ଲିଙ୍ଗରାଜ ପଣ୍ଡା,
ହେ ଆଲୋକମୟ ତୁମରି ଆଲୋକେ
ମୋ ଅନ୍ତର ହେଉ ଆଲୋକିତ
ତୁମରି ସେ ପୂଣ୍ୟ ପ୍ରଭାର ପରିଶେ
ମୋ ହୃଦୟ ହେଉ ପୁଲକିତ || ୧ ||
ଅନ୍ତର ମୋହର କାଳିମାର ଭରା
ଘୋଟିଛି କୁସ୍ତିତ ଅନ୍ଧକାର
ସେ ପୂଣ୍ୟ ଆଲୋକ ପୁଣ୍ୟ ପରଶରେ
ମୋ ହୃଦ କାଳିମା ହେଉ ଦୂର || ୨ ||
ପ୍ରଭାତରେ ରବି ପ୍ରଦୋଷରେ ଚନ୍ଦ୍ର
ଆଲୋକ ଦିଅନ୍ତି ଗଗନରେ
ମୋ ହୃଦ ଆକାଶ ଆଲୋକିତ ହେଉ
ତୁମ ସେ କରୁଣା ଆଲୋକରେ || ୩ ||
ତୁମେ ହିଁ ସାକାର ତୁମେ ନିରାକାର
ଗୁଣହୀନ ପୁଣି ଗୁଣମୟ
ତୁମେ ହିଁ ସେ ଦିବ୍ୟ ଜ୍ୟୋତିର ଝଲକ
ତୁମେ ପରଂବ୍ରହ୍ମ ଦୟାମୟ || ୪ ||
ଜଗତ ମଙ୍ଗଳେ ଏ ଧରାଧାମରେ
ଯୁଗେ ଯୁଗେ ତୁମ ଅବତାର
ରାମ, କୃଷ୍ଣ, ବୁଦ୍ଧ, ଯୀଶୁ ଚଇତନ୍ୟ
ମହମ୍ମଦ ଅବା ମହାବୀର || ୫ ||
ନର ନାରାୟଣ ମଙ୍ଗଳ ମୂରତି
ତୁମ ପାଦେ ମୋର ନିବେଦନ
ପବିତ୍ର କର ମୋ ଭାବ ଭାଷା କର୍ମ
ଦିଅ ସତ ବୃଦ୍ଧି ସତ ଜ୍ଞାନ || ୬ ||
ଶରଣ ମାଗୁଛି ଚରଣେ ତୁମର
ତୁମେ ପ୍ରଭୁ ମୋର ହୃଦୟର
ଅନନ୍ତ ଅସୀମ ମହିମାମୟ ହେ
ତୁମ ପାଦେ କୋଟି ନମସ୍କାର || ୭ ||


