ରାଉରକେଲା, ୦୯/୦୮/୨୦ (ସନ୍ଧାନ ନିଉଜ) : ଆଜି ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ସପ୍ତାହନ୍ତ ରବିବାର ସଟଡାଉନର ଦ୍ୱିତୀୟ ପାଳି ଆରମ୍ଭ ହୋଇଥିବା ବେଳେ ମେଡ଼ିକାଲ ଓ ଦୁଗ୍ଧ ଦୋକାନକୁ ବାଦ ଦିଆଯାଇ ଅନ୍ୟ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଉପରେ ସକାଳ ୬ଟାରୁ ରାତି ୯ ଟା ଯାଏ କଟକଣା ଲଗାଯାଇ, ରାତି ୯ଟାରୁ ସକାଳ ୫ଟା ପୂର୍ବଭଳି ନାଇଟ୍ କର୍ଫୁ ବଳବତର ରହିଛି । ମାତ୍ର ଦକ୍ଷିଣ ରାଉରକେଲାରେ ସଟଡାଉନ ସମୟରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିିଳୁଛି! ସଟଡାଉନ ସମୟରେ କୋଭିଡ଼ ନିୟମ କଟକଣାକୁ ନମାନି ଯୁବଗୋଷ୍ଠୀ ଅମାନିଆ ମାନେ କୋଣସି କାର୍ଯ୍ୟ ନଥାଇ ଅଯଥାରେ ସାରନଗରୀ ରାଜରାସ୍ତାରେ ବିଚରଣ କରିବା ନଜକୁ ଆସିଥିଲା ।ଯଦିଓ ସ୍ଥାନୀୟ ପୁଲିସ ପକ୍ଷରୁ ଅମାନିଆ ମାନଙ୍କୁ ତାଗିଦ କରାଯାଇ ଆକଟ କରାଯାଉଥିଲା, ତଥାପି ଅମାନିଆ ମାନେ ଗଳାବାଟ ଦେଇ ପୁଲିସ କବଳରୁ ବର୍ତିବାରେ ସକ୍ଷମ ହେବା ସ୍ପଷ୍ଟରୂପେ ବାରି ହୋଇ ପଡୁଛି ।
ଅନ୍ୟପକ୍ଷେ ସ୍ଥାନୀୟ ଟାଙ୍ଗରପାଲୀ ପୁଲିସ ପକ୍ଷରୁ ନୂତନ ଥାନାଧିକାରୀ ରବିନ୍ଦ୍ର ନାଥ ପାତ୍ରଙ୍କ ଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଟିମ୍ ଗଠନ କରାଯାଇ ଅଂଚଳର ବିଭିନ୍ନ ଛକରେ ଆଜି ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା । ସ୍ଥାନୀୟ ମଙ୍ଗଳା ଛକରେ ପୁଲିସ କର୍ମୀ ରଣଜିତ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟ ପୁଲିସ କର୍ମୀ ମାନେ ପଇଁତରା ମାରିବା ସଟଡାଉନ ସମୟରେ ବାଇକ ଧରି ରାସ୍ତାରେ ବୁଲୁଥିବା ଅମାନିଆ, ମାସ୍କ ପିନ୍ଧି ନଥିବା ବ୍ୟକ୍ତି ମାନଙ୍କୁ ତାଗିଦ କରିଥିଲା । ପୁଲିସ ପିସିଆର ଭ୍ୟାନ ସାରନଗରୀର ଗଳିକନ୍ଦିରେ ପଇଁତରା ମାରିବା ସହ ଖୋଲାଥିବା କିଛି ଛୋଟ ଗୁମୁଟିକୁ ବନ୍ଦ କରିଥିଲା । । ଦକ୍ଷିଣ ରାଉରକେଲାର ପ୍ରାୟ ସବୁ ମାର୍କେଟରେ ଦୋକାନବଜାର ବନ୍ଦ ରହିଥିବା ବେଳେ କିଛି କଲୋନୀ ଓବସ୍ତି ଅଂଚଳ ନିକଟତର ଥିବା ତେଜରାତି ବ୍ୟବସାୟୀ ମାନେ ସର୍ଟର ବନ୍ଦ କରି ନିଜ ବ୍ୟବସାୟ ଚଳାଉଥିବା ଅଭିଯୋଗ ହୋଇଛି । ସଟଡାଉନ ସମୟରେ କିଛି ବୁଲା ବିକାଳି ନିଜ କାରବାର ଲୁଚାଛପାରେ ଚଳାଇଥିଲେ । ମଦ୍ୟପ ମାନଙ୍କ ଉପରେ ସପ୍ତାହନ୍ତ ସଟଡାଉନର ପ୍ରଭାବଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା ।ସହରତଳି କିଛି ବସ୍ତି ଅଂଚଳରେ ଲୁଚାଛପାରେ ଦେଶୀ ଓ ବିଦେଶୀ ମଦର ବିକ୍ରି କରାଯାଇଥିବା ବେଳେ, ମୋବାଇଲ ମାଧ୍ୟମରେ ଯୋଗାଯୋଗ ପରେ ଗ୍ରାହକଙ୍କ ନିକଟରେ ମଦ ପହଂଚି ଯାଉଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ପ୍ରକାଶ ଥାଉକି, ବର୍ତମାନ ସୁଦ୍ଧା ସାରନଗରୀ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବଳେ, ସଟଡାଉନ ସମୟରେ ଅମାନିଆଙ୍କ ଖୁଲମଖୁଲା ବିଚରଣ, ଲୁଚାଛପା ବ୍ୟବସାୟିକ ସ୍ଥଳ ଖୋଲିବା, ଚୋରା ଦେଶୀ ଓ ବିଦେଶୀ ମଦ କାରବାର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସାରନଗରୀ ଅଂଚଳର ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି । ସପ୍ତାହନ୍ତ ସଟଡାଉନର ଅଣଦେଖା କରୋନା ସଂକ୍ରମଣକୁ ବଢାଇବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ!
ସପ୍ତାହନ୍ତ ରବିବାର ସଟଉାଉନକୁ ବେଖାତିର, ପୁଲିସ ଯାଂଚ କଡ଼ାକଡ଼ି
|
August 9, 2020 |