ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ ପୁସ୍ତକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵାରା ଉନ୍ମୋଚିତ
ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ ପୁସ୍ତକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵାରା ଉନ୍ମୋଚିତ
Sandhan News |
April 12, 2021 |

” ସ୍ୱାଧୀନତା ସଂଗ୍ରାମର ଏକ ସଶକ୍ତ ମାଇଲଖୁଣ୍ଟ ଥିଲେ ଡ. ହରେକୃଷ୍ଣ ମହତାବ” – ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, 12/04 (ସନ୍ଧାନ ନିଉଜ): ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ସଶକ୍ତ ମାଇଲଖୁଣ୍ଟ ଥିଲେ । ସେ ସ୍ୱାଧୀନତା ପାଇଁ ଓ ସ୍ୱାଧୀନତା ପରେ ମଧ୍ୟ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ନିମନ୍ତେ ଉଭୟ ଥର ଜେଲ୍ ଯାଇଥିଲେ ।
ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାର ସ୍ୱର୍ଗତ ଡ଼. ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରି ତାଙ୍କୁ ନବ ଉତ୍କଳର ନିର୍ମାତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବହିତ କରିଥିଲେ । ମହତାବଙ୍କ ଦ୍ୱାରା ଲିଖିତ ଇତିହାସକୁ ବ୍ୟାପକ ଭାବେ ପଢ଼ିବାର ଆବଶ୍ୟକତା ରହିଛି । ଇତିହାସ କେବଳ ଅତୀତର ଘଟଣାବଳୀକୁ ଅନୁଧ୍ୟାନ କରିବା ପାଇଁ ନୁହେଁ, ବରଂ ଏହା ଆମ ଆଗାମୀ ଭବିଷ୍ୟତର ଏକ ଆଇନା । ‘ଓଡ଼ିଶା ଇତିହାସ’ ପଢ଼ିବା ମାନେ ଓଡ଼ିଶାକୁ ଜାଣିବା । ଓଡ଼ିଶା ଆମ ଦେଶର ଏକ ସାଂସ୍କୃତିକ ବିବିଧତାର ଏକ ପରିପୂର୍ଣ୍ଣ ଚିତ୍ର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଥିଲେ। ।
ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିବା ଡ.ମହତାବଙ୍କ ରଚିତ ଓଡିଶାର ଇତିହାସର ହିନ୍ଦୀ ସଂସ୍କରଣ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହେବା ଡ.ମହତାବଙ୍କ ପରି ଜଣେ ମହାନ ବ୍ୟକ୍ତିତ୍ୱ ଓ ତାଙ୍କର କାର୍ଯ୍ୟ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି । ଆଜିର ଦିବସ ଓଡ଼ିଶାର ସାମାଜିକ ଜୀବନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ନୂଆ ପରିଚୟ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଥିଲେ । ଡ ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ
ଅନ୍ୟମାନଙ୍କ ମଧ୍ୟରେ ଡ.ମହତାବଙ୍କ ସୁପୁତ୍ର ତଥା କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ମଂଚାସୀନ ଥିଲେ ।
ସୋସିଆଲ୍ ମିଡିଆ ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାର ୩୪ଟି ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ଅନେକ ବୁଦ୍ଧିଜିବୀ ।
Related Posts
About The Author