କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସ ନେତା ପଂଚାନନ କାନୁଗୋଙ୍କ ପ୍ରଶ୍ନ : ପେଟ୍ରୋଲ, ଡିଜେଲ ଶହେ ଟପିଲା, ସିଲିଣ୍ଡର ହଜାରେ କେବେ ଟପିବ?

Spread the love

ଭୁବନେଶ୍ୱର, ୦୨/୦୭/୨୦୨୧ (ସନ୍ଧାନ ନିଉଜ) – ଗତ ୨୦୧୪ ରେ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ଭା.ଜ.ପା ସରକାର ଆସିବା ପରଠାରୁ ଗତ ସାତବର୍ଷର ଶାସନ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ଟପିଲା। ଦୁଇଗୁଣ ହେଲା। ଫଳରେ ଦରବୃଦ୍ଧି ୮୦% ଘଟିଛି। ମୁଦ୍ରାସ୍ଥିତି ଅସ୍ଥିର। ଯାହାଫଳରେ ସବୁବର୍ଗର ଲୋକ ଆଜିର ମହାମାରୀ ସମୟରେ ଖୁବ୍ କଷ୍ଟ ପାଉଛନ୍ତି। ସେହି ସମୟରେ ଜାଳେଣୀ ଗ୍ୟାସ୍ ସିଲିଣ୍ଡର ପିଛା ଗତ ସାତବର୍ଷରେ ୧୦୦% ଅଧିକ ବୃଦ୍ଧି ପାଇଛି। ୧୪ କେଜିଆ ସିଲିଣ୍ଡିର ପିଛା ୮୬୧ ଟଙ୍କା ହେଲାଣି। ଚୁଲୀ ମୁଣ୍ଡରେ ଗୃହିଣୀ ମହିଳାମାନେ ଆଖିରୁ ଲୁହ ଝରାଉଛନ୍ତି। ଏକଥା କ’ଣ କେନ୍ଦ୍ର ସରକାରରେ ଥିବା ଭା.ଜ.ପା.ର କାହାରି ଆଖିରେ ପଡ଼ୁନାହିଁ? ହୁଏତ ବଡ଼ ଲୋକ, ମନ୍ତ୍ରୀ ଓ ନେତାମାନଙ୍କୁ ବାଧୁ ନଥିବ ବା ତାଙ୍କ ଆଖିରେ ପଡ଼ୁନଥିବ। ଏବେ ପ୍ରଶ୍ନ ହେଉଛି କେନ୍ଦ୍ର ମନ୍ତ୍ରୀ ଓ ଭା.ଜ.ପାର ନେତାମାନଙ୍କୁ ସିଲିଣ୍ଡର ପିଛା କେବେ ହଜାର ଟଙ୍କା ଟପିବ? ପେଟ୍ରୋଲ ଟାଙ୍କିରେ ମରାଯାଇଥିବା ବିଜ୍ଞାପନରେ ହସୁଥିବା ମହିଳା ବାଇଗଣ ଟୋକେଇ ଧରି ଛିଡ଼ା ହୋଇଛି। ତା’ଠାରୁ କେବେ ବୁଝିଲେଣି, ମହିଳାଙ୍କ ଘରେ ବାଇଗଣ ରୋଷେଇ ପାଇଁ କେତେ ଅଧିକ ଦେବାକୁ ପଡ଼ୁଛି? ତା’ ଆଖିରୁ ଲୁହ ଝରିଲାଣି। ସେହି ଲୁହ କେନ୍ଦ୍ର ସରକାରଙ୍କର ନେତାମାନେ ଘର ଘର ବୁଲି ଭୋଟ ମାଗିଲା ବେଳେ ନିଶ୍ଚୟ ଦେଖିବେ ଓ ଜବାବ୍ ମଧ୍ୟ ପାଇବେ। ଶ୍ରୀ କାନୁନଗୋ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। କେଉଁ ସ୍ୱାର୍ଥରେ ରାଜ୍ୟ ସରକାର ହାଣ୍ଡିଶାଳର ଗୃହିଣୀମାନଙ୍କ ଦୁଃଖ ଲାଘବ କରିବା ନିମନ୍ତେ ପଦକ୍ଷେପ ନେଇନାହାନ୍ତି। କେନ୍ଦ୍ର ବିରୋଧରେ ପଦୁଟିଏ ସ୍ୱର ଉଠାଇନାହାନ୍ତି। ଯେତେବେଳେ ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଚାଲିଥିଲା ସବୁ ଦର ଏହାର ଅଧା ଥିଲା, ସେ ସମୟରେ ଯେଉଁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ମୁଣ୍ଡରେ ସିଲିଣ୍ଡର ବୁଲେଇ ପ୍ରଧାନମନ୍ତ୍ରୀଙ୍କ ମୁର୍ଦ୍ଦାବାଦ କରୁଥିଲେ, ସେମାନେ ଆଜି କାହାନ୍ତି? ଦିନେ ବି.ଜେ.ଡ଼ି, ବି.ଜେ.ପି ୪୦୦ ଟଙ୍କିଆ ସିଲିଣ୍ଡର ମୁଣ୍ଡେଇ ରାସ୍ତା ଉପରେ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ମୁର୍ଦ୍ଦାବାଦ କରୁଥିଲେ। ଏକଥା କ’ଣ ସେମାନଙ୍କର ମନେ ନାହିଁ? କେନ୍ଦ୍ର ସରକାର ଏ ମଧ୍ୟରେ ଶୁଳ୍କ ଓ ସେସ୍ ବାବାଦରେ ପେଟ୍ରୋଲିୟମ ପଦାର୍ଥର ବିକ୍ରୟରୁ ପାଖିପାଖି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛି। ସରକାରୀ କମ୍ପାନୀ କେତେ କଲା, ଆଉ ବନ୍ଧୁ କମ୍ପାନୀ ଆଦାନି, ଅମ୍ବାନୀ କେତେ ନେଲେ ଏ କଥା କେନ୍ଦ୍ର ସରକାର ସାଧାରଣରେ ପ୍ରକାଶ କରିବା ଉଚିତ୍ ଏବଂ ଏହି କମ୍ପାନୀ ନିର୍ବାଚନ ବଣ୍ଡ ଜରିଆରେ ଦଳୀୟ ପାଣ୍ଠିକୁ କେତେ ଦେଲେ ଏ ସବୁ ସ୍ପଷ୍ଟ ଭାବରେ ଜଣାଇଲେ ଭା.ଜ.ପା ନେତାଙ୍କର ସ୍ୱଚ୍ଛତା ପ୍ରମାଣିତ ହେବ। ଶ୍ରୀ କାନୁନଗୋ କହିଛନ୍ତି ଯେ, ହାଣ୍ଡିଶାଳର ଗୃହିଣୀଙ୍କ ଦୁଃଖ ନ ବୁଝି ଯେଉଁମାନେ ଏ ସବୁ ଦରବୃଦ୍ଧି ଘଟାଇ ଚାଲିଛନ୍ତି ଏବଂ ମହିଳାମାନଙ୍କୁ ଭଣ୍ଡି ଚାଲିଛନ୍ତି ଖୁବଶିଘ୍ର ତା’ର ଉତର ପାଇବେ।

Related Posts

About The Author

Add Comment