ଭୁବନେଶ୍ୱର, ୧୯/୦୩ (ସନ୍ଧାନ ନିୟୁଜ) ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗିରହିବ । କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣ ଏବଂ ଆଉ କେତେକ ସ୍ଥାନରେ ବର୍ଷା ପବନ ହେବାର ଆଶଙ୍କା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ତାପମାତ୍ରାରେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁ ବୋଲି କୁହାଯାଇଛି ।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୧୯ ତାରିଖ ସକାଳ ସୁଦ୍ଧା କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ଏହି ଦିନ ଅପରାହ୍ଣଠାରୁ ପାଗରେ ବଡ଼ ପରିବର୍ତନ ଆସିବ। ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଧା ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କନ୍ଧମାଳରେ କୁଆପଥର ବର୍ଷା ହେବାର ସମ୍ଭାବନା ଅଧିକ ରହିଛି।



