ଆଜି ଗୁରୁ ପୂର୍ଣ୍ଣିମା

Spread the love

ସୁନ୍ଦରଗଡ ତା:୨୯/୭/୨୦୨୬(ସନ୍ଧାନ ନ୍ୟୁଜ) ଆଜି ଆଷାଢ଼ ପୂର୍ଣ୍ଣିମା,ଯାହାକୁ ଆମ ସନାତନ ହିନ୍ଦୁ ସଂସ୍କୃତିରେ ପବିତ୍ର ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ତେବେ ଏହାର ମହତ୍ତ୍ୱ ଓ ଆବଶ୍ୟକତା ଆମ ପିଲା ମାନେ ଜାଣି ପାରୁ ନାହାଁନ୍ତି। କାରଣ ସେମାନଙ୍କୁ ସେପ୍ଟେମ୍ବର-୫ ରେ ପାଳିତ ଶିକ୍ଷକ ଦିବସ କୁ ଗୁରୁ ଦିବସ ବୋଲି କୁହାଗଲା, କିନ୍ତୁ ଗୁରୁ ପୂର୍ଣ୍ଣିମା ବୋଲି ଏକ ମହାନ୍ ଦିବସକୁ ଆମେ ପର୍ବ ଭାବେ ପାଳନ କରୁ ସେ କଥାକୁ ଆଜିଯାଏ ଆମ ପାଠ୍ୟକ୍ରମରେ ସ୍ଥାନ ଦିଆଗଲା ନାହିଁ।
ତେଣୁ ସମୟ ଆସିଛି ଏ ପବିତ୍ର ଦିବସ ଗୁରୁପୂର୍ଣିମାର ମହତ୍ତ୍ୱ ବିଷୟରେ ସମସ୍ତଙ୍କୁ ଜାଣିବାର ଆବଶ୍ୟକତା ରହିଛି । ଗୁରୁ ପୂର୍ଣ୍ଣିମା,ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ। ଧାର୍ମିକ ମତାନୁସାରେ ସନାତନ ଧର୍ମ ଓ ଶାସ୍ତ୍ରର ମୂଳପିଣ୍ଡ ଚାରି ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ ଆଦିର ରଚୟିତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି। ସେ ମଧ୍ୟ ବେଦାନ୍ତ ଦର୍ଶନ ଓ ଅଦ୍ୱୈତବାଦର ସଂସ୍ଥାପକ। ବେଦମାନଙ୍କର ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣନୁଯାୟୀ ଭିନ୍ନଭିନ୍ନ କଳ୍ପରେ ପ୍ରତ୍ୟେକ ଯୁଗରେ ଜନ୍ମ ଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ଋଷି ବେଦବ୍ୟାସ ଭାବେ ପରିଚିତ। ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ। ସେ ହିଁ ପ୍ରଥମେ ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି ଚାରି ବେଦର ଅଭେଦ୍ୟ ଜ୍ଞାନକୁ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ସରଳୀକରଣ କରିଥିଲେ। ସେହି ମହାନ୍ ଗୁରୁଙ୍କ କର କମଳରେ ବେଦର ବିଭାଜନ ଓ ବ୍ୟାଖ୍ୟାନ ହୋଇଥିଲା। ସେଥିପାଇଁ ମହର୍ଷି ବ୍ୟାସଙ୍କୁ ବେଦବ୍ୟାସ ମଧ୍ୟ କୁହାଯାଏ। ତାସହିତ ତାଙ୍କୁ ସବୁ ପୁରାଣର ରଚନା କର୍ତ୍ତା ଭାବେ ମଧ୍ୟ ମାନ୍ୟତା ଦିଆଯାଏ।
ସମଗ୍ର ବିଶ୍ବବାସୀଙ୍କ ହିତାର୍ଥେ ଓ ମାନବ କଲ୍ୟାଣାର୍ଥେ ସେ ପ୍ରଥମେ ବେଦର ଜ୍ଞାନ ପ୍ରଦାନ କରିଥିଲେ। ତାଙ୍କର ଏହି ମହାନ୍ ଯୋଗଦାନ ପାଇଁ ,ତାଙ୍କରି ସ୍ମୃତିରେ ଆଜି ଦିନକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ ଓ ତାଙ୍କୁ ଆମ ଧର୍ମର ପ୍ରଥମ ଗୁରୁ ବା ଆଦି ଗୁରୁର ଉପାଧି ଦିଆଯାଏ।
ଯେ କୌଣସି କର୍ମ ବା ଧର୍ମ ହେଉ ନା କାହିଁକି ବିନା ଗୁରୁରେ ପୂର୍ଣ୍ଣତା ଆସେ ନାହିଁ। ଗୁରୁ, ମନୁଷ୍ୟର ଅନ୍ତନିହିତ ଗୁଣ ଓ ଶକ୍ତିକୁ ଜାଗରଣ କରି ବ୍ୟକ୍ତି ଜୀବନରେ ଜ୍ଞାନର ଦ୍ବୀପକୁ ପ୍ରଜ୍ବଳିତ କରିଥାନ୍ତି।ବ୍ୟାସଦେବଙ୍କ ନିମନ୍ତେ ଏହି କଥାକୁ ଭିନ୍ନ ଭାଷାରେ କୁହାଯାଇଛି -“ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ।
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ।।
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ।
ଆଭାଲ ଲୋଚଚନଃ ଶମ୍ଭୁ ଭଗବାନ ବାଦରାୟାଣଃ”।।ମାତା, ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ, ପିତା ଦ୍ୱିତୀୟ ଗୁରୁ ଏବଂ ଶିକ୍ଷାଦାତା ତୃତୀୟ ଗୁରୁ। ଗୁରୁମାନେ ହିଁ ଆମ ଜୀବନର ମାର୍ଗଦର୍ଶକ, ସୁନିୟନ୍ତ୍ରକ। ଗୁରୁମାନଙ୍କ ଠାରୁ ଶିକ୍ଷା, ଦୀକ୍ଷା ତଥା ତାଙ୍କ ଆଦର୍ଶ ସବୁକିଛି ଶିଷ୍ୟମାନଙ୍କର ଜୀବନରେ ପ୍ରତିଫଳିତ ହୋଇଥାଏ। ବ୍ୟାସଦେବ ତାଙ୍କ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ ମଣିଷ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି। ଏଥିପାଇଁ ଭାରତରେ ସମସ୍ତ ପୌରାଣିକ କିମ୍ପଦନ୍ତୀ ଅଥବା ପ୍ରାମାଣିକ ତଥ୍ୟମାନ ବର୍ତ୍ତମାନ ସମଗ୍ର ବିଶ୍ୱପାଇଁ ଗବେଷଣାର ସାମଗ୍ରୀ ପାଲଟିଛି। ଆମ ଜୀବନର ପ୍ରତିଟି ବିଭାଗ ପାଇଁ ଏହା ବର୍ତ୍ତମାନ ମହାନ ବିଭବ ରୂପେ ସମୃଦ୍ଧି କରୁଛି।
ସେଥିପାଇଁ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। କର୍ମର ସଫଳତା ହେଉ କିମ୍ବା ଧର୍ମର ସଫଳତା ଭଗବାନ୍ ବା ପରମାତ୍ମାଙ୍କୁ ପାଇବାକୁ ହେଲେ ଗୁରୁଙ୍କ ସାନିଧ୍ୟ ନିତ୍ୟାନ୍ତ ଆବଶ୍ୟକ। ଗୁରୁ ହିଁ ବ୍ୟକ୍ତିକୁ ସଠିକ୍ ମାର୍ଗଦର୍ଶନ କରାନ୍ତିି। ଆମେ ଠିକ୍ ଭୁଲ୍ ଜାଣିପାରୁ। ଏମିତି କୌଣସି ସଫଳ ବ୍ୟକ୍ତି ନାହାନ୍ତି ଯାହାଙ୍କ ପଛରେ ଗୁରୁକୃପା ବା ଗୁରୁ ଦର୍ଶନ ନଥାଏ। ଉଦ୍ଧବଙ୍କ ୨୪ ଗୁରୁ ପରି ବହୁ ବ୍ୟକ୍ତିଙ୍କ ଜୀବନରେ ଏକାଧିକ ଗୁରୁ ମଧ୍ୟ ଅଛନ୍ତି। ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ। ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ”।। ‘ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ ର ଅର୍ଥ ଅଜ୍ଞାନ ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି। ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ଗୁରୁ ଅର୍ଥରେ ସେ ମହାମହିମ। ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି। ଆଜି ଏ ପବିତ୍ର ଦିନରେ ଭଗବାନ ବୁଦ୍ଧଙ୍କ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲା ଓ ସେ ଏହି ଦିବସରୁ ସଂସାରକୁ ପ୍ରଥମ ଜ୍ଞାନ ପ୍ରଦାନ କରିଥିଲେ। ସେଥିପାଇଁ ଆମ ସଂସ୍କାରରେ ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରି କୁହାଯାଇଛି। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ୍ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତସ୍ମୈଶ୍ରି ଗୁରୁବେ ନମ୍ଃ । ପ୍ରାଚୀନ କାଳରେ ଗୁରୁ କୂଳରେ ଶିଷ୍ୟମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଶିକ୍ଷା ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିଲା ଏବଂ ଶିକ୍ଷାରେ ଉପଯୁକ୍ତ ଦକ୍ଷତା ହାସଲ ପରେ ଗୁରୁଦକ୍ଷିଣା ଦାନ ପୂର୍ବକ ଶିଷ୍ୟ ମାନଙ୍କୁ ବିଦାୟ ନେବାକୁ ହେଉଥିଲା। ଏହି ଗୁରୁ ଦକ୍ଷିଣା ଶିଷ୍ୟମାନଙ୍କର ଏକ ସମର୍ପଣର ଭାବ। ଗୁରୁପୂର୍ଣ୍ଣିମା ପାଳନ ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ରହିଛି। ସେହିପରି ଗୁରୁ ପୂର୍ଣ୍ଣିମା ଦିନ ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କର ମଧ୍ୟ ପୂଜନ କରାଯାଇଥାଏ। ତେଣୁ ଆସନ୍ତୁ ଆଜିର ଏ ପବିତ୍ର ଦିବସରେ ସମସ୍ତେ ନିଜ ନିଜ ଗୁରୁଙ୍କୁ ଆରାଧନା କରିବା ଓ ଦକ୍ଷିଣା ଦେବା ସହିତ ସତ୍ୟ, ଧର୍ମ, ନ୍ୟାୟକୁ ଆଧାର କରି ଜୀବନକୁ ଅତିବାହିତ କରିବାକୁ ସଂକଳ୍ପବଦ୍ଧ ହେବା।
ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

Related Posts

About The Author

Add Comment