ଭୁବନେଶ୍ୱର ୩୦/୧୧ (ସନ୍ଧାନ ନିୟୁଜ/ମାନସ ରାଉତ): ସଦ୍ୟ ଉପସ୍ଥାପିତ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି। ରାଜ୍ୟସରକାରଙ୍କ ଅର୍ଥନୀତିର କୌଣସି ଦିଗନାହିଁ ଓ କେନ୍ଦ୍ର ସରକାରଙ୍କର ଅନୁଦାନକୁ ବାଟମାରଣା କରାଯାଇଛି। ରାଜ୍ୟସରକାର ବିଧାନସଭାରେ ଲକ୍ଷେ କୋଟି ଟଙ୍କାରୁ ଉଦ୍ଧ୍ୱର୍ର ବଜେଟ୍ ପାସ୍ କରୁଛନ୍ତି ବୋଲି କହୁଛନ୍ତି କିନ୍ତୁ ସେଥିରେ ୨୧, ୨୦୬କୋଟି ଟଙ୍କା ଖର୍ଚ୍ଚ କରିପାରୁନାହାଁନ୍ତି। ରାଜ୍ୟସରକାରଙ୍କର କେଶ ରିଜର୍ଭ ବ୍ୟାଙ୍କ୍ ସହିତ ୩୦, ୮୪୮କୋଟି ଟଙ୍କା ଥିଲା ବେଳେ ରାଜ୍ୟସରକାର ମାର୍କେଟ୍ରୁ ୬ରୁ ୮ % ସୁଧ ଦେଇ ୧୨, ୧୩୦କୋଟି ଟଙ୍କା ଉଠାଇଛନ୍ତି। ଏହି ୬ରୁ ୮ ପ୍ରତିଶତ ସୁଧ କାହା ସ୍ୱାର୍ଥରେ କାହା ପକେଟକୁ ଯାଇଛି ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।
ଡ.ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି କି, ରାଜ୍ୟସରକାର ଜନହିତକାରୀ ଯୋଜନା ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ଓ ଶିଶୁ ବିଭାଗ ଆଦି ସୋସିଆଲ ସେକ୍ଟର ମାନଙ୍କରେ ଅର୍ଥ ଖର୍ଚ୍ଚ ନକରି ଯେଉଁଥିରେ ଦୁର୍ନୀତି ଓ ପିସି କାରବାର ହୋଇପାରିବ ଏବଂ ଯେଉଁଥିରେ ଅର୍ଥ ଖର୍ଚ୍ଚ ହେବ ତାହାର ହିସାବ ମିଳିବନାହିଁ ସେଭଳି କ୍ଷେତ୍ରରେ ରାଜ୍ୟସରକାର ପଇସା ଖର୍ଚ୍ଚ କରିଛନ୍ତି। ରାଜ୍ୟସରକାର ମହିଳା ଓ ଶିଶୁବିକାଶ, କୃଷି, ସ୍ୱାସ୍ଥ୍ୟ ବିଭାଗକୁ ଅଣଦେଖା କରିଛନ୍ତି।
କୃଷି କ୍ଷେତ୍ରରେ ୯୪୬ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶରେ ୯୨୨ କୋଟି, ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୮୧ କୋଟି ଟଙ୍କା ସରକାର ଖର୍ଚ୍ଚ କରିନପାରି ଫେରାଇ ଦେଇଛନ୍ତି। ଅଥଚ ପୂର୍ତ ବିଭାଗରେ ସବୁ ପଇସା ଖର୍ଚ୍ଚ କରିବା ସହ ଦୁର୍ନୀତି ମଧ୍ୟ କରିଛନ୍ତି। ୨୨୯କୋଟି ଟଙ୍କା ଖର୍ଚ୍ଚରେ ୧୦୦ କି.ମି ରାସ୍ତାରୁ ମାତ୍ର ୪୮ କି.ମି ରାସ୍ତା ନିର୍ମାଣ କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୨୯୨ କୋଟି ଟଙ୍କା ଖର୍ଚ୍ଚ କରି ୮୦୦ କି.ମି ଜାଗାରେ ମାତ୍ର ୪୬୨ କି.ମି ନିର୍ମାଣ କରାଯାଇ ବାକି ଅର୍ଥ ଆତ୍ମସାତ କରାଯାଇଛି। ଏହି ମହାଦୁର୍ନୀତି ପାଇଁ ରାଜ୍ୟସରକାର ତକ୍ରାଳୀନ ପୂର୍ତ ବିଭାଗର ମୁଖ୍ୟ ନଳୀନ କାନ୍ତ ପ୍ରଧାନଙ୍କୁ ସମ୍ବଲପୁରର ସାଂସଦ ଟିକେଟ ଦେଇ ପୁରସ୍କୃତ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ରାଜ୍ୟସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣଭାବେ ବିଫଳ ହୋଇଛି। ଏଥିରେ ୧୩୦ କୋଟିରୁ ମାତ୍ର ୨୬.୬୫ କୋଟି ଖର୍ଚ୍ଚ ହୋଇପାରିଛି। କାଜୁ ଚାଷର ବିକାଶ ପାଇଁ ଦିଆଯାଇଥିବା ୮୦ କୋଟିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ। ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ୩୦ କୋଟି ଏବଂ ଜନ୍ମନିୟନ୍ତ୍ରଣ ପାଇଁ ୧୫ କୋଟି ଟଙ୍କା ଆଦୌ ଖର୍ଚ୍ଚ ହୋଇପାରିନାହିଁ। ରାଜ୍ୟସରକାର ଗତ ୫ ବର୍ଷ ହେବ ଜମାକାରୀଙ୍କୁ ପଇସା ଫେରାଇ ଦେବେ ବୋଲି ମିଥ୍ୟା ପ୍ରତିଶୃତି ଦେଇଆସୁଛନ୍ତି ଏବଂ କମିସନ ଅବଦ୍ଧି ବଢାଇ ଚାଲିଛନ୍ତି। ହେଲେ ୩୦୦ କୋଟି କର୍ପୋସ ଫଣ୍ଡରୁ ଟଙ୍କାଟିଏ ବି କେଉଁ ଜମାକାରୀଙ୍କୁ ଦେଇ ପାରିଲେ ନାହିଁ। ସରକାର ଜମାକାରୀଙ୍କୁ ଠକିବା ସହ ମିଥ୍ୟା ପ୍ରତାରଣା ଦେଇଚାଲିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁକ୍ରମେ ଖଣିଜ ଅଂଚଳର ବିକାଶ ପାଇଣ ମିନେରାଲ ଡେଭଲପମେଂଟ ଫଣ୍ଡରେ ୧୧ ହଜାର ୫୬୮ କୋଟି ଟଙ୍କା ଜମା ଥିବାବେଳେ ସରକାର ଟଙ୍କାଟିଏ ବି ସେ ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରିପାରି ନାହାଁନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ରାଜ୍ୟସରକାର ସବୁ ସମୟରେ କେନ୍ଦ୍ର ଅବହେଳା କଥା କହୁଛନ୍ତି ହେଲେ ବିଭିନ୍ନ ଯୋଜନାରେ ଆସିଥିବା ୩୮ ହଜାର ୪୨୭ କୋଟି ଟଙ୍କାକୁ ସଂପୂର୍ଣ୍ଣଭାବେ ଗାଏବ କରିଛନ୍ତି। ଏବେ ରାଜ୍ୟସରକାର ସେହି ଅର୍ଥର ହିସାବ ଦେଇପାରୁଛନ୍ତି ନା ବିନିଯୋଗ ପ୍ରମାଣପତ୍ର (ୟୁଟିଲାଇଜେସନ ସାର୍ଟିଫିକେଟ) ଦେଇପାରୁଛନ୍ତି। ଏହି ସିଏଜି ରିପୋର୍ଟରୁ ସ୍ପଷ୍ଟ ଯେ, ରାଜ୍ୟସରକାର ଆର୍ଥୀକ ଦୁର୍ନୀତି ଓ ପିସି କାରବାରରେରେ ଲିପ୍ତ ରହିଛନ୍ତି ଏବଂ କୌଣସି ଜନହିତକାରୀ କାର୍ଯ୍ୟକ୍ରମ ହାତକୁ ନେଇନାହାଁନ୍ତି। ବିଜେଡି ସରକାର ମହିଳା, ଶିଶୁ, ଯୁବ, କୃଷକ, ଏବଂ ଏକ ଜନବିରୋଧୀ ସରକାର ବୋଲି ପ୍ରମାଣିତ ହୋଇଛି। ଏହି ସମସ୍ତ ପ୍ରସଙ୍ଗ ବିରୋଧୀ ଉଠାଇବାର ଆଶଙ୍କା ଥିବାରୁ ଜାଣିସୁଣି ରାଜ୍ୟସରକାର ବିଧାନସଭାକୁ ଆଗୁଆ ବନ୍ଦ କରିଦେଲେ ବୋଲି ଡ. ସାମନ୍ତସିଂହାର କହିଛନ୍ତି।