ଭଦ୍ରକ, 10.02.2021 (ସନ୍ଧାନ ନିଉଜ୍) :- ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନରେ ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି। ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତର କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ଉତ୍ତରାଖଣ୍ଡର ରୁଷିଗଙ୍ଗା ପାଓ୍ବାର ପ୍ରକଳ୍ପ ଅଧିନରେ ଥିବା ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରନ୍ତି। ଗତ ରବିବାର ହୋଇଥିବା ହିମସ୍ଖଳରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ଭଦ୍ରକର ନାଗାର୍ଜୁନ ନିଖୋଜ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହି ଘଟଣା ସଂପର୍କରେ ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଦାସ ଫୋନ ଯୋଗେ ସଂପୃକ୍ତ ସଂସ୍ଥାର ଅଧିକାରୀଙ୍କ ସହ କଥା ହୋଇଥିଲେ। ଉତ୍ତରାଖଣ୍ଡ ସରକାର ଜାରି କରିଥିବା ହେଲଫ୍ ଲାଇନ୍ ନମ୍ବରରେ ମଧ୍ୟ ପରିବାର ଲୋକେ ଯୋଗାଯୋଗ କରିଥିଲେ। ତଥାପି ନାଗାର୍ଜୁନଙ୍କ କୌଣସି ପତ୍ତା ମିଳି ନାହିଁ। ନୟାଗଡ ଜିଲ୍ଲାର ସୁଶାନ୍ତ ଏବଂ ନାଗାର୍ଜୁନ ସମାନ କମ୍ପାନୀରେ କାମ କରନ୍ତି। ନୂଆ ପ୍ରୋଜେକ୍ଟରେ ସୁଶାନ୍ତଙ୍କ ବଦଳରେ ନାଗାର୍ଜୁନ କାମ କରୁଥିଲେ। କୌଣସି କାରଣରୁ ସୁଶାନ୍ତ ଛୁଟିରେ ଘରକୁ ଆସିଥିଲେ। ସୁଶାନ୍ତ ଏବଂ ନାର୍ଗାର୍ଜୁନଙ୍କ ପରିବାର ଲୋକେ ମିଶି ଉତ୍ତରାଖଣ୍ଡ ଯିବେ ବୋଲି ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ନାଗାର୍ଜୁନଙ୍କ ସନ୍ଧାନ ମିଳି ନାହିଁ।
ହିମସ୍ଖଳନରେ ଭଦ୍ରକର ନାଗାର୍ଜୁନ ନିଖୋଜ
|
February 10, 2021 |