ବାରିପଦା, 05.02.2021 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଥିଲେ ଗୋଡ଼ ନଥାଇ ମଧ୍ୟ ଜଣେ ପାହାଡ଼ର ଶୀର୍ଷରେ ପହଞ୍ଚିଯାଇଥାଏ । ଏହା ମନୁଷ୍ୟକୁ ଅସାଧାରଣ ସ୍ଥାନରେ ପହଞ୍ଚାଇ ଦେଇଥାଏ । ଏହାର ଏକ ଉଦାହରଣ ପାଲଟିଛନ୍ତି ଛତିଶଗଡ଼, ଅମ୍ୱିକାପୁର ଡିଗ୍ମା ପଞ୍ଚାୟତର ଦିବ୍ୟାଙ୍ଗ ଛାତ୍ର ମହେଶ । ତାଙ୍କର ଜନ୍ମରୁ ଗୋଟିଏ ହାତ ନଥିବା ବେଳେ ଅନ୍ୟହାତଟି ସମ୍ପୂର୍ଣ୍ଣ ବିକଶିତ ହୋଇନାହିଁ । କିନ୍ତୁ ସେ ହାରି ନାହାନ୍ତି । ଗୋଡ଼ରେ କଲମ ଧରି ଦଶମ ପରୀକ୍ଷା ଦେବାକୁ ସେ ପ୍ରସ୍ତୁତ ହୋଇଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ ସେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମେ ପଢ଼ିବା ପରେ ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି । ଦୁଇ ବର୍ଷ ପୂର୍ବରୁ ମହେଶଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଛି । ତଥାପି କିନ୍ତୁ ସେ ଭାଙ୍ଗିପଡ଼ି ନାହାନ୍ତି । ତାଙ୍କ ଲକ୍ଷ୍ୟକୁ ପୂରଣ କରିବାକୁ ବାହିରି ପଡ଼ିଛନ୍ତି । କରୋନା କାରଣରୁ ସ୍କୁଲ୍ ବନ୍ଦ ହେବା ପରେ ମହେଶ ଅନ୍ଲାଇନ୍ରେ ପାଠ ପଢ଼ିଥିଲେ ଏବଂ ଗୋଡ଼ରେ ଲେଖି ପରୀକ୍ଷାର ପ୍ରସ୍ତୁତି କରୁଥିଲେ । ହାତ ନଥିବାରୁ ଲେଖା ଲେଖି କରିବାରେ ତାଙ୍କୁ ବହୁତ କଷ୍ଟ ହୋଉଥିଲା । କିନ୍ତୁ ତାଙ୍କ ଇଚ୍ଛାଶକ୍ତି ଏତେ ଥିଲା ଯେ, ସେ ଗୋଡ଼ରେ ଲେଖୁଥିବା ଲେଖା ଜଣେ ସୁସ୍ଥ ବ୍ୟକ୍ତିର ହାତ ଲେଖା ଠାରୁ କୌଣସି ଗୁଣରେ କମ୍ ନଥିଲା । ଅମ୍ୱିକାପୁରର ଜିଲ୍ଲା ଅଧିକାରୀ ମହେଶକୁ ନେଇ କହିଛନ୍ତି ଯେ, ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ତାର ଇଚ୍ଛାଶକ୍ତି ପ୍ରବଳ ରହିଛି । ତେଣୁ ମହେଶ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଅଲଗା ବ୍ୟବସ୍ଥା କରାଯାଉଛି । ଏହାଛଡ଼ା ମାଧ୍ୟମିକ ଶିକ୍ଷା ପରିଷଦ ମଣ୍ଡଳକୁ ଚିଠି ଲେଖି ମହେଶକୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ସେ ପ୍ରୟାସ କରୁଥିବା କହିଛନ୍ତି ।
ଗୋଡ଼ରେ ଲେଖି ଦଶମ ଶ୍ରେଣୀ ପରୀକ୍ଷା ଦେବେ ଦିବ୍ୟାଙ୍ଗ ଛାତ୍ର
|
February 5, 2021 |