ବାଲେଶ୍ଵର ୧୨/୦୮/୨୦୨୦ (ସନ୍ଧାନ ନିଉଜ) :- ବଟି ପାଇଁ ସୁନହଟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଧମକାଇବା ଓ ଫାଙ୍କା ଗୁଳିଚାଳନା କରିବା ଘଟଣାରେ ଟାଉଥାନା ପୁଲିସ ଏକ ଗେଷ୍ଟହାଉସ୍ ଝାଡୁଦାର ସମେତ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୋତିଗଞ୍ଜ ଗେଷ୍ଟହାଉସ୍ ଝାଡୁଦାର କାର୍ତ୍ତିକ ବୈଶାଖୀ (୨୫) ଓ ଶୁଭାଶିଷ ଦାସ (୨୫)। ଉଭୟ ବାରବାଟୀ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ବାଇକ୍ ଜବତ କରିଛି।
ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ଶୁଭାଶିଷ, କାତ୍ତକ ଏବଂ ତାଙ୍କର ଦୁଇ ସହଯୋଗୀ ମିଶି ସୁନହଟ ଅଞ୍ଚଳର ଜଣେ ଔଷଧ ଦୋକାନୀ କରୁଣାକର ନାୟକ ଏବଂ ଅନ୍ୟ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବାରମ୍ବାର ଫୋନ୍ କରି ୩ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ସେମାନେ ଟଙ୍କା ନଦେବାରୁ ପ୍ରତିଥର ନମ୍ବର ବଦଳାଇ କଲ୍ କରି ହତ୍ୟା ଧମକ ଦେଇଥିଲେ । ଉଭୟ ବ୍ୟବସାୟୀଙ୍କୁ ଭୟଭୀତ କରିବା ପାଇଁ ଗତ ୩୧ ତାରିଖ ରାତିରେ ୪ ଅଭିଯୁକ୍ତ ମିଶି ସୁନହଟ ଅଞ୍ଚଳରେ ଫାଙ୍କା ଗୁଳି ଚାଳନା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ଖବର ପାଇ ସ୍ପେଶାଲ୍ ସ୍କ୍ବାଡ୍ ଓ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଛାଭିନ୍ କରିବା ସହ ପଇଁତରା ମାରିଥିଲା । ହେଲେ କୋଉଠୁ କିଛି ସୁରାକ୍ ମିଳିନଥିଲା । ଫୋନ୍ ଟ୍ରାକିଂ ପରେ ପୁଲିସ ହାତରେ ଅନେକ ତଥ୍ୟ ଲାଗିଥିଲା । ଅଭିଯୁକ୍ତମାନେ ଏକ ମୋବାଇଲ୍ ଦୋକାନକୁ ଯାଇ ଯୋଜନା ରଚିଥିଲେ । ଜଣେ ଗ୍ରାହକ ନୁଆ ସିମ୍ ପାଇଁ ତାଙ୍କର ଡାଟା ଦାଖଲ ବେଳେ ଅଭିଯୁକ୍ତମାନେ ଚତୁରତାର ସହ ଡାଟାର ଫଟୋ ଉଠାଇ ଆଣିଥିଲେ । ଏହା ପରେ ତାଙ୍କ ଡାଟା ଦେଇ ଭୋଡାଫୋନ୍ର କେତୋଟି ସିମ୍ ଆଣିଥିଲେ । ସେହି ସିମରୁ କରୁଣାକର ଓ ଅନ୍ୟ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଫୋନ୍ କରି ଧମକ ଦେଇଥିଲେ । ସନ୍ଦେହରେ ୩ ତାରିଖ ଦିନ ସ୍ପେଶାଲ୍ ସ୍କ୍ବାଡ୍ ଜଣେ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ପଚରାଉଚରା ବେଳେ ଗୁମର ଖୋଲିଥିଲା । ଅଭିଯୁକ୍ତଙ୍କ ତଥ୍ୟ ମିଳିବା ପରେ ଗତକାଲି ରାତିରେ ପୁଲିସର ଏକ ଟିମ୍ ମୋତିଗଞ୍ଜ ଗେଷ୍ଟହାଉସ୍ରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ । ଚାଲାଣ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି ।



