ଗଣିକା ( ବୃତ୍ତ – କାଳୀ )

Spread the love
  •  
  •  
  •  
  •  
  •  

ଗଣିକା ( ବୃତ୍ତ – କାଳୀ )

ମଧୁର ତାନେ ଶୁଭିଲା କାନେ
ସରସ ସୁରେ ଗୀତ
ଗବାକ୍ଷ ରନ୍ଧ୍ରେ ଭବନ ମଧ୍ୟେ
ନିରେଖି ହେଲି ପ୍ରୀତ ।
କେମନ୍ତ ଶାଳା କିଏ ଏ ବାଳା
କାହିଁକି ଅବା ଗାଏ
ଜିଜ୍ଞାସା ଥାଇ ଦେଖିବା ପାଇଁ
ନିକଟେ ଚାଲିଯାଏ ।
ପଦାକୁ ଆସି ଅଳପ କାଶି
ପଚାରି ଶୁଣୁଶୁଣୁ
ଥିଲା କି ସନ୍ନେ ଯୁବତୀ ଜଣେ
ଶୁଭିଲା ରୁଣୁଝୁଣୁ ।
ଗଣିକା ଏକ କହିଲା ଦେଖ
ଭାବନି ମୋତେ ପର
ଏମିତି ବାଟେ ବଜାର ହାଟେ
କରିଛି ବୋଲି ଘର ।
ଏହି ମୋ ଦେଶୀ ଭବନେ ବେଶି
ଦରବ ନାହିଁ ସିନା
ଭରଇ ନିତି ପାତ୍ରରେ ପ୍ରୀତି
ଆଦରେ ଶଙ୍କା ବିନା ।
ଗଳାରେ ମାଳି ପୂଜାର ଥାଳି
ଦେଖୁନ ଭଲେ ହାତେ
ଗରାଖ ପ୍ରତି ଅରପେ ଭକ୍ତି
ବିଶେଷ ଶ୍ରଦ୍ଧା ସାଥେ ।
ଭାଗ୍ୟକୁ ଧରି ବେପାର କରି
ସାଜିଲି ବାରବଧୂ
ସଜାଇ ଶଯ୍ୟା ଛାଡିଛି ଲଜ୍ଜା
ଆସ ହେ ଆସ ବନ୍ଧୁ ।
ସମାଜେ ଏହି ମିଳନ୍ତି କେହି
ପୁରୁଷ ତୁମ ଭଳି
ଭାବରେ ମୋର କ୍ଷଣିକ ଡୋର
କରନ୍ତି ପ୍ରୀତି ଅଳି ।
ଦୁଆରେ ଆସି ଭାବନ୍ତି ଦାସୀ
କହନ୍ତି ଚାଟୁ କଥା
ତଥାପି ହସି ଯାଇଛି ରସି
ସହିଛି ପଛେ ବ୍ଯଥା ।
କହେ କେ’ ଖୋଲି ସୁନ୍ଦରୀ ବୋଲି
ମୋ ଲାଗି ହୋଇ ବାଇ
ନିଶାରେ ଢଳି ରସିକ ଭଳି
ବେସୁରା ଗୀତ ଗାଇ ।
ଛଟକେ ଭାରି ଅଳପ ଠାରି
ଉନ୍ନତ ମୋର ଛାତି
ଦର୍ଶାଇ ଥିରେ ସଞ୍ଚାଳି ଧୀରେ
ଖେଳଇ ରଙ୍ଗେ ମାତି ।
ଆଉଁଷି ଶିରେ ମଧୁର ଗିରେ
କେ କହେ ଆଗୋ ସଖୀ
ବିରହ ଘାରେ ଯେଣୁ ତୋ’ଠାରେ
ହୃଦୟ ଅଛି ରଖି ।
କେତେ ଯେ କବି ମୋ ରୂପଛବି
ନୟନ ଭରି ଦେଖି
ଏଇଠି ବସି ଭାବରେ ରସି
ଭଣନ୍ତି ଗୀତ ଲେଖି ।
ଅଥବା କିଏ କହନ୍ତି ପ୍ରିୟେ
ଓଢଣା ଦିଅ ଢାଙ୍କି
ମୋ କଟି ଭଙ୍ଗ ନିରେଖି ରଙ୍ଗ
ଭରନ୍ତି ଚିତ୍ର ଆଙ୍କି ।
ପୃଥୁଳ ଭାରୀ ବୁକୁରେ ଭାରି
ଆସକ୍ତି ସବୁ କଳି
ସଜାଏ ଧରି ଯତନ କରି
ସରଗପରୀ ଭଳି ।
ମଧୁର ଆଶେ ଯେ ମୋର ପାଶେ
ଲୋଡ଼ଇ ରତି ଘୋର
ଏମନ୍ତ ଲୋକ ବଢାନ୍ତି ଭୋକ
ମରମ ତଳେ ମୋର ।
ଉଶ୍ୱାସ ମନେ ଯାଆନ୍ତି ଜନେ
ସଂସାରୀ ଉଚ୍ଚକୁଳୀ
ଏହି ମୋ ଘରେ ନିଶ୍ଚୟ ଝରେ
ପୟରୁ ତାଙ୍କ ଧୂଳି ।
ଅଶନ ବିନା ସହଇ ସିନା
ପୀଡ଼ନ ପେଟ ତଳେ
ସଦନେ ରୋଳ ଶୁଣିଲେ ଭୋଳ
ଆବେଶେ ରହି ଜଳେ ।
କାମୁକ ଆସେ କାମିନୀ ପାଶେ
ବଢାଇ ତୃଷ୍ଣା ଜୋର
ସେବେଳେ ନାରୀ ଜାଗଇ ଭାରି
ମରମ ଭେଦି ମୋର ।
ଯେତେକ ଜନ ତୋଷନ୍ତି ମନ
ମୋଠାରେ ପ୍ରତି ଦିନ
କାମୋଦୀ ତାନେ ପୀରତି ଦାନେ
ଭାବରେ ହୁଏ ଲୀନ ।
ମୋ’ ନିଜ ହାତେ ପସରା ପାତେ
ବିକଇ ନିତି ଦେହ
ସକାଳ ସଞ୍ଜେ ମନକୁ ରଞ୍ଜେ
ପାରୁଛ ଯେତେ ଲେହ ।
ସଭିଙ୍କ ଶୋଷ ମେଣ୍ଟାଇ ତୋଷ
କରିଛି ଦିବାନିଶି
ହେଲେ ତ କାହିଁ ଅନ୍ତରେ ଚାହିଁ
ପାରିନି କିଏ ମିଶି !
ହୃଦୟ ଜିତି କେହି ବି ପ୍ରୀତି
ଦେଇ ତ ନାହିଁ ଲବେ
ପ୍ରେମିକ ପଣେ ପୁରୁଷ ଜଣେ
ପାଇଲି ନାହିଁ ଭବେ ।
ହାରିଛି ଚେତା ଯଦି କେ ନେତା
ଝୁଣିଛି ମୋର ତନୁ
କହୁଛି ସତ ସହିଛି କ୍ଷତ
ରୁଧିର ବାହି ଥନୁ ।
ମୋହରି ଭଳି ବିପଥେ ଚଳି
ତରୁଣୀ ଯା’ନ୍ତି ସଢି
କୁଳଟା ବୋଲି କଳଙ୍କ ବୋଳି
ସମାଜ ଦିଏ ତଡି ।
ସାଥୀଙ୍କ ମେଳେ କୈଶୋର ବେଳେ
ତରୁଣ ପରେ ରସି
ବାସନା ବଳେ ତରୁଣୀ ଚଳେ
ପାଦ କା’ ଯାଏ ଖସି ।
ପଡ଼ିଲେ ଧରା ସମାଜ ପରା
ଯାତନା ଦିଏ ବେଶି
ଇଜ୍ଜତ ହରି ଲାଞ୍ଛନା ଭରି
ଦହନ୍ତି ପ୍ରତିବେଶୀ ।
ଧଇର୍ଯ୍ୟ ନାଶି ଦିଏ କେ’ ଫାଶୀ
କେ’ ପୁଣି ଛାଡେ ଘର
ଆମରି ଲୋକ ଦେହର ଭୋକ
ମେଣ୍ଟାନ୍ତି ଟାଣି କର ।
ନସହି ଜ୍ବାଳା ଅନେକ ବାଳା
ଆସନ୍ତି ମୋର ପାଶେ
ରଖିଛି ହେଇ ଶରଣ ଦେଇ
କେତେକ ଏହି ବାସେ ।
ଧନିକ ପାଶେ ପେଶି ମୁଁ ଆସେ
ଏମନ୍ତ କେତେ ନାରୀ
ବ୍ୟାପାର କରି ପାଉଣା ଧରି
ବ୍ୟଥାରେ ହୁଏ ଘାରି ।
ଲୁହରେ ଭିଜେ ନିଜକୁ ନିଜେ
ଦେଇଛି ସିନା ବଳି
ଅନ୍ତର ଶୋକ କେହିବି ଲୋକ
ପାରିବ କି ହେ କଳି ?
ପାହିଲେ ରାତି ଯେତେକ ସାଥୀ
ଯାଆନ୍ତି କାହିଁ ଚାଲି
ଥାଏ ମୁଁ ଏକା କପାଳେ ଲେଖା
ତପତ ମରୁବାଲି ।
ଏବେ ମୁଁ ଭାବେ ପାପିନୀ ଠାବେ
ଆସିଛ କାହିଁ କୁହ
ପାଇବ କିସ ଯେତେକ ବିଷ
ଦେବ ହିଁ ସିନା ଲୁହ ।
ସଂସାର ଘର କରିଲ ପର
ଦେଇଛ କିବା ଛାଡ଼ି
ସନ୍ଧାନ କରି କାମନା ଧରି
ଆସିଛ ଏଠି ମାଡ଼ି ।
ତୁମରି ମୁଖ ଦେଖନ୍ତେ ସୁଖ
କେଜାଣି କାହୁଁ ହେଲା
ଆସ ହେ ଆସ ହେଲାଣି ପ୍ରାସ
ଦୁଆର ଅଛି ମେଲା ।
ଦରଦୀ ପରି ନେବ କି ହରି
ଦରଜ ମୋର ଏତେ
ମରମ ଫେଇ କୁହ କି ଦେଇ
ପାରିବ ପ୍ରୀତି ଯେତେ ।
ବେଦନା ସୁରା ରଖିଛି ପୂରା
ଅଜାଡି ରୂପା ପାତ୍ରେ
ପିଆଇ ଦେବି ଚରଣ ସେବି
ସୁଖ ବି ଭରି ଗାତ୍ରେ ।
ଏଯାଏଁ କିଆଁ କାମନା ନିଆଁ
ଲିଭିନି ଛାତି ତଳେ
ପାରିନି ଶୋଇ ଆଉଟି ହୋଇ
ନିଇତି ପୁଣି ଝଳେ ।
ଭାବିବ ଯଦି ଉପରେ ଲଦି
ସାଜିବି କ୍ଷଣେ ବଧୂ
ଦେବି ହେ ଢାଳି ତୁମର ଖାଲି
ଅଧରେ ପ୍ରୀତି ମଧୁ ।
ଦେଖ ହେ ଆଜି ଦେହକୁ ମାଜି
ରଖିଛି ସଫା ଭାରି
ମେଣ୍ଟାଇ କ୍ଳାନ୍ତି ପାଇଲେ ଶାନ୍ତି
ଯିବ ହିଁ କାମ ସାରି ।
ନୁଆଁଇ ମଥା ସମସ୍ତ କଥା
ଶୁଣିଲି ସିନା କାନେ
କେବେ ବି ଥରେ ଲାଳସା ଭରେ
ଚାହିଁ ତ ନାହିଁ ଆନେ ।
ଯୋଡିଲି କର କହିଲି ଧର
ଖୁସିରେ ଦେଲି ଯାହା
ଭଗିନୀ ମୋର ଋଣୀ ମୁଁ ତୋର
ଦେଖାଇ ଦେଲୁ ରାହା ।
ଆସିଛି ଧାଇଁ ଜାଣିବା ପାଇଁ
ଗଣିକା ଦୁଃଖ ଭାରା
କରିଲୁ ଛିଡା ଅନ୍ତର ପୀଡା
ବଖାଣି ଗଲୁ ସାରା ।
ତୃଷ୍ଣାରେ ଭାରି ହେଲିଣି ଘାରି
ଦେବୁ କି ନାହିଁ ପାଣି
ଆଜିଠୁ ଭାଇ ଡାକିଲେ ଯାଇ
ସନ୍ତୋଷ ହେବି ଜାଣି ।
କିପାଇଁ ଆଉ ଭାଇ ଏ’ ଥାଉ
ବିଷାଦେ ଅଛୁ ରହି
କବିତା ଏକ ଲେଖିବି ଦେଖ
ହୃଦୟେ ଭାବ ବହି ।
ଚରଣ ଧରି ଜୁହାର କରି
କାନ୍ଦେ ସେ କଇଁ କଇଁ
ଛାତିରେ ଲୋଟି ବଦନ ପୋତି
ଲାଜରେ ଗଲା ନଇଁ ।
ସଦନେ ଡାକି ସେ ସୁନାନାକୀ
କରିଲା ଭାଇ ଚର୍ଚ୍ଚା
ବାନ୍ଧିଲା ଡୋର ହୃଦୟେ ମୋର
ଭାବନା କରି ଫର୍ଚା ।

ପ୍ରସନ୍ନ କୁମାର ମାଦଳା
ଘର ନଂ – ଏଫ୍/ ୧୩
ସେକ୍ଟର – ୪
ରାଉରକେଲା – ୭୬୯୦୦୨
ଦୂରଭାଷ – ୭୯୭୮୧୯୨୨୨୭

Related Posts

About The Author

Add Comment