ବାରିପଦା, ୧୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବୁଢ଼ାବଳଙ୍ଗ, କରାଳୀ ଓ ସରାଳୀ ନଦୀର ସଙ୍ଗମସ୍ଥଳୀ ବାରୁଣୀ ଘାଟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପବିତ୍ର ଦାମୋଦର ଯାତ୍ରା । ଚଳିତ ମାସ ୧୬ରୁ ୧୮ ପର୍ଯ୍ୟନ୍ତ ୩ ଦିନ ଧରି ଏହି ପରମ୍ପରା ପାଳନ ହେବା ଏହି ଅବସରରେ ମୟୂରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ରାଜ୍ୟ ବାହାରୁ ଲକ୍ଷାଧିକ ସାନ୍ତାଳ ସମ୍ପ୍ରଦାୟର ଲୋକ ଏଠାରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ସହ ପିଣ୍ଡଦାନ କରିବେ। ତେବେ ଚଳିତବର୍ଷ କରୋନା କଟକଣା କାରଣରୁ ଏହି ପରମ୍ପରା କେବଳ ବିଧି ବ୍ୟବସ୍ଥାରେ ହିଁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ବାରୁଣୀ ଘାଟରେ ଏ ବର୍ଷ କୌଣସି ଟେଣ୍ଟ ହେବନି। ଭିଡ଼ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ତେବେ ଏଠାକୁ ଆସୁଥିବା । ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପ୍ରଶାସନ ରାଜାରାଜୁଡ଼ା ସମୟରୁ ଏଠାରେ ଏହି ପରମ୍ପରା ପାଳନ ହୋଇଆସୁଛି । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ଖଡ଼କେଇ, ପାଞ୍ଚପୀଢ଼ ଉପଖଣ୍ଡର ବୈତରଣୀ ନଦୀ ଓ ଭୀମକୁଣ୍ଡରେ ପ୍ରତ୍ୟେକ ବର୍ଷ ଜାନୁଆରି ୧୫ରୁ ପୂର୍ବ ନିର୍ଣ୍ଣୟ ବା ସଂକଳ୍ପ ଅନୁସାରେ ଅସ୍ଥି ବିସର୍ଜନ ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ଦାମୋଦର ଯାତ୍ରା କହିଲେ ମୁଖ୍ୟତଃ ସାନ୍ତାଳ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନକୁ ବୁଝାଇଥାଏ। ଏହା ମୃତ୍ୟୁ ସଂସ୍କାରର ଶେଷ ପର୍ବ ଏହାକୁ କେହି କେହି ଦୂର ଯାତ୍ରା (ଜିଲିଞ୍ଜଡାହାର) ବୋଲି କହିଥାନ୍ତି । ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ଏହି ଧାର୍ମିକ ବିଶ୍ବାସ ବଳବତ୍ତର ରହିଥିବାରୁ ଜେଜେବାପାଙ୍କ ନାମରେ ନାତି ଓ ଜେଜେମା’ଙ୍କ ନାମରେ ନାତୁଣୀର ନାମକରଣ କରାଯାଇଥାଏ। ଦାମୋଦର ଯାତ୍ରା ଅବସରରେ ଧୂଷା, ମାଦଳ, ଚାଙ୍ଗୁ, କୈନ୍ଦରା, ବଇଁଶୀ ଆଦି ବଜାଇ ଘାଟରେ ପହଞ୍ଚିଥାଆନ୍ତି ଶ୍ରଦ୍ଧାଳୁ ଏଠାରେ ସାନ୍ତାଳ ସମ୍ପ୍ରଦାୟର ଆରାଧ୍ୟ ଦେବତା ମାରାଂବୁରୁ ପୁରୁଧୁଲଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ବି କରାଯାଇଥାଏ। ଏହା ବିଶ୍ଵାସ, ନିଷ୍ଠା ଓ ଧାର୍ମିକ ଭାବନାର ସଙ୍ଗମ ଭାବେ ବେଶ ଆଦୃତ ।
ଆଜିଠୁ ତିନି ଦିନ ଯାଏ ଦାମୋଦର ଯାତ୍ରା
|
January 16, 2021 |
