ରାଉରକେଲା, ୦୯/୦୧/୨୧ (ସନ୍ଧାନ ନିଉଜ) : ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ଘଟଣାକୁ ରାଉରକେଲା ଇସ୍ପାତ କର୍ମଚାରୀ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ, ସୁରକ୍ଷାରେ ଅବହେଳା ଯୋଗୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟି ୪ ଜଣ ଶ୍ରମିକ ଅକାଳ ମୃତ୍ୟୁ ଘଟିଲା ବୋଲି ସଂଘର ସାଧାରଣ ସମ୍ପାଦକ ରମେଶ ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିଯେ, କରୋନା ମହାମାରୀ ସମୟରେ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ୧୧୦୦୦ ନନ-ଏକଜ୍ୟୁକେଟିଭ ଓ ପ୍ରାୟ ୧୦୦୦୦ ଠିକା ଶ୍ରମିକ କରୋନା ମହାମାରୀକୁ ତିଳେହେଲେ ଭ୍ରୁକ୍ଷେପ ନକରି ଜୀବନକୁ ବାଜି ଲଗାଇ କାର୍ଯ୍ୟଜାରି ରଖିଥିଲେ । ମାତ୍ର ଆରଏସ୍ପି କର୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୁର୍ଘଟଣା ଘଟି ଶ୍ରମିକଙ୍କ ପ୍ରାଣହାନି ଘଟିଲା ,ସେହି ସମୟରେ ଆରଏସପିର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ମଧ୍ୟ କ୍ଷେତ୍ରସ୍ଥଳରେ ଅନୁପସ୍ଥିତ ଥିଲେ ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ଠିକା କାର୍ଯ୍ୟ ହାତକୁ ନେଇ ଥିବା ଷ୍ଟାର କନଷ୍ଟ୍ରକସନ କଲୋନୀ ସୁରକ୍ଷା ପ୍ରୋଟକଲକୁ ଅନୁସରଣ ନକରିବା, ୨୫ ଫୁଟ ଉଚ୍ଚରେ କାମ କରିବା ସମୟରେ ଶ୍ରମିକ ମାନଙ୍କୁ ଗ୍ୟାସ ମାସ୍କ ପ୍ରଦାନ ନକରିବା, ଶ୍ରମିକ ମାନଙ୍କୁ କାର୍ଯ୍ୟସ୍ଥଳ ପରିସରରେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଠିକ ଭାବରେ ଯୋଗାଯାଉନାହିଁ ବୋଲି ରାଉରକେଲା ଇସ୍ପାତ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସିିସିଡ଼ି ବିଭାଗର କାର୍ଯ୍ୟ କୌଣସି ସିନିୟର ଏକଜ୍ୟୁକେଟିଭଙ୍କ ଦ୍ୱାରା ତଦାରଖ କରାଯାଉ ନଥିବା ବେଳେ, ଏପରି ଦୁର୍ଘଟଣା ଘଟିଲା, ଦୁର୍ଘଟଣା ଘଟିବାର ପ୍ରାୟ ୪୫ ମିନିଟ ପରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଗାଡ଼ି ଘଟଣାସ୍ଥଳରେ ପହଂଚିଥିôଲା ବୋଲି ଶ୍ରୀ ସାହୁ ଅଭିଯୋଗ ଆଣିଛନ୍ତି । ଆରଏସପିରେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଭଲ ଭାବେ ତଦାରଖ କରାଯିବା ସହ, ଏହି ଗ୍ୟାସଲିକ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଦାୟିତ୍ୱହୀନ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଉରକେଲା ଇସ୍ପାତ କର୍ମଚାରୀ ସଂଘ ପକ୍ଷରୁ ଦାବି ହୋଇଛି । ଆରଏସପି ଗ୍ୟାସ ଲିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୪ ଜଣ ଶ୍ରମିକ ବ୍ରହ୍ମାନନ୍ଦ ପଣ୍ଡା, ଅଭିମନ୍ୟୁ ସା, ଗଣେଶ ଚନ୍ଦ୍ର ପହିଲ ଓ ରବିନ୍ଦ୍ର ସାହୁଙ୍କ ଅକାଳ ମୃତ୍ୟୁରେ ରାଉରକେଲା ଇସ୍ପାତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଗଭୀର ଶୋକ ପ୍ରକଟ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ମୃତ ଶ୍ରମିକ ମାନଙ୍କ ପରିବାରବର୍ଗଙ୍କୁ ରାଉରକେଲା ଇସ୍ପାତ କର୍ମଚାରୀ ସଂଘ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି ।
ଆରଏସ୍ପିରେ ଗ୍ୟାସ ଲିକ ଘଟଣାକୁ ନେଇ ରାଉରକେଲା ଇସ୍ପାତ କର୍ମଚାରୀ ସଂଘର ଉଦ୍ବେଗ, ମୃତ ଶ୍ରମିକଙ୍କ ବିୟୋଗରେ ଶୋକ
|
January 9, 2021 |
