ସଡ଼କ ସୁରକ୍ଷା ସପ୍ତାହ ପାଳନ

Spread the love

ଜେନାପୁର, ୧୯/୦୧(ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଦେଶରେ ପ୍ରତି ମୁହୂର୍ତ୍ତରେ ସଡ଼କ ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଯାଉଛି । ଯାଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା ର ହାର କିଛି କମ ନୁହେଁ । ପୁଣି ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ତ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ଲୋକ ମୃତ୍ୟୁବରଣ କରୁଥିବା ବେଳେ ଆଉ କିଛି ଲୋକ ଆହାତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜେନାପୁର ପୋଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଙ୍କ ଦ୍ଵାରା ବହୁବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । କିନ୍ତୁ ଏଠି ରାଜପଥ  ପଥଚାରୀଙ୍କୁ ସୁରକ୍ଷା ଦେଇପାରୁନଥିବା ନେଇ ଅଭିଯୋଗ ହେଉଛି । ଏବେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ଜେନାପୁର ପୋଲିସ ଓ ସ୍ବେଚ୍ଛାସେବୀ ସଙ୍ଗଠନ ସଚେତନ ନାଗରିକ ମଞ୍ଚ ର ମିଳିତ ଉଦ୍ୟମରେ ବେଶ କିଛି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ପୁରା ସପ୍ତାହ ସାରା ୫୩ ନଂ ରାଜପଥ ସମେତ ବିଭିନ୍ନ ଗ୍ରାମ,ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ଏକ ସଚେତନତା ରଥ କୁ ଜେନାପୁର ଥାନଧିକାରୀ ଶୁଶାନ୍ତ କୁମାର ଦାସ ଉଦ୍ଘାଟନ କରିଥିଲାବେଳେ ଏହି ରଥ ଓ ସଚେତନ ନାଗରିକ ମଞ୍ଚ ର କାର୍ଯ୍ୟକର୍ତା ଓ ସାଧାରଣ ଲୋକ ଙ୍କ ଦ୍ଵାରା ଏକ ବିରାଟ ବାଇକ ରାଲି ୫୦ରୁ ଅଧିକ ଗାଁ ବୁଲି ସଚେତନତା କରିଥିଲେ । ଦ୍ୱିତୀୟ ଦିବସରେ ଜେନାପୁର ହାଇସ୍କୁଲ ଓ ମାର୍ଜିତାପୁର ହିଙ୍ଗୁଳା ବିଦ୍ୟାମନ୍ଦିରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିବାବେଳେ ଜାରକା-ବ୍ରାହ୍ମଣୀ ବ୍ରିଜ ନଦୀବନ୍ଧ ରାସ୍ତାରେ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଏକ ବଡ଼ ଶୁଖିଲା ଗଛକୁ ଥାନା ପକ୍ଷରୁ କଟାଯିବାପାଇଁ ବ୍ୟବସ୍ଥା କରାଯାଇଥିଲା । ଏହିପରି ଭାବେ ପର୍ଯ୍ୟାୟ କ୍ରମେ ୫୩ ନଂ ଜାତୀୟ ରାଜପଥ ର ଚଢ଼େଇଧରା ଛକଠାରେ ଗାଡିଚାଳକଙ୍କୁ ସଡ଼କ ସୁରକ୍ଷା ଦିଗରେ ସଚେତନତା କରାଯାଇଥିଲା । ସେହିପରି କନ୍ତପଡା ଛକଠାରେ ସ୍ଥାନୀୟ ମୁକୁନ୍ଦପାତ୍ର କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ଥାନୀୟ ଜେନାପୁର ପୋଲିସ ଓ ସଚେତନ ନାଗରିକ ମଞ୍ଚର ସମସ୍ତ କାର୍ଯ୍ୟକର୍ତା ସଚେତନତା ସଭା ଅନୁଷ୍ଠିତ ହୋଇଥିଲାବେଳେ ଅନ୍ତିମ ଦିବସରେ ଥାନାର ସମସ୍ତ ପୋଲିସ କର୍ମଚାରୀ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି ଗଣଦୌଡ଼ ଜେନାପୁର ଥାନାରୁ ଆରମ୍ଭ ହୋଇ ଜେନାପୁର, ଲକ ବଜାର, ଦହିପୁର, ବୃନ୍ଦାଦେଇପୁର, ପଣସପଡ଼ିଆ ହୋଇ ପୁନର୍ବାର ଥାନାରେ ପହଁଚିଥିଲା । ଏହି ଗଣଦୌଡ଼ ସମୟରେ ପୋଲିସ ଓ ମଞ୍ଚର ସଦସ୍ୟମାନେ ପ୍ରତ୍ୟେକ ଘର ଘର ବୁଲି ବାଇକ ଚାଳକ ମାନେ ହେଲମେଟ ବ୍ୟବହାର କରିବା ପାଇଁ ସଚେତନ କରାଇବା ସହ ଦୃତଗତି ମହାବିପତି,ସଡ଼କ ସୁରକ୍ଷା ଜୀବନ ରକ୍ଷା ଭଳି ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ କରାଇଥିଲେ । ଜେନାପୁର ଥାନା ଆଇଆଇସି ଶୁଶାନ୍ତ କୁମାର ଦାସ, ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରା ଏବଂ ଉପଦେଷ୍ଟା ପରମାନନ୍ଦ ସାହୁଙ୍କ ନେତୃତ୍ୱରେ ଏକଶହରୁ ଅଧିକ ଯୁବକ ଯୁବତୀ ଏହି ଗଣଦୌଡ଼ ରେ ଭାଗନେଇଥିଲେ ।

Related Posts

About The Author

Add Comment