ଆର୍ଥିକ ଅନାଟନର କରୁଣ ଚିତ୍ର, ୪ ମାସର ଶିଶୁ ପୁଅକୁ ବିକିବା ପରେ ସହି ହେଲାନି ଦୁଃଖ, ରଶି ଲଗାଇ ଝୁଲି ପଡିଲେ ବାପା

Spread the love
  •  
  •  
  •  
  •  
  •  

ମାଲକାନଗିରି, ୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ପେଟକୁ ଦାନା ଗଣ୍ଡାଏ ଯୋଗାଡ଼ କରି‌ ନ ପାରି ପ୍ରଥମେ ୪ ମାସର ଶିଶୁକୁ ବିକିବା ଓ ପରେ ସେହି ଦୁଃଖରେ ଚରମ ନିଷ୍ପତ୍ତି ନେବାର କାହାଣୀ କେବେ ଶୁଣିଛନ୍ତି । ଉତ୍କଟ ଦାରିଦ୍ର୍ୟର ଚାବୁକ୍ ମାଡ଼ରେ ଲହୁଲୁହାଣ ହୋଇ ନିଜକୁ ଶେଷ କରିଦେଇଥିବା ବାପାର ବେଦନା କେବେ ଅନୁଭବ କରିଛନ୍ତି । ଏମିତି ଏକ ଦୁଃଖଭରା ଏବଂ ଅଭାବନୀୟ ଘଟଣା ମାଲକାନଗିରି ମାଥିଲିର ସପ୍ତାଧାରା ଗାଁରେ ଘଟିଛି । ବାପା କେତେ ଅଳି ଅର୍ଜଳି ସହିବେ । ରାତିରାତି ଅନିଦ୍ରା ହୋଇ ପୁଅକୁ ଛାତି ଉପରେ ଶୁଆଇବେ । କେତେବେଳେ ପୁଅକୁ କାନ୍ଧରେ ଝୁଲାଇ ଜହ୍ନମାମୁଁ ସହ ମିତ ବସାଇଥିବେ ତ ଆଉ କେତେବେଳେ ପୁଅ ପାଇଁ ସମାଜର କୁଶକ୍ତି ବିରୋଧରେ ବି ଲଢ଼ିବେ । ହେଲେ ସେହି ବାପା କେବେ କଣ ପୁଅ ବିକ୍ରି କରି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇପାରିବ ? ମାଲକାନଗିରି ମାଥିଲି ଥାନା ସପୃଧାରା ଗାଁର ଏହି ଆତ୍ମହତ୍ୟା ଘଟଣା ଛିଡ଼ା କରିଛି ଏମିତି କିଛି ଅସମାହିତ ପ୍ରଶ୍ନ । ଆତ୍ମହତ୍ୟା‌ କରିଥିବା ବାପାର ନାଁ ସୋମନାଥ ଖୁଲ୍ । କୁଲି ମଜୁରୀ କରି ସ୍ତ୍ରୀ ଓ ୫ଟି ସନ୍ତାନର ବୋଝ ଉଠାଇବା କଷ୍ଟକର ହେବାରୁ ୪ ମାସର ଜନ୍ମିତ ଶିଶୁପୁତ୍ର ରାଜାକୁ ବିକ୍ରି କରି କିଛିଦିନ ପାଇଁ ପିରିବାର ର ଦାନା ଯୋଗାଡ଼ କରିଥିଲେ ସୋମନାଥ । ହେଲେ ପୁଅକୁ ବିକି ନା ଶାନ୍ତିରେ ଶୋଇ ପାରିଲେ ନା ଖାଇପାରିଲେ । ଶେଷରେ ରଶି ଲଗାଇ ଝୁଲିପଡ଼ିଲେ। ବାପା ଗଲା ପରେ ମା ଓ ବାକି ପିଲା ଅସହାୟ, ବେସାହାରା । ମା କୁନି ଖିଲ ଏବେ ବେସାହାରା । ୪ ପିଲାଙ୍କୁ ଧରି କେମିତି ଚଳିବ ସେଇ ଚିନ୍ତାରେ ଭାଙ୍ଗି ପଡ଼ିଛି । ଘର ନାହିଁ କି ଖାଇବାକୁ ନାହିଁ । ବାଧ୍ୟ ହୋଇ ୩ ପୁଅ ଏବଂ ଗୋଟିଏ ଝିଅକୁ ସରକାର ନେଇ ସାହାରା ଦେବାକୁ ଗୁହାରୀ କରିଛନ୍ତି । ତେବେ ୪ ମାସର ଜନ୍ମିତ ଶିଶୁ ପୁତ୍ରକୁ ନେଲା କିଏ ? ପୂରା ଘଟଣା ବିଷୟରେ ଚାଇଲ୍ଡ ଲାଇନ୍ ଅବଗତ ନା ନାହିଁ ? ଜିଲ୍ଲା ପ୍ରଶାସନର କୋଉ ବାବୁଙ୍କ ପାଦ ସପ୍ତାଧାରା ଗାଁରେ ପଡ଼ିଛି କିନାହିଁ ? ଏସବୁ ପ୍ରଶ୍ନର ଉତ୍ତର ତ ଖୋଜା ହେବ, କିନ୍ତୁ ଯଥାଶୀଘ୍ର କୁନି ଖୁଲଙ୍କ ୪ ପିଲାର କିଛି ବ୍ୟବସ୍ଥା ନ କରାଗଲେ, ସେମାନେ ବଣମଲ୍ଲୀ ପରି ନିଶ୍ଚୟ ଝରି ପଡ଼ିବେ ।

Related Posts

About The Author

Add Comment