ଜେନାପୁର/୩/୫/ (ସନ୍ଧାନ ନ୍ୟୁଜ ): ଧର୍ମଶାଳା ବ୍ଲକ ଜେନାପୁର ଓ ଏହାର ଆଖପାଖ ଅଞ୍ଚଳରେ ଗତ ଶନିବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ବହିଥିବା ପବନ ଓ ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଉଡ଼ିଗଲା ପତିତପାବନ ବାନା: କାଳବୈଶାଖୀର ବେଗ ଏତେ ଭୟଙ୍କର ଥିଲା ଯେ ଉପରଗଡ଼ ଜଗନ୍ନାଥ ମନ୍ଦିରର ପତିତପାବନ ବାନା ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ ଦେଇଛି।
ଯୋଗାଯୋଗ ବିଚ୍ଛିନ୍ନ: କବାଟବନ୍ଧ, ଜେନାପୁର, ବାଲିସାହି,ବିଛାଖଣ୍ଡି, ବ୍ରାହ୍ମଣୀ ବ୍ରିଜ, କଣ୍ଟାପାଟଣା,ରଖିଦେଇପୁର, ମାଳହାଟ ଏବଂ କଲାଣ୍ଡ ଆଦି ଅଞ୍ଚଳରେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା। ଫଳରେ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
ବିଦ୍ୟୁତ୍ ସେବା ବାଧାପ୍ରାପ୍ତ: ଅନେକ ସ୍ଥାନରେ ବିଦ୍ୟୁତ୍ ଟାୱାର ଓ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ଅଞ୍ଚଳଟି ଅନ୍ଧାରରେ ବୁଡ଼ି ରହିଥିଲା।
ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କଟର ସାହାଯ୍ୟରେ ରାସ୍ତାରୁ ଗଛ କଟାଯାଇ ସଫା କରାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ଅନେକ ଲୋକଙ୍କ ଘରର ଚାଳ ଉଡ଼ିଯିବା ସହ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି।



