ଅପପୁଷ୍ଟି କବଳରେ କେଳାମରା ଗାଁ: ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍‌ ଓ ସ୍ୱାସ୍ଥ୍ୟସେବା ଅପହଞ୍ଚ

Spread the love

ନୀଳଗିରି ବ୍ଲକ ଅଧୀନ କେସିପୁର ପଞ୍ଚାୟତର କେଳାମରା ଗାଁ। ଏହି ଗାଁଟି ନୀଳଗିରି ସଦର ମହକୁମାଠାରୁ ମାତ୍ର ୩୫ କିମି ଦୂରରେ କୁଲଡିହା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ। ଏହି ଗାଁରେ ମୋଟ ୨୭ଗୋଟି ପରିବାରର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଗାଁରେ ନଳକୂପ କିମ୍ବା କୂଅଟିଏ ନାହିଁ। ପାହାଡ଼ ତଳି ଝରଣାରୁ ବୋହି ଜମା ହୋଇ ରହିଥିବା ଦୂଷିତ ଚୁଆ ପାଣି ହିଁ ଏମାନଙ୍କର ଏକମାତ୍ର ଭରସା। ଏବେବି ଗ୍ରାମବାସୀ ଚୁଆପାଣି ପିଇ ବିଭିନ୍ନ ମହାମାରୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଖାଲି ସେତିକି ନୁହେଁ କୋମଳମତି ଶିଶୁମାନେ ଉତ୍ତମ ଖାଦ୍ୟ ଓ ଉଚିତ୍‌ ସ୍ୱାସ୍ଥ୍ୟ ସେବାର ଅଭାବ କାରଣୁ ଅପପୁଷ୍ଟିର ଶିକାର ହେଉଛନ୍ତି। ସେହିଭଳି ଏହି ଗାଁକୁ ବିଦ୍ୟୁତ୍‌ ସେବା ପହଞ୍ଚ ନ ଥିବା ବେଳେ ସ୍ୱାଧୀନତାର ଏତେ ବର୍ଷ ପରେ ବି ଏହା ଲୋକଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି। ଗ୍ରାମବାସୀ ଲଣ୍ଠନ ଓ ଡିବିରି ଆଲୁଅକୁ ଭରସା କରି ଚଳୁଛନ୍ତି। ଯାହା ଫଳରେ ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇ ଯାଇଛି।

ସେହିଭଳି ଗାଁକୁ ଗମନାଗମନ ପାଇଁ ମଧ୍ୟ ଭଲ ରାସ୍ତାଟିଏ ନାହିଁ। ଯାହାଫଳରେ ଜଙ୍ଗଲ ମଧ୍ୟ ଦେଇ ଏକ ପାଦଚଲା ରାସ୍ତାରେ ଗାଁ ଲୋକେ ଯାତାୟାତ କରିଥାନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଏହି ଗାଁରେ କୌଣସି ଶିକ୍ଷାନୁଷ୍ଠାନ ଗଢ଼ିଉଠି ନ ଥିବାରୁ ଗାଁର ପିଲାମାନେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି।। ଗାଁଠାରୁ ପ୍ରାୟ ୩କିମି ଦୂରରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ବିବେଚନା କଲେ ମଧ୍ୟ ଗାଁକୁ ରାସ୍ତା ନ ଥିବାରୁ ମଧ୍ୟ ଆମ୍ବୁଲାନ୍‌ସ, ୧୦୮, ୧୦୨, ଦମକଳ ଗାଡ଼ି ସେବା ପହଞ୍ଚି ପାରେନାହିଁ। ଯାହା ଫଳରେ ରୋଗୀଙ୍କୁ ଦୀର୍ଘ ୩ କିମି ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଅଣାଯାଏ। ଅନେକ ସମୟରେ ରୋଗୀଙ୍କୁ ଡାକ୍ତରଖାନା ଆଣିବାରେ ବିଳମ୍ବ ହୋଇଥାଏ। ଫଳରେ ବହୁରୋଗୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଗ୍ରାମବାସୀ କୁହନ୍ତି।

ଅନ୍ୟପଟେ ତେବେ ବର୍ଷ ବର୍ଷ ହେଲା ସବୁ ପ୍ରକାର ମୌଳିକା ସେବାରୁ ବଞ୍ଚିତ ହୋଇ ରହିଥିବା ଗାଁ ଲୋକେ ଏଥିପାଇଁ ପ୍ରଶାସନ ଓ ଜନ ପ୍ରତିନିଧିମାନଙ୍କୁ ଦାୟୀ କରିଛନ୍ତି। ଏହି ଗାଁରେ କୌଣସି ଜନପ୍ରତିନିଧି, ବିଡିଓ, ତହସିଲଦାର, ଉପଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ପାଦ ପଡ଼ି ନ ଥିବା ମଧୁରା ମଢ଼େଇ, କେତୁ ମଢ଼େଇ, କାଳିଆ ବିଶ୍ୱାଳ, ବବଲ ମୁର୍ମୁ, ଗୋରା ଟୁଡୁ ପ୍ରମୁଖ ଗାଁ ଲୋକେ ପ୍ରକାଶ କରିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଉକ୍ତ ଗାଁ ପ୍ରତି ନଜର ଦେଇ ମୌଳିକ ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। ଘଟଣା ସଂପର୍କରେ ବିଡିଓ ରାମଦାସ ଟୁଡୁଙ୍କୁ ପଚାରିବାରୁ ସେ ଏହି ଗାଁର ଦୁର୍ଦ୍ଦଶା ସଂପର୍କରେ ଅବଗତ ନାହାନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସରପଞ୍ଚ ମହେନ୍ଦ୍ର ମଢ଼େଇଙ୍କୁ ପଚାରିବାରୁ ଏ ନେଇ ଆକ୍ସନ ପ୍ଲାନ୍‌ ହୋଇଛି, ଖୁବ୍‌ଶୀଘ୍ର ଗାଁକୁ ପାଣି, ବିଦ୍ୟୁତ୍‌ ଓ ରାସ୍ତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Report L dehury

Related Posts

About The Author

Add Comment