ବାଲେଶ୍ଵର ୧୭/୦୭ (ସନ୍ଧାନ ନ୍ୟୁଜ୍)-:ସ୍ତ୍ରୀ ନିର୍ଯ୍ୟାତନା ଅଭିଯୋଗ ଲଗାଇବା ପରେ ସ୍ୱାମୀଙ୍କ ଆତ୍ମହତ୍ୟା। ଏହି ଘଟଣା ଏବେ ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଅଁଳାପାଳ ଗ୍ରାମର ଗଜେନ୍ଦ୍ର ଦାସଙ୍କ ପୁଅ ଅମିତ କୁମାର (୩୦) ବର୍ଷେ ପୂର୍ବରୁ ନରଣପୁର ଅଂଚଳର ସନ୍ତୋଷ କୁମାର ଦାସଙ୍କ ଝିଅ ବର୍ଷାରାଣୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ କରିବାର ଦୁଇମାସ ପରେ ଉଭୟଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ପତ୍ନୀ ବର୍ଷା ବାପ ଘରେ ରହୁଥିଲେ। ସ୍ୱାମୀ-ସ୍ତ୍ରୀ କଳିକୁ ମେଣ୍ଟାଇବାକୁ ଗ୍ରାମବାସୀ ଚେଷ୍ଟା କରିଥିଲେ ସୁଦ୍ଧା ସମାଧାନ କରିପାରି ନଥିଲେ।
ହେଲେ ଗତ ୧୪ ତାରିଖ ଦିନ ବର୍ଷା ବରମପୁର ଥାନାରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କରିଥିଲେ। ଫଳରେ ଥାନା ପକ୍ଷରୁ ଉଭୟ ପରିବାରଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ କୌଣସି ସମାଧାନର ବାଟ ବାହାରି ପାରିନଥିଲା।
ଏସବୁ ଭିତରେ ସ୍ୱାମୀ ଅମିତ ମାନସିକ ଭାରସାମ୍ୟ ହରାଇ ନିଜ ଘର ଠାରୁ କିଛିଦୂରରେ ଥିବା ଏକ ଆମ୍ବ ଗଛରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ଶବର ପୋଷ୍ଟମୋଟମ କରାଯାଇଛି। ଘଟଣା ପୁଲିସ ତଦନ୍ତ ଜାରି ରଖିଛି।


