ରସୁଲପୁର ୨/୩ (ସନ୍ଧାନ ନିଉଜ) ରସୁଲପୁର ବ୍ଲକ ଅନ୍ତର୍ଗତ ଜାବରା ପଂଚାୟତରେ ଜଳ ବିଭାଜିକା ଅର୍ଥ ହଡପ ମସୁଧା ଧରପଡିଛି । ଏହି ପଂଚାୟତର ଚାଷୀ ରଂଜନ କୁମାର ସେଠୀଙ୍କ ବ୍ୟାଙ୍କ ଜମାଖାତା ଜରିଆରେ ଟଙ୍କା ହଡପ୍ କରିବା ଯୋଜନା ପଣ୍ଡ ହୋଇଛି । ଚାଷୀ ଜମାଖାତାକୁ ଆସିଥିବା ଟଙ୍କାକୁ ନଦେବାରୁ ଠିକାଦାରଙ୍କଠାରୁ ମାଡ ଖାଇବାକୁ ପଡିଛି । ଏ ନେଇ ମାମଲା କୁଆଖିଆ ଥାନାରେ ପହଁଚିଛି । ପୋଲିସ ପକ୍ଷରୁ ଅଭିଯୋଗକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ।
ଏହି ବ୍ଲକରେ ଜଳବିଭାଜିକା ପ୍ରକଳ୍ପକୁ ନେଇ ସବୁବେଳେ ବିବାଦ ଦେଖାଦେଉଛି । ଜଳଛାୟା ବିଭାଗ ପକ୍ଷରୁ ଚାଷୀଙ୍କ ନାଁରେ ଅର୍ଥ ହରିଲୁଟ୍ ହେଉଛି । ପ୍ରଧାମନ୍ତ୍ରୀ କୃଷି ସିଂଚାୟୀ ଯୋଜନା, ଜଳ ସଂରକ୍ଷଣ ଓ ପରିଚାଳନା ବାବଦକୁ କୋଟି କୋଟି ଟଙ୍କା ବ୍ୟୟବରା କରାଯାଉଛି । ଏହି ଟଙ୍କାକୁ ହରିଲୁଟ୍ କରିବା ପାଇଁ ଚାଷୀଙ୍କୁ ଢାଲ କରାଯାଉଛି । ଅଣଚାଷୀଙ୍କୁ ନେଇ କମିଟି ଗଠନ କରାଯାଉଛି । ଚାଷୀଙ୍କ ହିତ ବଦଳରେ ଗାଁ ଦଲାଲଙ୍କୁ ହାତ କରାଯାଇ ଟଙ୍କା ଚଳୁ କରାଯିବା ଘଟଣା ଉପରୁ ପରଦା ଉଠିଛି । ପ୍ରକଳ୍ପ ଚାଷୀଙ୍କ କାର୍ଯ୍ୟରେ ଲାଗୁଛି କି ନାହିଁ ସେ ଦିଗରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ନିଘା ନାହିଁ । ମାତ୍ର କିଛି ଲୋକଙ୍କ ଜମାଖାତା ଜରିଆରେ ଟଙ୍କା ଉଠାଇ ନିଆଯାଉଛି । ଏହି ପଂଚାୟତରେ ରବିନ୍ଦ୍ରଙ୍କ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗରୁ ସ୍ପଷ୍ଟ ବୁଝାପଡିଛି । ଏହି ପଂଚାୟତରେ କଳ୍ପତରୁ ଦେଓ ନାମକ ଜଣେବ୍ୟକ୍ତି ଫେବୃଆରୀ ୧୫ ତାରିଖରେ ରଂଜନଙ୍କଠାରୁ ବ୍ୟାଙ୍କ ଜମାଖାତା ନମ୍ବର ନେଇଥିଲେ । ତାଙ୍କ ଜମାଖାତାକୁ କାଳିଆ ଯୋଜନା ବାବଦକୁ ଟଙ୍କା ଆସିବ ବୋଲି କହି ଜମାଖାତା ନମ୍ବର ନେଇଥିଲେ । କିଛିଦିନ ପରେ ତାଙ୍କ ଆକାଉଣ୍ଟକୁ ୨୮ହଜାର ଟଙ୍କା ଆସିଥିଲା । ଉକ୍ତ ଟଙ୍କା ଉଠାଇ ଦେବାକୁ କଳ୍ପତରୁ କହିଥିଲେ । ସେଥିରେ ରାଜି ନହେବାରୁ କଳ୍ପତରୁ ତାଙ୍କୁ ମାଡ ମାରିଥିଲେ । ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏ ନେଇ ଗୁରୁବାର ଦିନ ରଂଜନ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତ । ପ୍ରକାଶଥାଉ କି ଏହି ବ୍ଲକରେ ଜଳଛାୟା ପ୍ରକଳ୍ପରେ ନାଁରେ କୋଟି କୋଟି ଟଙ୍କା ହଡପ୍ ହେଉଛି । ଏ ଦିଗରେ ଅଭିଯୋଗ କଲେ ବି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ନାହିଁ । ବିଭାଗର ଦୁର୍ନୀତି ସଂପର୍କରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।
ଜଳଛାୟା ପ୍ରକଳ୍ପରେ ଦୁର୍ନୀତି ଉପରୁ ପରଦା ଉଠୁଛି: ଅର୍ଥ ହଡପ୍ ପାଇଁ ଚାଷୀଙ୍କ ଜମାଖାତାକୁ ବ୍ୟବହାର, ଟଙ୍କା ନଦେବାରୁ ଚାଷୀଙ୍କୁ ପିଟିଲେ ଠିକାଦାର, ଥାନାରେ ଅଭିଯୋଗ
|
March 2, 2019 |