କଂଗ୍ରେସର ଜନ ଆକ୍ରୋଶ ରାଲି ଏକ ‘ଫ୍ଲପ୍ ସୋ’, ଏବେ ଆଇସିୟୁରେ ଦଳ: ଜୟନାରାୟଣ ମିଶ୍ର

Spread the love

ସମ୍ବଲପୁର (ସନ୍ଧାନ ନ୍ୟୁଜ୍ ବ୍ୟୁରୋ): ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି କଂଗ୍ରେସ ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ ଜନ ଆକ୍ରୋଶ ରାଲି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର। କଂଗ୍ରେସର ଏହି ଆନ୍ଦୋଳନକୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି ଯେ, ଏହା ବାସ୍ତବରେ କୌଣସି ଜନ ଆନ୍ଦୋଳନ ନଥିଲା, ବରଂ ଏକ “କଂଗ୍ରେସ ବଞ୍ଚାଅ ଅଭିଯାନ” ଥିଲା। ଏହି ରାଲି ଜରିଆରେ ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସର ସ୍ଥିତି ଏବେ ଅତି ସୋଚନୀୟ ଏବଂ ଦଳ ଏବେ ଆଇସିୟୁ (ICU)ରେ ସାଲାଇନ୍ ଲାଗି ବଞ୍ଚି ରହିଛି।

ପେପର ଲିକ୍‌ର ରେକର୍ଡ କଂଗ୍ରେସ ସମୟରେ ହୋଇଥିଲା

ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଆଜି ଯେଉଁ ପେପର ଲିକ୍ ପ୍ରସଙ୍ଗ ଉଠାଉଛି, ତାହାର ସବୁଠାରୁ ଅଧିକ ଓ ରେକର୍ଡ ସଂଖ୍ୟକ ଘଟଣା କଂଗ୍ରେସ ଶାସନ କାଳରେ ହିଁ ଘଟିଥିଲା। ବର୍ତ୍ତମାନ ମୋଦୀ ସରକାରଙ୍କ ସମୟରେ କୌଣସି ବି ଅନିୟମିତତା ସାମ୍ନାକୁ ଆସିଲେ ତୁରନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏନେଇ ସ୍ପଷ୍ଟ କରିସାରିଛନ୍ତି ଯେ, ଦୋଷୀ କେହି ହେଉନାହିଁ କାହାକୁ ଛାଡ଼ାଯିବ ନାହିଁ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ବ୍ୟବସ୍ଥା କରାଯାଉଛି। ରାଲିରେ ଲୋକଙ୍କୁ ପୁଲିସ ଅଟକାଇଥିବା ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ‘ଫ୍ଲପ୍ ସୋ’ ପ୍ରମାଣିତ ହୋଇଛି ବୋଲି ଦାବି କରିଛନ୍ତି।

କହ୍ନେୟା କୁମାରଙ୍କୁ ତୀବ୍ର ଆକ୍ରମଣ

ରାଲିରେ ସାମିଲ ହୋଇଥିବା କଂଗ୍ରେସ ନେତା କହ୍ନେୟା କୁମାରଙ୍କ ଉପରେ ମଧ୍ୟ ଜୟନାରାୟଣ ମିଶ୍ର ତୀବ୍ର ବାଣ ମାରିଛନ୍ତି। ଜେଏନୟୁ (JNU)ରେ ପଢ଼ିବା ସମୟରେ କହ୍ନେୟା କୁମାର ଦେଶବିରୋଧୀ “ଟୁକଡେ ଟୁକଡେ ଗ୍ୟାଙ୍ଗ”ର ନେତୃତ୍ୱ ନେଉଥିଲେ ଏବଂ ଆଜି ସେ ଓଡ଼ିଶା ଆସି ଦେଶଭକ୍ତିର ବଡ଼ ବଡ଼ କଥା କହୁଛନ୍ତି। ସେ କେବଳ ନିଜର ରାଜନୈତିକ ପ୍ରଚାର ପାଇଁ ସମ୍ବଲପୁର ଆସିଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି।ଅନ୍ୟପଟେ କେନ୍ଦ୍ରର ମୋଦୀ ସରକାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ସହ ଓଡ଼ିଶାରେ ନୂତନ ଆଇଆଇଏମ୍ (IIM) ଓ ମେଡିକାଲ କଲେଜ ସ୍ଥାପନ କରିଛନ୍ତି। ଦେଶର ଜନତା ଏବେ ସବୁକିଛି ବୁଝିସାରିଛନ୍ତି ଏବଂ କଂଗ୍ରେସର ଏଭଳି ପୁରୁଣା ରାଜନୀତିକୁ ଆଉ ଗ୍ରହଣ କରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Related Posts

About The Author

Add Comment