ଅସ୍ଥାୟୀ ବାଉଁଶ ପୋଲ ହିଁ ସାହା ଭରସା:ବୁଢାଦାନୀ ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ନଦୀ ସମସ୍ୟା

Spread the love

କନ୍ଧମାଳ,୨୪/୦୩.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବୁଢ଼ାଦାନି ଓ ତୁଡ଼ିପାଜୁ ମଧ୍ୟରେ ଯାତାୟାତରେ ବଡ଼ସାଲୁଙ୍କି ନଦୀ ସମସ୍ୟା ହୋଇଛି। ନଦୀ ଉପରେ ପୋଲ୍‌ ନିର୍ମାଣ ପାଇଁ ଦାବି ହେଉଛି, କେହିଁ ଶୁଣୁ ନାହାନ୍ତି। ଖରାଦିନେ ଏଠାରେ ଏକ ଅସ୍ଥାୟୀ ବାଉଁଶ ନିର୍ମିତ ପୋଲ୍‌ ଦେଇ ଉଭୟ ଗ୍ରାମର ଲୋକେ ନଦୀ ପାର ହୋଇଥାନ୍ତି। ବୁଢ଼ାଦାନି ଏବଂ ଏହାର ଆଖପାଖ ଗ୍ରାମର ଲୋକେ ଏହି ବାଉଁଶ ପୋଲ ଦେଇ ଫୁଲବାଣୀ ସହରକୁ ଆସିଥାନ୍ତି। ଏମିତିକି ବହୁ କଷ୍ଟରେ ବାଉଁଶ ପୋଲ୍‌ ଦେଇ ମୋଟର ସାଇକେଲ୍ ମଧ୍ୟ  ପାର କରାଇଥାନ୍ତି। କିନ୍ତୁ ବର୍ଷା ଦିନେ ଏହି ବାଉଁଶ ପୋଲ୍‌ଟି ପାଣିରେ ବୁଡ଼ିଯିବା ଫଳରେ ଉଭୟ ଗ୍ରାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼େ। ଏହି ଗ୍ରାମର ଲୋକଙ୍କୁ ଫୁଲବାଣୀ ସହରକୁ ଯିବାକୁ ହେଲେ ଅଧିକ ୧୦ କିମି ରାସ୍ତା ବୁଲିବାକୁ ପଡ଼ିଥାଏ। ବୁଢ଼ାଦାନି ଏବଂ ତୁଡ଼ିପାଜୁ ମଧ୍ୟରେ ଏକ ସ୍ଥାୟୀ ପୋଲ ନିର୍ମାଣ ହୋଇଗଲେ ଉଭୟ ଗ୍ରାମର ଲୋକଙ୍କ ସମସ୍ୟା ଦୂର ହୁଅନ୍ତା। ପୋଲ୍‌ ନିର୍ମାଣ ନେଇ ବୁଢ଼ାଦାନି ଓ ତୁଡ଼ିପାଜୁ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲ୍ଲା ପ୍ରଶାସନ, ରାଜନେତା, ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ବୁଢ଼ାଦାନିରେ ବଡ଼ସାଲୁଙ୍କି ନଦୀରେ ତୁରନ୍ତ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ପୋଲ ନିର୍ମାଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ବୁଢ଼ାଦାନି ଗ୍ରାମର ପୂର୍ବତନ ସରପଞ୍ଚ ପଞ୍ଚାନନ କହଁର, ଅବନୀ କହଁର, ବିଶ୍ବବିହାରୀ କହଁର, ଦୁର୍ଗାମାଧବ କହଁର, ସମିତିସଭ୍ୟ ଗଣେଶ କହଁର, ବିଶ୍ବନାଥ ବେହେରା,ବିନାୟକ ଗଣ୍ଡା, ଉପେନ୍ଦ୍ର କହଁର ଓ ପଦ୍ମନାଭ କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି।

Related Posts

About The Author

Add Comment