ଆବାସ ଯୋଜନା ପଛରେ ଥାଉ, ସବୁଠୁ ଭଲ ଆମର କାଠ ପଟା ଘର
ଆବାସ ଯୋଜନା ପଛରେ ଥାଉ, ସବୁଠୁ ଭଲ ଆମର କାଠ ପଟା ଘର
Sandhan News |
January 24, 2021 |
ବାଲିଗୁଡା,24/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ହେଉଛି ପ୍ରାକୃତିକ ପଦ୍ଧତିରେ କରାଯାଇଥିବା ଟେଣ୍ଟ ହାଉସ୍ ବା ଶିବିର। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋରିଟ୍ରିଟ୍ରେ ୨୫ଟି ଶିବିର କରାଯାଇ ତାରକା ହୋଟେଲ୍ର ସୁବିଧା ପ୍ରଦାନ କରାଯାଉଛି। ତେବେ ଏହି ପ୍ରକ୍ରିୟା କନ୍ଧମାଳ ଜିଲାରେ କାହିଁ କେଉଁ କାଳରୁ ରହି ଆସିଛି। ସରକାର କଚ୍ଛା ଘରକୁ ପକ୍କା କରିବାକୁ ଆବାସ ଯୋଜନାରେ ସହାୟତା ଦେଉଥିଲେ ମଧ୍ୟ ବର୍ତ୍ତମାନ ଦାରିଙ୍ଗବାଡିରେ ଅନେକ କାଠପଟ୍ଟାରେ ନିର୍ମାଣ ଘର ରହିଥିବା ଦେଖିବାକୁ ମିଳେ। ଏହି ଘରେ ଶୀତ ସମୟରେ ବେଶୀ ଥଣ୍ଡା ଅନୁଭୂତ ହେଉ ନ ଥିବା ବେଳେ ଖରା ଦିନେ ବେଶୀ ଗରମ ହୁଏ ନାହିଁ ବୋଲି ଟକରମାଲା ଗ୍ରାମର ସଞ୍ଜିତ କୁମାର ପ୍ରଧାନ କହିଛନ୍ତି। ପ୍ରାକୃତିକ ଭାବେ ନିର୍ମାଣ କାଠ ଘରେ ଶୀତତାପ ନିୟନ୍ତ୍ରଣ ରୁହେ। ତାଙ୍କ ପରିବାର ଦୀର୍ଘ ବର୍ଷ ଧରି କାଠ ଘରେ ରହିଆସୁଛନ୍ତି। ବର୍ତ୍ତମାନ ଚାଳ ଛପରକୁ ପରିବର୍ତ୍ତନ କରି ଆଜିବେଷ୍ଟସ ଛପର କରିଛନ୍ତି। ପୂର୍ବଭଳି ଛଣ ମିଳୁ ନାହିଁ। ଏଣୁ ସ୍ଥାୟୀ ଛପର କରାଯାଇଛି। କାଠ ଘରେ କୌଣସି ଖର୍ଚ୍ଚ ହେଉନାହିଁ। ଗୋବର ଏବଂ ଲାଲ୍ ମାଟିରେ ଘରକୁ ଲିପା ଯାଉଥିବା ସେ କହିଛନ୍ତି। ଏହା ଦ୍ୱାରା କୌଣସି ଭୁତାଣୁର ଭୟ ନ ଥାଏ ବୋଲି ପ୍ରକାଶ କରିଛନ୍ତି। ସେହିପରି ଘର ଭିତରେ ଆସବାବ ପତ୍ରଠାରୁ ଚାଉଳ, ଧାନ ଆଦି ରଖିବା ପାଇଁ ବାଉଁଶରେ ତିଆରୀ ଡୁଲିରେ ରଖାଯାଇଥାଏ। ତେବେ ସମୟର ପରିବର୍ତ୍ତନ ଯୋଗୁ ଘରେ କେବଳ ବିଦ୍ୟୁତ୍ ସଂଯୋଗ ସହ ଇଲେଟ୍ରିକାଲ ସାମଗ୍ରୀ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ମାଟିରେ ତିଆରୀ ଚୁଲ୍ଲୀଠୁ ଆରମ୍ଭ କରି ସମସ୍ତ ସାମଗ୍ରୀ ପ୍ରକୃତି ଦ୍ୱାରା ପ୍ରସ୍ତୁତ ବୋଲି କାଠ ଘରେ ରହୁଥିବା ମାଲିକମାନେ କୁହନ୍ତି। କୋଠା ଘର ଅପେକ୍ଷା କାଠ ଘରେ ରହିବାକୁ ଭଲ ଲାଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
Related Posts
About The Author