭୟଙ୍କ ପରିବାରରେ ଆଉ କିଏ କିଏ ସଦସ୍ୟ ଅଛନ୍ତି, ସେମାନେ କେଉଁଠି ଅଛନ୍ତି ଓ ମାଆ, ଝିଅଙ୍କ ସହ ସେମାନଙ୍କ ସମ୍ପର୍କ କିପରି ଅଛି ତାହାର ବି ତଦନ୍ତ କରୁଛି ପୋଲିସ୍ ।
ଘରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ମାଆ,ଝିଅ
|
November 6, 2024 |