ରାଉରକେଲା,୧୫/୦୪ (ସନ୍ଧାନ ନିୟୁଜ): ସୁନ୍ଦରଗଡ଼ ଜିଲ୍ଲାରେ ୨ଟି କରୋନା ପଜେଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ସଚେତନତା ସ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ସତ, ହେଲେ ଏବେ ବି ଦକ୍ଷିଣ ରାଉରକେଲା ଓ ସାରନଗରୀର ଅଧିକାଂଶ ବସ୍ତି ଇଲାକାରେ ପହଂଚି ପାରୁନି ରନ୍ଧା ଓ ଶୁଖିଲା ଖାଦ୍ୟ । ଏପରି ଅଭିଯୋଗ କରିଛନ୍ତି ଟାଙ୍ଗରପାଲ୍ଲୀ ବସ୍ତି, ରେଙ୍ଗାଲବେଡ଼ା, ଝାରବେଡ଼ା କଇଁଥାବାସା, ଲେଙ୍ଗଡ଼ାବାସା, ବାଲିଯୋଡ଼ି ଜଲଦା, ଅସୁରଛପଲ, ମୁଣ୍ଡା ବସ୍ତି ସହ ଝାରମୁଣ୍ଡା, ବାହାଗଡ଼, ବିଜୁବନ, ବାଗାନ ଟୋଲି, ସମରା ବସ୍ତି, ଗୁରୁଡ଼ି, ମାଟିଆ ଡେରା, ପାତ୍ର ବସ୍ତି, ଭାଟି ଯୋଲା, ଟୁରି ବସ୍ତି, ଡାବରାବାସା, ଚିରୁଗଡ଼, ପାଡ଼ାଟୋଲିର ବସ୍ତି ବାସିନ୍ଦା ମାନେ । ବିଶେଷକରି ନବକୃଷ୍ଣନଗର ଗିରିଜା ବସ୍ତି, ଖାଦାନ ବସ୍ତି, ମନ୍ଦିର ବସ୍ତି ଅଂଚଳରେ ବହୁ ଗରିବ ଖଟିଖିଆ ମଜଦୁର, ରଙ୍ଗଦିଆ କାରିଗର, ଠେଲା ବେପାରୀ, ଗୁପଚୁପ ବିକାଳୀ, ଓ ଗରିବ ଶ୍ରେଣୀୟ ଲୋକେ ବସବାସ କରୁଥିଲେ ହେଁ, ପ୍ରଶାସନର ରନ୍ଧା ଖାଦ୍ୟ ଏଯାଏ କିଛି ବସ୍ତି ଛୁଇଁନି । ଲକ ଡାଉନ ହେବା ପରଠାରୁ କେବେ କାଁ, ଭାଁ ରନ୍ଧା ଖାଦ୍ୟ ପ୍ରଶାସନ ଓ ସାମାଜିକ ସଂସ୍ଥା ପକ୍ଷରୁ କେବଳ ବଂଟନ ହେଉଛି, ଯାହାକି ଗରିବଙ୍କୁ ସୁହାଉନାହିଁ । ଦିନେ ଖାଇ ସପ୍ତାହେ ରନ୍ଧା ଖାଦ୍ୟକୁ ଚାହିଁ ରହୁଛନ୍ତି ବସ୍ତି ବାସିନ୍ଦା ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । କିଛି ବସ୍ତିରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମାନସିକ ବିକୃତ ଓ ଅସହାୟ ବୃଦ୍ଧବୃଦ୍ଧା ମାନେ ମଧ୍ୟ ରନ୍ଧା ଖାଦ୍ୟରୁ ଏବେବି ବଂଚିତ ଅଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବସ୍ତିରେ ବାସିନ୍ଦା ମାନଙ୍କୁ ରନ୍ଧା ଖାଦ୍ୟ ବିତରଣ କରିବାକୁ ସରକାରୀ ନିର୍ଦ୍ଦେଶ ନାମା ରହିଥିଲେ ସୁଦ୍ଧା ଦକ୍ଷିଣ ରାଉରକେଲାର ୫୦ରୁ ଉର୍ଦ୍ଧ ବସ୍ତିରେ ପ୍ରତିଦିନ ଆରଏମସି ଅବା ପଂଚାୟତ ପକ୍ଷରୁ ଖାଦ୍ୟ ବିତରଣ ସମୁଦ୍ରରୁ ଶଖେଂ ସଦୃଶ ବୋଲି ବସ୍ତି ବାସିନ୍ଦା ମାନଙ୍କ ପକ୍ଷରୁ ଅଭିଯୋଗ ଉଠିଛି । କେବଳ ଲୋକ ଦେଖାଣିଆ ଭାବେ ରାସ୍ତାରେ ବୁଲୁଥିବା ଅବା ଗଛ ମୂଳରେ ବସିôତବା ନିରାଶ୍ରୟକୁ ଖାଦ୍ୟ ବିତରଣ କରାଯାଇ ପ୍ରଶାସନ ନିଜ କର୍ତବ୍ୟ ସମ୍ପାଦନ କରୁଛି । ଏପରି ସ୍ଥଳେ ଗରିବ ଖଟିଖିଆ, ଶ୍ରମିକ ଶ୍ରେଣୀୟ ଲୋକଙ୍କୁ ସରକାରଙ୍କ ରନ୍ଧା ଖାଦ୍ୟ ନିୟମିତ ଦେବାକୁ ଦାବି ହୋଇଛି ।
ଅସହାୟ ବୃଦ୍ଧ ବୃଦ୍ଧା ରନ୍ଧା ଖାଦ୍ୟରୁ ଏବେବି ବଂଚିତ !
|
April 15, 2020 |
